centurian jitm

ମ.ରାମପୁରରେ ରଥଯାତ୍ରା ପାଇଁ ପ୍ରସ୍ତୁତି

nschool

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରଠାରେ ରଥ ଯାତ୍ରା ବହୁ ପୁରାତନ । ଜଗନ୍ନାଥ ମନ୍ଦିର ତିଆରି ହେବା ପୂର୍ବରୁ କିଛି ବର୍ଷ ଦୁର୍ଗା ମଣ୍ଡପ ସାମ୍ନାରେ ଏକ ଚାଳ ଘରେ ପ୍ରଭୂଙ୍କ ବିଗ୍ରହ ରଖି ରଥ ଯାତ୍ରା ସଂପନ୍ନ ହେଉଥିଲା । ପରେ କିଛି ବର୍ଷ ପାଇଁ ରାଜବାଟୀରେ ମଧ୍ୟ ଜଗନ୍ନାଥଙ୍କ ବିଗ୍ରହ ରଖାଯିବା ସହିତ ରଥଯାତ୍ରା ଅନୁଷ୍ଠିତ ହେଉଥିଲା । ସ୍ୱର୍ଗତ ଗୁରୁନାଥ ସାହୁ ଏବଂ ତାଙ୍କ ପତ୍ନୀ ସ୍ୱର୍ଗତ ପଦ୍ମାବତୀ ସାହୁଙ୍କ ବ୍ୟକ୍ତିଗତ ଉଦ୍ୟମ କ୍ରମେ ୧୯୭୩ ମସିହାରେ ଜଗନ୍ନାଥ ମନ୍ଦିର ତିଆରି କାର୍ଯ୍ୟ ଆରମ୍ଭ କରିଥିଲେ । ଗଂଜାମ ଜିଲ୍ଳାରୁ ଚାରିଜଣ ମିସ୍ତ୍ରୀ ତଥା କାରିଗରଙ୍କୁ ଆଣି ଏହି କାର୍ଯ୍ୟରେ ନିୟୋଜିତ କରିଥିଲେ । ସେହି ସମୟରେ ଏହି ମନ୍ଦିର ନିର୍ମାଣ କାମରେ ଆସି ଶିଳ୍ପୀ କେଦାର ମହାରଣା ଏଠାରେ ରହିଗଲେ । ସେତେବେଳେ ଶ୍ରୀ ମହାରଣାଙ୍କୁ ବୟସ ମାତ୍ର ୧୮ ବର୍ଷ । ଅଦ୍ୟାବଧି ସେ ଏହି ମନ୍ଦିରର ସମସ୍ତ କାରିଗରୀ କାର୍ଯ୍ୟ ସହିତ ଏହି ଅଂଚଳରେ ସେ ମୂର୍ତ୍ତି କାରିଗର ଭାବରେ ପ୍ରତିଷ୍ଠା ଅର୍ଜନ କରିଛନ୍ତି । ତେବେ ଦୁଇବର୍ଷ ଲାଗିଥିଲା ମନ୍ଦିର କାର୍ଯ୍ୟ ସମାପନ କରିବାକୁ । ୧୯୭୫ ମସିହାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରାଗଲା ଏବଂ ରାଜବାଟୀରୁ ଜଗନ୍ନାଥଙ୍କ ବିଗ୍ରହ ଆଣି ସ୍ଥାପନା ପୂର୍ବକ ପୂଜାର୍ଚ୍ଚନା ସହିତ ରଥଯାତ୍ରା ଚାଲୁଥିଲା । ପରେ ୧୯୭୭ ମସିହାରେ ପ୍ରଥମ ନବକଳେବର ଓ ୨୦୧୫ ମସିହାରେ ଦ୍ୱିତୀୟ ନବକଳେବର ଅନୁଷ୍ଠିତ ହେଇଛି । ପ୍ରତିବର୍ଷ ସ୍ନାନ ପୂର୍ଣ୍ଣିମା ପରେ କଳାକାର କେଦାର ମହାରଣା ଜଗନ୍ନାଥ, ବଳଭଦ୍ର, ସୁଭ୍ରଦାଙ୍କ ଗୁପ୍ତ ସେବା କରିଥାନ୍ତି ଏବଂ ନବଯୌବନ ଦର୍ଶନ ଦିନ ପ୍ରଭୁଙ୍କ ବିଗ୍ରହ(ରଙ୍ଗ କାର୍ଯ୍ୟ) ସଂପୂର୍ଣ୍ଣ ହୋଇଥାଏ । ଚଳିତ ବର୍ଷ ମଧ୍ୟ ଶ୍ରୀ ମହାରଣାଙ୍କ ସମେତ ଆଉ ଜଣେ ପ୍ରତିଷ୍ଠିତ ଶିଳ୍ପୀ ରମାକାନ୍ତ ପ୍ରହରାଜ ପ୍ରଭୁଙ୍କ ଏହି ସେବାରେ ନିଜକୁ ସମର୍ପିତ କରିଛନ୍ତି । ଶ୍ରୀ ମହାରଣାଙ୍କ କହିବା ମୁତାବକ ପ୍ରଭୂଙ୍କ ବିଗ୍ରହକୁ ସଂପୂର୍ଣ୍ଣ ପ୍ରାକୃତିକ ରଙ୍ଗରେ ଚିତ୍ରିତ କରାଯାଇଥାଏ । ଏଥିପାଇଁ ସେ ବ୍ୟବାହାର କରନ୍ତି ହରିତାଳ, ଶଙ୍ଖ ପାଉଡ଼ର, ସିନ୍ଦୁର ଓ କଳା । ଏଥି ସହିତ କଇଥ ଅଠା ଓ ତେନ୍ତୁଳି ଅଠା ପ୍ରସ୍ତୁତ କରି ତିନି ବିଗ୍ରହଙ୍କୁ ଦେଇଥାନ୍ତି ଜୀବନ୍ତ ରୂପ । ତେବେ ମନ୍ଦିର ନିର୍ମାଣ ଓ ପ୍ରତିଷ୍ଠା ଦିନଠାରୁ ସ୍ୱର୍ଗତ ଗୁରୁନାଥ ସାହୁଙ୍କ ପରିବାର ବର୍ଗ ହିଁ ଏହି ମନ୍ଦିରର ସମସ୍ତ ଦାୟିତ୍ୱ, କର୍ତ୍ତବ୍ୟ ସଂପାଦନ କରି ଆସୁଛନ୍ତି । ଏହି ରଥଯାତ୍ରାରେ ଗୋଟିଏ ରଥ ଟଣା ଯାଉଥିଲେ ହେଁ ପ୍ରତିବର୍ଷ ଆଖପାଖ ଅଂଚଳରୁ ହଜାର ହଜାର ସଂଖ୍ୟକ ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥାଏ । ଚଳିତ ବର୍ଷ ମଧ୍ୟ ରଥଯାତ୍ରା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଥିବା ବେଳେ ମନ୍ଦିର ପୂଜକ ଅଶୋକ ତ୍ରିପାଠୀ, ରାଜାଙ୍କ ପ୍ରତିନିଧି ଭାବରେ ବୁଧେନ୍ଦ୍ର ପ୍ରତାପ ସିଂହଦେଓ, ବିଶ୍ୱକର୍ମା କେଦାର ନାଥ ମହାରଣା, ସେବାୟତ ପରିବାରରୁ ଜଗନ୍ନାଥ ସାହୁ, ପ୍ରକାଶ ଚନ୍ଦ୍ର ସାହୁ, ସୁରେନ୍ଦ୍ର ସାହୁ, ରାଜେନ୍ଦ୍ର ସାହୁ, କୃଷ୍ଣଚନ୍ଦ୍ର ସାହୁ ଓ ଅନ୍ୟମାନଙ୍କ ମଧ୍ୟରେ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ପ୍ରଶାନ୍ତ ସାମନ୍ତରାୟ, ସୁବାସ ପଣ୍ଡା, ଉଦ୍ଧବ ପଣ୍ଡା, ତ୍ରିଲୋଚନ ଦାଶ, ପୀତାମ୍ବର ତ୍ରିପାଠୀ, ମଳୟ ତ୍ରିପାଠୀ, ଗୋବିନ୍ଦ ଶତପଥୀ, ସତ୍ୟନାରାୟଣ ସାହୁ, ଧୀରେନ୍ଦ୍ର ସାହୁ ଓ ରଥ ନିର୍ମାଣରେ ବୀର ମହାରଣା, ବବଲୁ ମହାରଣା ପ୍ରମୁଖ ସହଯୋଗ କରୁଛନ୍ତି ।

Leave A Reply

Your email address will not be published.