ବଲାଙ୍ଗିର ନୂଆଁପଡା ରେଳପଥ ନିର୍ମାଣ ଶୀଘ୍ର ଆରମ୍ଭ ହେଉ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାରର ସମ୍ମିଳନୀ କକ୍ଷରେ ଅଭିଭାବକ ମଂଚର କାର୍ଯ୍ୟକାରୀ କମିଟି ବୈଠକ ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ କୋଶଳାଂଳର ବରପୁତ୍ର ସ୍ୱର୍ଗତ ନିମାଇଁ ଚରଣ ପାଣିଗ୍ରାହୀଙ୍କ ବିୟୋଗରେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ଉପ-ସଭାପତି ପ୍ରଶନ୍ନ କୁମାର ମିଶ୍ର ପ୍ରସ୍ତାବିତ ବଲାଙ୍ଗିର, ନୂଆପଡା ଓ କାଟାଂବାଞ୍ଜି – ନବରଙ୍ଗପୁର ନୂତନ ରେଳପଥର ନିର୍ମାଣ କାମ ଶୀଘ୍ର ଆରମ୍ଭ କରିବାକୁ ଦାବୀ କରିବା ସହିତ ଏହା ହେଲେ କେବିକେ ଅଂଚଳର ଦାଦନ ସମସ୍ୟା ଦୂର ହେବା ସହ ଅର୍ଥନୈତିକ ଅବସ୍ଥାର ଉନ୍ନତି ସାଧନ ହେବ ବୋଲି ସୂଚନା ଦେଇଥିଲେ । ସଦସ୍ୟ ଦିବାକର ହୋତା ବଲାଙ୍ଗିର ମହୀମୁଣ୍ଡା ରାସ୍ତାରେ ଥିବା ଦୁଇଟି ରେଳ ଅଣ୍ଡରବ୍ରିଜରେ ବିଦ୍ୟାଳୟ ଛାତ୍ରଛାତ୍ରୀ ତଥା ସାଧାରଣ ନାଗରିକଙ୍କ ଗମନାଗମନରେ ସମସ୍ୟା ସୃଷ୍ଟି ହେଉଥିବାରୁ ଏଠାରେ ଏକ ଓଭରବ୍ରିଜ ନିର୍ମାଣ ସମ୍ପର୍କରେ ଦାବୀ ଜଣାଇଥିଲେ । ସାଧାରଣ ସଂପାଦକ ଗୋବିନ୍ଦ ମିଶ୍ର ସହରର ଉଚ୍ଚ ବିଦ୍ୟାଳୟ ଗୁଡିକୁ ଉଚ୍ଚତର ବିଦ୍ୟାଳୟରେ ଉନ୍ନିତ କରିବା ପାଇଁ ତଥା ଲେଭେଲ ୩ ପର୍ଯ୍ୟନ୍ତ ସରକାରୀ କର୍ମଚାରୀ ନିଯୁକ୍ତି ଜିଲ୍ଲା ସ୍ତରରେ କରିବା ପାଇଁ ଦାବୀ ଜଣାଇଥିଲେ । କମିଟି ସଦସ୍ୟ ଛବିଲାଲ ବେହେରା, ହରେକୃଷ୍ଣ ପଟେଲ, ପୁରୁଷୋତ୍ତମ ପଣ୍ଡା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.