ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଚଳିତବର୍ଷ ଶୃଙ୍ଖଳିତ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସ୍ୱତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ରଥଯାତ୍ରା ସହ ସଂପୃକ୍ତ ସମସ୍ତଙ୍କ କରୋନା ପରୀକ୍ଷା ଆସନ୍ତା ୮ ରୁ ୧୦ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ଏଥିପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ସିଡିଏମଓଙ୍କୁ ପରାମର୍ଶ ଦିଆଯାଇଛି । ଏଥିସହ ସିଂହଦ୍ୱାର ଓ ଗୁଣ୍ଡିଚା ମନ୍ଦିର ନିକଟ ବ୍ୟତୀତ ବଡଦାଣ୍ଡର ୫ଟି ସ୍ଥାନରେ ଆଶୁ ଚିକିତ୍ସାକେନ୍ଦ୍ର ଓ ଆବଶ୍ୟକୀୟ ଆମ୍ବୁଲାନ୍ସ ଯୋଗାଇ ଦେବାକୁ ମଧ୍ୟ କୁହାଯାଇଛି । ସେହିଭଳି ରଥ ଟାଣିବା ବେଳେ ବଡଦାଣ୍ତରେ ଖରା ପ୍ରକୋପରୁ ରକ୍ଷା ପାଇବା ପାଇଁ ପର୍ଯ୍ୟାପ୍ତ ପରିମାଣର ଜଳସିଞ୍ଚନ, ସେବାୟତ ଓ ସଂପୃକ୍ତ ଅଧିକାରୀ ଏବଂ କର୍ମଚାରୀ ମାନଙ୍କ ନିମନ୍ତେ ପାନୀୟ ଜଳ ବ୍ୟବସ୍ଥା ଓ ରାସ୍ତାର ଉଭୟ ପାଶ୍ୱର୍ରେ ଜଳ ଷ୍ଟାଣ୍ଡ ପୋଷ୍ଟ ବ୍ୟବସ୍ଥା କରିବା ନିମନ୍ତେ ଅଗ୍ନିଶମ, ଜନସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଆଇନ ଶୃଙ୍ଖଳା ନିମନ୍ତେ ଆବଶ୍ୟକୀୟ ପୋଲିସ ମୁତୟନ ସହ ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ସିସିଟିଭ ଲଗାଯିବା ନିମନ୍ତେ ବୈଠକରେ ଆରକ୍ଷୀ ଅଧିକ୍ଷକ ଡଃ କନୱାର ବିଶାଲ ସିଂ ଅବଗତ କରାଇଥିଲେ । ଏଥିସହ ବଡଦାଣ୍ଡକୁ ସଂଲଗ୍ନ କରୁଥିବା ୭୨ଟି ଗଳିରେ ସଫେଇ କାର୍ଯ୍ୟ ପ୍ରତି ନଜର ରଖିବାକୁ ପୌରସଂସ୍ଥା ନିର୍ବାହୀ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ବଡଦାଣ୍ଡ ଓ ସଂଲଗ୍ନ ଡ୍ରେନ ସଫେଇ ଓ ପଟହୋଲ ମରାମତି କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ । ଗୁଣ୍ତିଚାଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ରଥ ନିକଟରେ ସ୍ୱତନ୍ତ୍ର ଆଲୋକୀକରଣ ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ସେବାୟତ ମାନଙ୍କ ନିମନ୍ତେ ଅସ୍ଥାୟୀ ବିଶ୍ରାମସ୍ଥଳୀ, ପାନୀୟ ଜଳ ବ୍ୟବସ୍ଥା କରିବାକୁ ଉନ୍ନୟନ ପ୍ରଶାସକ ଓ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ବିନୟ କୁମାର ଦାଶ, ସୁଭାଷଚନ୍ଦ୍ର ନାଥଶର୍ମା, ଉପଜିଲ୍ଲାପାଳ ଭବତାରଣ ସାହୁ, ପୌରସଂସ୍ଥା ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ସିଡିଏମ୍ଓ ଡ. ସୁଜାତା ମିଶ୍ର ଏବଂ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.