ଆଇଆରଇ କଲୋନୀସ୍ଥ ରଥଯାତ୍ରା ପରମ୍ପରାରେ ମଧ୍ୟ ଗଜପତିଙ୍କ ଭୂମିକା ନିଆରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗଡ଼ଜାତ ଅଞ୍ଚଳ ଭାବେ ଖ୍ୟାତି ଥିବା ଅନେକ ଅଞ୍ଚଳରେ ମଧ୍ୟ ରଥଯାତ୍ରାରେ ଗଜପତିଙ୍କ ଛେରାପହଁରା ଭୂମିକା ବଜାୟ ରହିଆସିଛି । ଦିଅଁଙ୍କ ସେବାରେ ରାଜାଙ୍କର ଏହି ଉତ୍ସର୍ଗୀକୃତ ମହନୀୟ ସେବା ଯାହା ଜଗନ୍ନାଥ ସଂସ୍କୃତିର ପରିଚୟ ପ୍ରତିପାଦନ କରିଥାଏ । ଠିକ ସେହିପରି ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରରୁ ମାତ୍ର ୭କିମି ଦୂରରେ ରହିଛି ଆଇଆରଇ କଲୋନୀ ଅଞ୍ଚଳ । ଯାହାକି ଭାରତ ସରକାରଙ୍କ ଏକ ନିଜସ୍ୱ ପ୍ରତିଷ୍ଠାନ କେଭାରତୀୟ ବିରଳ ମୂର୍ତ୍ତିକା ପ୍ଲାଣ୍ଟ ଅବା ଆଇ.ଆର.ଇ.ଏଲ୍.(ଇଣ୍ଡିଆ) ଲିଃ.ର ପ୍ରଶାସନିକ ଦପ୍ତରାଞ୍ଚଳ ଓ କଲୋନୀ ରହିଛି । ଏଠାରେ ରହିଆସିଥିବା ଅନ୍ତେବାସୀଙ୍କ ଉଦ୍ୟମରେ ପୁରୀ ଜଗନ୍ନାଥ ଧର୍ମ ସଂସ୍କୃତି ପ୍ରଚଳିତ ଏକ ଶ୍ରୀମନ୍ଦିର ପ୍ରାକାରରେ ଏକ ମନ୍ଦିର ରହିଛି । ମନ୍ଦିର ପରିସରରେ ପ୍ରମୁଖ ପାର୍ଶ୍ଵଦେବା-ଦେବୀଙ୍କ ସ୍ୱତନ୍ତ୍ର ପାର୍ଶ୍ଵମନ୍ଦିର ମଧ୍ୟ ଉକ୍ତ ଜଗନ୍ନାଥ ମନ୍ଦିରରେ ବିଦ୍ୟମାନ ହୋଇଛି । ଏହି ମନ୍ଦିର ଆଇଆରଇ ଜଗନ୍ନାଥ ମନ୍ଦିର ଭାବେ ଖ୍ୟାତ । ଏଠାରେ ପାଳିତ ହେଉଥିବା ରଥଯାତ୍ରାର ପରମ୍ପରା ମଧ୍ୟ ଖୁବ୍‌ ନିଆରା । ରଥଯାତ୍ରାରେ ପହଣ୍ଡି ପରେ ଜଣେ ବ୍ୟକ୍ତି ରାଜାବେଶରେ ଆସନ୍ତି, ଗଜପତିଙ୍କ ଭୂମିକା ନିର୍ବାହ କରନ୍ତି । ରାଜାଙ୍କ ଛେରାପହଁରା କାର୍ଯ୍ୟ ଖୁବ୍‌ ଆକର୍ଷକଣୀୟ ହୋଇଥାଏ । ଏହି ନିଆରା ଦୃଶ୍ୟ ଦେଖିବାକୁ ଆଖପାଖ ଅଞ୍ଚଳରୁ ଅଗଣିତ ଦର୍ଶକ ଭକ୍ତ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ପ୍ରକାଶ ଥାଉକି, ଆଇଆରଇ କଲୋନୀସ୍ଥ ଚିକିତ୍ସାଳୟରେ ନିୟୋଜିତ ଜଣେ ବିଦ୍ୱାନ ଫାର୍ମାସିଷ୍ଟ ହୃଷିକେଶ ଆଚାର୍ଯ୍ୟ ଏଠାକାର ରଥଯାତ୍ରା ଅବସରରେ ଗଜପତି ଭୂମିକାରେ ଅବତୀର୍ଣ୍ଣ ହୋଇ ତାଙ୍କ ଛେରାପହଁରା ସ୍ୱରୂପ ଦେବ ସେବା କାର୍ଯ୍ୟ ସମ୍ପନ୍ନ କରି ଖୁବ ପ୍ରଶଂସିତ ହୁଅନ୍ତି । ସେ ଆଜକୁ ପ୍ରାୟ ୪ବର୍ଷ ହେଲା ଏହି ଦେବ କାର୍ଯ୍ୟରେ ନିୟୋଜିତ ହେବା ପାଇଁ କମିଟି ପକ୍ଷରୁ ମନୋନିତ ହୋଇଥିବା ବେଳେ ଶ୍ରୀ ଆଚାର୍ଯ୍ୟଙ୍କ ଭୂମିକାରେ ସମସ୍ତେ ତାଙ୍କର ଭୂୟସୀ ଗାନ କରିଛନ୍ତି ।

Leave A Reply

Your email address will not be published.