ଏମଡବ୍ଲୁସି ୨୦୨୫ରେ ଭାରତର ଟେଲିକମ ରୂପାନ୍ତରୀକରଣକୁ ଦର୍ଶାଇଲେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ

  • ଭାରତର ଟେକ ଗଭର୍ଣ୍ଣାନ୍ସ ପାଇଁ ନବୀନ ପ୍ରକ୍ରିୟା, ସମୂହତା, ସ୍ଥାୟିତ୍ୱ ଓ ବିଶ୍ୱାସ ଜରୁରୀ : ଜେ.ଏମ.ସିନ୍ଧିଆ
  • ସ୍ପେକ୍ଟ୍ରମ ପରିଚାଳନା, ବଜାର ସ୍ଥାୟିତ୍ୱ, ଟେଲିକମ ନିୟମ, ଖାଉଟିଙ୍କ ସାଇବର ସୁରକ୍ଷା ଉପରେ ଗୁରୁତ୍ୱାରୋପ : ଜେ.ଏମ.ସିନ୍ଧିଆ
  • ବିଶ୍ୱରେ ଭାରତର ଟେଲିକମ ବିପ୍ଲବ ଉପରେ ବିଶ୍ୱ ମୋବାଇଲ କଂଗ୍ରେସ (ଏମଡବ୍ଲୁସି)ରେ ଆଲୋକପାତ

ନୂଆଦିଲ୍ଲୀ, (ପିଆଇବି) : ସ୍ପେନର ବାର୍ସେଲୋନାରେ ଅନୁଷ୍ଠିତ ବିଶ୍ୱ ମୋବାଇଲ କଂଗ୍ରେସ (ଏମଡବ୍ଲୁସି) ପରିଦର୍ଶନ କରିଛନ୍ତି କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ବିଶ୍ୱର ସର୍ବବୃହତମ ମୋବାଇଲ ଓ ଟେଲି ଯୋଗାଯୋଗ କ୍ଷେତ୍ରର ସମ୍ମିଳନୀରେ ଉଚ୍ଚସ୍ତରୀୟ ସିଇଓମାନଙ୍କ ସହ କଥା ହେବା ସହ ଗୁରୁତ୍ୱପୂର୍ଣ୍ଣ ଅଧିବେସନରେ ସେ ଯୋଗ ଦେଇଥିଲେ । ଏହି ବିଶ୍ୱ ମୋବାଇଲ କଂଗ୍ରେସରେ ୫ଜି କ୍ଷେତ୍ରରେ ଭାରତର ଦ୍ରୁତ ଅଭିବୃଦ୍ଧି, ବିଶ୍ୱର ସବୁଠାରୁ ଶସ୍ତା ଡାଟା ମୂଲ୍ୟ, ସ୍ୱଦେଶୀ ୪ଜି/୫ଜି ସାଇବର ସୁରକ୍ଷା ପଦକ୍ଷେପ ପରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ଭାରତର ଟେଲିକମ କ୍ଷେତ୍ରରେ ବିପ୍ଲବ ଓ ଟେକ ଗଭର୍ଣ୍ଣାନ୍ସ କ୍ଷେତ୍ରରେ ପ୍ରତିବଦ୍ଧତା ନେଇ ଏହି ବିଶ୍ୱ ମୋବାଇଲ କଂଗ୍ରେସ (ଏମଡବ୍ଲୁସି) ୨୦୨୫ରେ ଆଲୋଚନା କରାଯାଇଥିଲା । ‘ଗ୍ଲୋବାଲ ଟେକ ଗଭର୍ଣ୍ଣାନ୍ସ : ରାଇଜିଂ ଟୁ ଦି ଚ୍ୟାଲେଞ୍ଜ’ ଏବଂ ‘ଆଣ୍ଡ ବାଲାନ୍ସିଂ ଇନୋଭେସନ ଆଣ୍ଡ ରେଗୁଲେସନ : ଗ୍ଲୋବାଲ ପରସ୍ପେକଟିଭସ ଅନ ଟେଲିକମ ପଲିସି’ ଉପରେ ଆହୂତ ସ୍ୱତନ୍ତ୍ର ଅଧିବେସନରେ ବିଭାଗୀୟ ମନ୍ତ୍ରୀ ଉଦବୋଧନ ଦେଇଥିଲେ । ଏହି ଅବସରରେ ଭାରତର ଟେକ ଗଭର୍ଣ୍ଣାନ୍ସ ପାଇଁ ନବୀନ ପ୍ରକ୍ରିୟା, ସମୂହତା, ସ୍ଥାୟିତ୍ୱ ଓ ବିଶ୍ୱାସ ଜରୁରୀ ବୋଲି ମନ୍ତ୍ରୀ କହିଥିଲେ । ଦେଶର ନାଗରିକଙ୍କ ସୁବିଧା ପାଇଁ କାମ କରୁଥିବା ଆଧାର ଓ ଭାରତ ନେଟର ସଫଳତା ଉପରେ ବିଭାଗୀୟ ମନ୍ତ୍ରୀ ଆଲୋକପାତ କରିଥିଲେ । ଭାରତର ନବୀନ ପ୍ରକ୍ରିୟା ଉପରେ ରହିଥିବା ଚାରିଟି ଦିଗ ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସ୍ପେକ୍ଟ୍ରମ ପରିଚାଳନା, ବଜାର ସ୍ଥାୟିତ୍ୱ, ଟେଲିକମ ନିୟମ, ଖାଉଟିଙ୍କ ଲାଗି ସାଇବର ସୁରକ୍ଷା ପରି ବିଭିନ୍ନ ଦିଗରେ ଉପରେ ମନ୍ତ୍ରୀ ଆଲୋକପାତ କରିଥିଲେ । ବିଶ୍ୱ ମୋବାଇଲ କଂଗ୍ରେସ (ଏମଡବ୍ଲୁସି)ରେ ଭାରତ ସରକାରଙ୍କ ଟେଲି କମ୍ୟୁନିକେସନ ମନ୍ତ୍ରଣାଳୟର ସହଯୋଗ କ୍ରମେ ଟେଲିକମ ଇକ୍ୟୁପମେଂଟ ଆଣ୍ଡ ସର୍ଭିସେସ ଏକ୍ସପୋର୍ଟ ପ୍ରମୋସନ କାଉନସିଲ (ଟିଇପିସି) ଦ୍ୱାରା କରାଯାଇଥିବା ଭାରତ ପାଭିଲିୟନକୁ ବିଭାଗୀୟ ମନ୍ତ୍ରୀ ଉଦଘାଟନ କରିଥିଲେ । ଏହି ପାଭିଲିୟନରେ ହାର୍ଡବେୟାର ଓ ସଫ୍ଟବେୟାର କ୍ଷେତ୍ରରେ ଭାରତର ବଛା ବଛା ୩୮ଟି ଟେଲିକମ ଯନ୍ତ୍ରାଂଶ ପ୍ରସ୍ତୁତକାରୀ କମ୍ପାନୀ ଅଂଶଗ୍ରହଣ କରିଥିଲେ । ଭାରତ ପାଭିଲିୟନ ଗସ୍ତ ଅବସରରେ ଭିଭିଡିଏନ ଦ୍ୱାରା ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏଆଇ ପର୍ଯ୍ୟବସିତ ବାଇଫାଇ-୭କୁ ବିଭାଗୀୟ ମନ୍ତ୍ରୀ ଲୋକାର୍ପଣ କରିଥିଲେ । ମେଟା, ଗୁଗୁଲ କ୍ଲାଉଡ ପରି ବୁଥକୁ ବି ମନ୍ତ୍ରୀ ପରିଦର୍ଶନ କରିଥିଲେ । କ୍ୱାଲକମ, ସିସକୋ, ମାଭେନିର, ଏରିକସନ, ନୋକିଆ, ଏଏମଡି, ଏଟି ଆଣ୍ଡ ଟି, ଏୟାରଟେଲ, ବିଏସଏନଏଲ, ସିଡିଓଟି, ଟିଇପିସି ପରି ବିଶ୍ୱର ଶ୍ରେଷ୍ଠ କମ୍ପାନୀର ସିଇଓମାନଙ୍କ ସହ ସମ୍ପୃକ୍ତ ମନ୍ତ୍ରୀ ବି ଆଲୋଚନା କରିଥିଲେ । ଏଫସିସି ସହ ସେ ଦ୍ୱିପାକ୍ଷିକ ଆଲୋଚନା ବି କରିଥିଲେ । ଆନ୍ତର୍ଜାତିକ ସହଭାଗିତା, ଟେଲିକମ ସେକ୍ଟରରେ ପୁଞ୍ଜି ନିବେଶ, ବୈଶ୍ୱିକ ଯୋଜନାର ରୂପାୟନ ପରି ବିଭିନ୍ନ କ୍ଷେତ୍ରରେ ସମ୍ପୃକ୍ତ ମନ୍ତ୍ରୀ ଆଲୋଚନା କରିଥିଲେ । ବିଶ୍ୱ ମୋବାଇଲ କଂଗ୍ରେସ (ଏମଡବ୍ଲୁସି) ୨୦୨୫ କନଭର୍ଜ, କନେକ୍ଟ, କ୍ରିଏଟ ଥିମ ଉପରେ ବିଶ୍ୱ ମୋବାଇଲ କଂଗ୍ରେସ ପର୍ଯ୍ୟବସିତ ଥିଲା । ବାର୍ସେଲୋନାରେ ମାର୍ଚ୍ଚ ୩ରୁ ମାର୍ଚ୍ଚ ୬ ଯାଏ ଏହି କଂଗ୍ରେସ ଅନୁଷ୍ଠିତ ହେଉଛି । ଏଥିରେ ୧୦୧ ହଜାର ଅଂଶଗ୍ରହଣକାରୀ, ୨୭୦୦ ପ୍ରଦର୍ଶନକାରୀ, ୨୦୦ ଦେଶରୁ ନେତୃତ୍ୱ ଯୋଗ ଦେଇଥିଲେ । ୫ଜି, ଏଆଇ, ଆଇଓଟି ଓ ଡିଜିଟାଲ ରୂପାନ୍ତରୀକରଣ ପରି ବିଭିନ୍ନ କ୍ଷେତ୍ରରେ ଏହି କଂଗ୍ରେସରେ ଆଲୋଚନା କରାଯାଇଥିଲା । ୧୨୦୦ ବକ୍ତା, କାର୍ଯ୍ୟ ନିର୍ବାହୀ, ଯୋଜନା ପ୍ରଣୟନକାରୀ ଏହି କଂଗ୍ରେସରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ୫ଜି, ଏଆଇ ପ୍ଲସ, କନେକ୍ଟ ଏକ୍ସ, ଡିଜିଟାଲ ଡିଏନଏ ଉପରେ ଆଲୋଚନା କରାଯାଇଥିଲା ।

Leave A Reply

Your email address will not be published.