୫ ଜଣ ଆଦର୍ଶ ଶିକ୍ଷକଙ୍କୁ ରୋଟାରୀ ସମ୍ମାନ ପ୍ରଦାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଶିକ୍ଷକତା ଏକ ବୃତ୍ତି ନୁହେଁ ଏକ ବ୍ରତ ଏବଂ ଏହି ବୃତ୍ତିରେ ଦାୟିତ୍ବବୋଧ ଅଧିକ ଥାଏ କାରଣ ସମାଜରେ ଭବିଷ୍ୟତର ନାଗରିକଙ୍କ ଗଠନ ଦାୟିତ୍ୱ ଏମାନଙ୍କ କାନ୍ଧରେ ନ୍ୟସ୍ତ । ଏଣୁ ଦାୟିତ୍ୱବାନ ଶିକ୍ଷକଙ୍କୁ “ଦେଶ ନିର୍ମାତା” ଭାବେ ରୋଟାରୀ ଆନ୍ତର୍ଜାତିକ ସଂଗଠନ ପକ୍ଷରୁ ଯେଉଁ ସମ୍ମାନ ପ୍ରଦାନ କରାଯାଉଛି ତାହା ପ୍ରଶଂସନୀୟ ବୋଲି ଛତ୍ରପୁର ବ୍ଳକ ଶିକ୍ଷାଧିକାରୀ ଅବିନାଶ ଶତପଥୀ କହିଛନ୍ତି । ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ସଭାନେତ୍ରୀ ଏସ. ରେଖା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଶତପଥୀ ଏହା କହିବା ସହ ୫ ଜଣ ଶିକ୍ଷକଙ୍କୁ ରୋଟାରୀ ମାନପତ୍ର ସହ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଗୋଟିଏ ଲେଖାଏଁ ଚାରା ବୃକ୍ଷ ପ୍ରଦାନ କରି ସମ୍ମାନୀତ କରିଥିଲେ । ଛତ୍ରପୁର ବ୍ଳକ କାଳିପଲ୍ଲି ଉପ୍ରା ବିଦ୍ୟାଳୟର ଶିକ୍ଷୟିତ୍ରୀ ପ୍ରଜ୍ଞା ପରିମିତା ପ୍ରଧାନ, ବଉଳଗାଁ ଉପ୍ରା ବିଦ୍ୟାଳୟର ଶିକ୍ଷକ ଜିତେନ୍ଦ୍ର କୁମାର ନାୟକ, କାଳିପଲ୍ଲୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୀତାରାଣୀ ବେହେରା, ଗଞ୍ଜାମ ଏନ୍‌ଏସିର ଜୟଶ୍ରୀ ଉପ୍ରା ବିଦ୍ୟାଳୟର ଶିକ୍ଷକ ବିପ୍ର ଚରଣ ସାହୁ, ଗଞ୍ଜାମ ବ୍ଳକର ହୁମ୍ମା ପ୍ରୋଜେକ୍ଟ ଉପ୍ରା ବିଦ୍ୟାଳୟର ଶିକ୍ଷକ ଦାମୋଦର ପଣ୍ଡାଙ୍କୁ ଏହି ଅବସରରେ ସମ୍ମାନୀତ କରାଯାଇଥିଲା । କ୍ଲବ୍ ସମ୍ପାଦିକା ସ୍ୱାଗତିକା ସାମନ୍ତରାୟ, ରୋଟାରୀୟାନ ଏମ. ଧନଞ୍ଜୟ ରେଡ୍ଡୀ, ସ୍ମରପ୍ରିୟା ପଲେଇ, ନିରଞ୍ଜନ ପାତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଧିରେନ୍ଦ୍ର ପଣ୍ଡା ସମ୍ମାନୀତ ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପରିଚୟ ଓ ଭୂମିକା ସମ୍ପର୍କରେ ବିବରଣୀ ଦେଇଥିଲେ । ପ୍ରସନ୍ନ ପତି ମୁଖ୍ୟ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଡକ୍ଟର ବିମଳ ପ୍ରସାଦ ସାହୁ ଏହି ଦିବସର ତାତ୍ପର୍ଯ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ରୋଟାରୀ କ୍ଳବ ପକ୍ଷରୁ “ମହାବାହୁ” ନାମକ ଜଗନ୍ନାଥଙ୍କ ଉପରେ ଆଧାରିତ ସୀମିତ ସଂସ୍କରଣ ବିରଳ ପୁସ୍ତକ ମୁଖ୍ୟ ଅତିଥି ବିଇଓ ଅବିନାଶ ଶତପଥୀଙ୍କୁ ପ୍ରଦାନ କରିବା ସହ ତାଙ୍କୁ ରୋଟାରୀ କ୍ଲବ ଛତ୍ରପୁରର ସଦସ୍ୟତା ପ୍ରଦାନ କରାଯାଇଥିଲା । ସୁରଜିତ ସାମନ୍ତରାୟ, ବିଘ୍ନେଶ୍ୱର ରଥ ଓ ନୀରଦ ନାୟକ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ରୋଟାରୀୟନ ପ୍ରଫୁଲ୍ଲ ପଟ୍ଟନାୟକ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.