୭୯ତମ ସ୍ୱାଧୀନତା ଦିବସ ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ର ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନ ମୋର ପ୍ରିୟ ଦେଶବାସୀଗଣ, ନମସ୍କାର

ସ୍ୱାଧୀନତା ଦିବସ ପୂର୍ବ ସନ୍ଧ୍ୟାରେ ଆପଣମାନଙ୍କୁ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜ୍ଞାପନ କରୁଛି । ସ୍ୱାଧୀନତା ଦିବସ ଏବଂ ଗଣତନ୍ତ୍ର ଦିବସକୁ ପ୍ରତ୍ୟେକ ଭାରତୀୟ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳନ କରିବା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ । ଏହି ଦିବସ ଆମକୁ ଭାରତୀୟ ହେବାର ଗୌରବକୁ ବିଶେଷ ଭାବେ ସ୍ମରଣ କରାଇ ଦେଇଥାଏ । ଅଗଷ୍ଟ ୧୫ ତାରିଖ, ଆମ ସାମୂହିକ ସ୍ମୃତିରେ ଗଭୀର ଭାବେ ଅଙ୍କିତ ହୋଇରହିଛି । ଉପନିବେଶ ଶାସନର ଲମ୍ବା ଅବଧି ସମୟରେ ଆମ ପୂର୍ବ ପିଢ଼ି ଦେଶକୁ ସ୍ୱାଧୀନ କରିବା ଲାଗି ଅନେକ ସ୍ୱପ୍ନ ଦେଖିଥିଲେ । ଦେଶର ପ୍ରତ୍ୟେକ ଭାଗରେ ରହୁଥିବା ପୁରୁଷ ଓ ମହିଳା, ବୟସ୍କ ଓ ଯୁବକ ବିଦେଶୀ ଶାସନର ଶିକୁଳି ଫିଟାଇବା ଲାଗି ବ୍ୟାକୁଳ ଥିଲେ । ସେମାନଙ୍କ ସଂଘର୍ଷରେ ନିରାଶା ନୁହେଁ ବରଂ ବଳଶାଳୀ ଆଶାର ଭାବନା ରହିଥିଲା । ଆଶାର ଏହି ଭାବନା, ସ୍ୱାଧୀନତା ପରେ ଆମ ପ୍ରଗତିକୁ ଶକ୍ତି ଯୋଗାଇ ଆସିଛି । ଆସନ୍ତାକାଲି ତ୍ରିରଙ୍ଗାକୁ ସଲାମ୍ କରିବା ସମୟରେ, ଆମେ ସମସ୍ତେ ଦେଶର ସ୍ୱାଧୀନତା ସଂଗ୍ରାମୀଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା, ଯେଉଁମାନଙ୍କ ବଳିଦାନ ଆଧାରରେ ୭୮ ବର୍ଷ ପୂର୍ବରୁ ଅଗଷ୍ଟ ୧୫ ତାରିଖରେ ଭାରତ ସ୍ୱାଧୀନତା ହାସଲ କରିଥିଲା । ନିଜ ସ୍ୱାଧୀନତାକୁ ପୁନଃପ୍ରାପ୍ତ କରିବା ପରେ, ଆମେ ଏପରି ଏକ ଗଣତନ୍ତ୍ରର ମାର୍ଗରେ ଆଗକୁ ବଢ଼ିଥିଲୁ ଯେଉଁଥିରେ ସବୁ ପ୍ରାପ୍ତବୟସ୍କଙ୍କୁ ମତଦାନ ଅଧିକାର ମିଳିଥିଲା । ଅନ୍ୟ ଅର୍ଥରେ କହିବାକୁ ଗଲେ, ଆମେ ଭାରତବାସୀ ନିଜ ଭାଗ୍ୟକୁ ଆକାର ଦେବା ପାଇଁ ନିଜକୁ ହିଁ ଅଧିକାର ପ୍ରଦାନ କରିଥିଲୁ। ଅନେକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଲିଙ୍ଗ, ଧର୍ମ କିମ୍ବା ଅନ୍ୟ ଆଧାରରେ ଲୋକମାନଙ୍କର ମତାଧିକାର ଉପରେ କଟକଣା ଲାଗୁ କରାଯାଇଥିଲା । କିନ୍ତୁ, ଆମେ ଏପରି କରିନଥିଲୁ । ଆହ୍ୱାନ ଥିବା ସତ୍ତ୍ୱେ ଭାରତର ଲୋକମାନେ ଗଣତନ୍ତ୍ରକୁ ସଫଳତା ପୂର୍ବକ ଗ୍ରହଣ କରିଥିଲେ । ଗଣତନ୍ତ୍ରକୁ ଆପଣାଇବା ଆମ ପ୍ରାଚୀନ ଗଣତାନ୍ତ୍ରିକ ମୂଲ୍ୟବୋଧର ସହଜ ଅଭିବ୍ୟକ୍ତି ଥିଲା । ଭାରତ-ଭୂମି ବିଶ୍ୱର ପ୍ରାଚୀନତମ ଗଣରାଜ୍ୟର ମାଟି । ଏହାକୁ ଗଣତନ୍ତ୍ରର ଜନନୀ କହିବା ଅତିଶୋୟକ୍ତି ହେବ ନାହିଁ । ଆମ ଦ୍ୱାରା ଗ୍ରହଣ କରାଯାଇଥିବା ସମ୍ବିଧାନର ଆଧାରଶୀଳା ଉପରେ ଆମ ଗଣତନ୍ତ୍ରର ଭବନ ନିର୍ମିତ ହୋଇଛି । ଆମେ ଗଣତନ୍ତ୍ର ଉପରେ ଆଧାରିତ ଏପରି ସଂସ୍ଥା ନିର୍ମାଣ କରିଛୁ ଯାହାଦ୍ୱାରା ଗଣତାନ୍ତ୍ରିକ କାର୍ଯ୍ୟଶୈଳୀ ମଜବୁତ ହୋଇଛି । ଆମ ପାଇଁ ଆମ ସମ୍ବିଧାନ ଏବଂ ଆମ ଗଣତନ୍ତ୍ର ସର୍ବୋପରି । ଅତୀତ ଉପରେ ଆଲୋକପାତ କଲେ ଆମେ ଦେଶ ବିଭାଜନର ଯନ୍ତ୍ରଣାକୁ କଦାପି ଭୁଲି ପାରିବା ନାହିଁ । ଆଜି ଆମେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ କରିଛୁ । ବିଭାଜନ କାରଣରୁ ଭୟାବହ ହିଂସା ଦେଖିବାକୁ ମିଳିଥିଲା ଏବଂ ଲକ୍ଷ ଲକ୍ଷ ଲୋକଙ୍କୁ ବିସ୍ଥାପିତ ହେବାକୁ ବାଧ୍ୟ କରାଯାଇଥିଲା । ଆଜି ଆମେ ଐତିହାସିକ ତ୍ରୁଟିର ଶିକାର ହୋଇଥିବା ଲୋକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ ।
ପ୍ରିୟ ଦେଶବାସୀଗଣ,
ଆମ ସମ୍ବିଧାନରେ ଏପରି ଚାରିଟି ମୂଲ୍ୟବୋଧ ବିଷୟରେ ଉଲ୍ଲେଖ ରହିଛି ଯାହା ଆମ ଗଣତନ୍ତ୍ରକୁ ସୁଦୃଢ଼ କରି ରଖିବାର ଚାରିଟି ସ୍ତମ୍ଭ । ଏସବୁ ମୂଲ୍ୟ ହେଉଛି – ନ୍ୟାୟ, ସ୍ୱାଧୀନତା, ସମାନତା ଏବଂ ବନ୍ଧୁତା । ଏସବୁ ଆମ ସଭ୍ୟତାର ଏପରି ସିଦ୍ଧାନ୍ତ ଯାହାକୁ ଆମେ ସ୍ୱାଧୀନତା ସଂଗ୍ରାମ ସମୟରେ ପୁନର୍ଜୀବିତ କରିଥିଲୁ । ଏସବୁ ମୂଲ୍ୟବୋଧର ମୂଳରେ ବ୍ୟକ୍ତିଗତ ଗରିମାର ଅବଧାରଣା ବିଦ୍ୟମାନ ରହିଛି ବୋଲି ମୁଁ ବିଶ୍ୱାସ କରେ । ପ୍ରତ୍ୟେକ ବ୍ୟକ୍ତି ସମାନ ଏବଂ ଗରିମାପୂର୍ଣ୍ଣ ବ୍ୟବହାର ପାଇବା ଲାଗି ହକଦାର୍ ଅଟନ୍ତି । ସ୍ୱାସ୍ଥ୍ୟସେବା ଏବଂ ଶିକ୍ଷା ସୁବିଧା ସମସ୍ତଙ୍କ ପାଖରେ ସମାନ ଭାବେ ପହଞ୍ଚିବା ଉଚିତ୍ । ସମସ୍ତଙ୍କୁ ସମାନ ସୁଯୋଗ ମିଳିବା ଆବଶ୍ୟକ । ପାରମ୍ପରିକ ବ୍ୟବସ୍ଥା କାରଣରୁ ଯେଉଁମାନେ ବଞ୍ଚିତ ରହିଯାଇଥିଲେ, ସେମାନଙ୍କୁ ସହାୟତା ଦରକାର ଥିଲା । ଏହିସବୁ ସିଦ୍ଧାନ୍ତକୁ ସର୍ବୋପରି ରଖି ଆମେ ୧୯୪୭ରେ ଏକ ନୂଆ ଯାତ୍ରା ଆରମ୍ଭ କରିଥିଲୁ । ବିଦେଶୀ ଶାସନର ଲମ୍ବା ଅବଧି ପରେ, ସ୍ୱାଧୀନତା ସମୟରେ ଭାରତ ଘୋର ଦାରିଦ୍ର୍ୟ ଦେଖି ଗତି କରୁଥିଲା । କିନ୍ତୁ ସେହି ସମୟ ଠାରୁ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ୭୮ ବର୍ଷ ମଧ୍ୟରେ ଆମେ ସବୁ କ୍ଷେତ୍ରରେ ଅସାଧାରଣ ପ୍ରଗତି ହାସଲ କରିଛୁ । ଭାରତ ଆତ୍ମନିର୍ଭର ରାଷ୍ଟ୍ର ହେବାର ମାର୍ଗରେ ଯଥେଷ୍ଟ ଦୂର ଆଗେଇ ଆସିଛି ଏବଂ ଦୃଢ଼ ଆତ୍ମବିଶ୍ୱାସର ସହିତ ଆହୁରି ଆଗକୁ ବଢ଼ିଚାଲିଛି । ଆର୍ଥିକ କ୍ଷେତ୍ରରେ ଆମର ସଫଳତା ସ୍ପଷ୍ଟ ଭାବେ ଦେଖାଯାଇପାରିବ । ବିଗତ ଆର୍ଥିକ ବର୍ଷରେ ୬.୫ ପ୍ରତିଶତ ସକଳ ଘରୋଇ ଉତ୍ପାଦ ବୃଦ୍ଧି ହାର ସହିତ ଭାରତ ବିଶ୍ୱର ପ୍ରମୁଖ ଅର୍ଥବ୍ୟବସ୍ଥାଗୁଡ଼ିକ ମଧ୍ୟରେ ସବୁଠୁ ଆଗରେ ଥିଲା । ବିଶ୍ୱ ଅର୍ଥବ୍ୟବସ୍ଥାରେ ଲାଗି ରହିଥିବା ସମସ୍ୟା ସତ୍ତ୍ୱେ ଘରୋଇ ଚାହିଦାରେ ଦ୍ରୁତ ଅଭିବୃଦ୍ଧି ହେଉଛି । ମୁଦ୍ରାସ୍ଫିତୀକୁ ନିୟନ୍ତ୍ରଣରେ ରଖାଯାଇପାରିଛି । ରପ୍ତାନି ମଧ୍ୟ ବଢ଼ୁଛି । ସମସ୍ତ ପ୍ରମୁଖ ସଂକେତକ ଅର୍ଥବ୍ୟବସ୍ଥାର ଦୃଢ଼ ସ୍ଥିତିକୁ ଦର୍ଶାଉଛି । ଏହା ଆମ ଶ୍ରମିକ ଏବଂ ଚାଷୀ ଭାଇଭଉଣୀଙ୍କ କଠିନ ପରିଶ୍ରମ ଓ ସମର୍ପଣ ସହିତ ସୁଚିନ୍ତିତ ସଂସ୍କାର ଏବଂ ଦକ୍ଷ ଆର୍ଥିକ ପରିଚାଳନା କାରଣରୁ ସମ୍ଭବ ହୋଇପାରିଛି । ସୁଶାସନ ମାଧ୍ୟମରେ, ବହୁ ସଂଖ୍ୟକ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରାଯାଇଛି । ସରକାର ଗରିବ ଲୋକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଚଳାଉଛନ୍ତି । ଯେଉଁମାନେ ଦାରିଦ୍ର୍ୟ ସୀମାରେଖାର ଉପରକୁ ଆସିଛନ୍ତି କିନ୍ତୁ ସ୍ଥିର ସ୍ଥିତିରେ ନାହାନ୍ତି, ସେମାନଙ୍କ ପାଖରେ ମଧ୍ୟ ଏପରି ଯୋଜନାର ସୁରକ୍ଷା ଅଛି ଯାହା ଦ୍ୱାରା ସେମାନେ ପୁଣି ଦାରିଦ୍ର୍ୟ ସୀମାରେଖା ତଳକୁ ଖସିବେ ନାହିଁ । ଏହି କଲ୍ୟାଣକାରୀ ପ୍ରୟାସଗୁଡ଼ିକ ସାମାଜିକ ସେବା ଉପରେ ବର୍ଦ୍ଧିତ ଖର୍ଚ୍ଚରେ ପ୍ରତିଫଳିତ ହେଉଛି । ଆୟ ଅସମାନତା ହ୍ରାସ ପାଉଛି । ଆଞ୍ଚଳିକ ବୈଷମ୍ୟ ମଧ୍ୟ କମୁଛି । ଯେଉଁ ରାଜ୍ୟ ଏବଂ ଅଞ୍ଚଳଗୁଡ଼ିକ ପୂର୍ବରୁ ଦୁର୍ବଳ ଆର୍ଥିକ ପ୍ରଦର୍ଶନ ପାଇଁ ପରିଚିତ ଥିଲେ, ସେମାନେ ଏବେ ନିଜର ବାସ୍ତବିକ କ୍ଷମତା ପ୍ରଦର୍ଶନ କରୁଛନ୍ତି ଏବଂ ଅଗ୍ରଣୀ ରାଜ୍ୟଗୁଡ଼ିକ ସହିତ ସମକକ୍ଷ ହେବା ପାଇଁ ଆଗକୁ ବଢ଼ୁଛନ୍ତି । ଆମର ପ୍ରମୁଖ ବ୍ୟବସାୟୀ, ଲଘୁ ଓ ମଧ୍ୟମ ଉଦ୍ୟୋଗୀ ଏବଂ ବ୍ୟବସାୟୀମାନେ ସର୍ବଦା ସବୁକିଛି ସମ୍ଭବ କରି ଦେଖାଇବାର ମନୋଭାବ ପ୍ରଦର୍ଶନ କରିଛନ୍ତି । ସମୃଦ୍ଧି ସୃଷ୍ଟି କରିବା ରାସ୍ତାରେ ଥିବା ପ୍ରତିବନ୍ଧକଗୁଡ଼ିକୁ ଦୂର କରିବାର ଆବଶ୍ୟକତା ଥିଲା । ଗତ ଏକ ଦଶନ୍ଧି ମଧ୍ୟରେ ଭିତ୍ତିଭୂମି ବିକାଶରେ ଏହା ସ୍ପଷ୍ଟ ଭାବରେ ଦୃଶ୍ୟମାନ ହୋଇଛି । ଆମେ ଭାରତମାଳା ପ୍ରକଳ୍ପ ଅଧୀନରେ ଜାତୀୟ ରାଜପଥ ନେଟୱର୍କକୁ ବିସ୍ତାର ଏବଂ ସୁଦୃଢ଼ କରିଛୁ । ରେଳବାଇ ମଧ୍ୟ ନବସୃଜନକୁ ପ୍ରୋତ୍ସାହିତ କରିଛି ଏବଂ ନୂତନତମ ପ୍ରଯୁକ୍ତିବିଦ୍ୟାରେ ପରିଚାଳିତ ନୂତନ ପ୍ରକାରର ଟ୍ରେନ ଏବଂ କୋଚ୍ ବ୍ୟବହାର କରିବା ଆରମ୍ଭ କରି ଦେଇଛି । କାଶ୍ମୀର ଘାଟୀରେ ରେଳ ସଂଯୋଗୀକରଣର ଶୁଭାରମ୍ଭ ଏକ ପ୍ରମୁଖ ସଫଳତା । ଭାରତର ଅନ୍ୟାନ୍ୟ ଅଞ୍ଚଳ ସହିତ ଘାଟୀର ରେଳ ସଂଯୋଗୀକରଣ ଏହି ଅଞ୍ଚଳରେ ବାଣିଜ୍ୟ ଓ ପର୍ଯ୍ୟଟନକୁ ବୃଦ୍ଧି କରିବ ଏବଂ ନୂତନ ଆର୍ଥିକ ସମ୍ଭାବନା ପାଇଁ ଦ୍ୱାର ଖୋଲିବ । କାଶ୍ମୀରରେ ଇଞ୍ଜିନିୟରିଂର ଏହି ଅସାଧାରଣ ସଫଳତା ଆମ ଦେଶ ପାଇଁ ଏକ ଐତିହାସିକ ମାଇଲଖୁଣ୍ଟ । ଦେଶରେ ଦ୍ରୁତ ଗତିରେ ସହରୀକରଣ ହେଉଛି । ତେଣୁ, ସରକାର ସହରଗୁଡ଼ିକର ସ୍ଥିତିରେ ଉନ୍ନତି ଆଣିବା ପାଇଁ ବିଶେଷ ଧ୍ୟାନ ଦେଉଛନ୍ତି । ସହରାଞ୍ଚଳ ପରିବହନର ପ୍ରମୁଖ କ୍ଷେତ୍ର ପ୍ରତି ବିଶେଷ ଧ୍ୟାନ ଦେଇ, ସରକାର ମେଟ୍ରୋ ରେଳ ସୁବିଧାକୁ ବିସ୍ତାର କରିଛନ୍ତି । ଗତ ଦଶନ୍ଧି ମଧ୍ୟରେ, ମେଟ୍ରୋ ରେଳ ସେବା ରହିଥିବା ସହର ସଂଖ୍ୟା ବହୁଗୁଣିତ ହୋଇଛି । ସହରଗୁଡ଼ିକର କାୟାକଳ୍ପ ଏବଂ ସହରାଞ୍ଚଳ ପରିବର୍ତ୍ତନ ପାଇଁ ଅଟଳ ମିଶନ, ଅର୍ଥାତ୍ ‘ଅମୃତ’, ଅଧିକରୁ ଅଧିକ ଘରେ ନିର୍ଭରଯୋଗ୍ୟ ଟ୍ୟାପ୍ ଜଳ ଯୋଗାଣ ଏବଂ ସ୍ୱେରେଜ୍ ସଂଯୋଗ ସୁବିଧା ସୁନିଶ୍ଚିତ କରିଛି । ନାଗରିକମାନଙ୍କର ଜୀବନର ମୌଳିକ ସୁବିଧା ପାଇବାର ଅଧିକାର ଅଛି ବୋଲି ସରକାର ବିଶ୍ୱାସ କରନ୍ତି । ‘ଜଳ ଜୀବନ ମିଶନ’ ଅଧୀନରେ, ଗ୍ରାମାଞ୍ଚଳର ଘରକୁ ନଳକୂପ ପାଣି ଯୋଗାଇବାରେ ପ୍ରଗତି ହେଉଛି । ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟସେବା ଯୋଜନା, ଆୟୁଷ୍ମାନ ଭାରତ ଅଧୀନରେ ବିଭିନ୍ନ ପଦକ୍ଷେପ ନିଆଯାଇଛି । ସେହିସବୁ ପ୍ରୟାସର ଫଳସ୍ୱରୂପ, ଆମେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଦେଖୁଛୁ । ବର୍ତ୍ତମାନସୁଦ୍ଧା, ଏହି ଯୋଜନା ଅଧୀନରେ ୫୫ କୋଟିରୁ ଅଧିକ ଲୋକଙ୍କୁ ସୁରକ୍ଷା କଭର ଯୋଗାଇ ଦିଆଯାଇଛି । ସରକାର ଏହି ଯୋଜନାକୁ ଆୟ ନିର୍ବିଶେଷରେ ୭୦ ବର୍ଷ ଏବଂ ତଦୁର୍ଦ୍ଧ୍ୱ ବୟସର ସମସ୍ତ ବରିଷ୍ଠ ନାଗରିକଙ୍କ ପାଇଁ ଉପଲବ୍ଧ କରାଇଛନ୍ତି । ସ୍ୱାସ୍ଥ୍ୟସେବା ଉପଲବ୍ଧତାରେ ଥିବା ଅସମାନତା ଦୂର ହେବା ସହିତ, ଗରିବ ଏବଂ ନିମ୍ନ ମଧ୍ୟବିତ୍ତ ବର୍ଗର ଲୋକମାନେ ମଧ୍ୟ ସର୍ବୋତ୍ତମ ସମ୍ଭାବ୍ୟ ସ୍ୱାସ୍ଥ୍ୟସେବା ପାଉଛନ୍ତି । ଏହି ଡିଜିଟାଲ ଯୁଗରେ, ସୂଚନା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତରେ ସର୍ବାଧିକ ପ୍ରଗତି ହେବା ସ୍ୱାଭାବିକ । ପ୍ରାୟ ସମସ୍ତ ଗାଁରେ ଫୋର୍ ଜି ମୋବାଇଲ୍ ସଂଯୋଗ ଉପଲବ୍ଧ । ଏହି ସୁବିଧା ଖୁବ୍ ଶୀଘ୍ର ବାକି କିଛି ହଜାର ଗ୍ରାମକୁ ମଧ୍ୟ ବିସ୍ତାର କରାଯିବ । ଏହାଦ୍ୱାରା ଡିଜିଟାଲ ଅର୍ଥପଇଠ ଲାଗି ପ୍ରଯୁକ୍ତିବିଦ୍ୟାକୁ ବ୍ୟାପକ ପରିମାଣରେ ଗ୍ରହଣ କରିବା ସମ୍ଭବ ହୋଇଛି । ଅଳ୍ପ ସମୟ ମଧ୍ୟରେ, ଭାରତ ଡିଜିଟାଲ ଅର୍ଥପଇଠ କ୍ଷେତ୍ରରେ ବିଶ୍ୱର ଏକ ଅଗ୍ରଣୀ ଦେଶ ପାଲଟିଛି । ଏହା ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରକୁ ମଧ୍ୟ ପ୍ରୋତ୍ସାହିତ କରିଛି ଏବଂ କଲ୍ୟାଣକାରୀ ଅର୍ଥରାଶିକୁ କୌଣସି ବାଧା ଓ ବାଟମାରଣା ବିନା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ନିଶ୍ଚିତ କରିଛି । ବିଶ୍ୱର ମୋଟ ଡିଜିଟାଲ କାରବାର ମଧ୍ୟରୁ, ଅଧାରୁ ଅଧିକ କାରବାର ଭାରତରେ ହେଉଛି । ଏପରି ପରିବର୍ତ୍ତନ ଜରିଆରେ ଏକ ଗତିଶୀଳ ଡିଜିଟାଲ ଅର୍ଥବ୍ୟବସ୍ଥା ସୃଷ୍ଟି କରାଯାଇଛି । ଦେଶର ଜିଡିପିରେ ଏହାର ଅବଦାନ ବର୍ଷ ପରେ ବର୍ଷ ବୃଦ୍ଧି ପାଉଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ହେଉଛି ବୈଷୟିକ ପ୍ରଗତିର ପରବର୍ତ୍ତୀ ପର୍ଯ୍ୟାରୟ ଯାହା ଆମ ଜୀବନରେ ନିଜର ସ୍ଥାନ ସୃଷ୍ଟି କରିଛି । ଦେଶର ଏଆଇ କ୍ଷମତାକୁ ସୁଦୃଢ଼ କରିବା ପାଇଁ ସରକାର ଭାରତ-ଏଆଇ ମିଶନ ଆରମ୍ଭ କରିଛନ୍ତି । ଏହି ମିଶନ ଅଧୀନରେ, ଏପରି ମଡେଲ ବିକଶିତ କରାଯିବ ଯାହା ଭାରତର ନିର୍ଦ୍ଦିଷ୍ଟ ଆବଶ୍ୟକତା ପୂରଣ କରିବ । ଆମେ ୨୦୪୭ ସୁଦ୍ଧା ଭାରତକୁ ଏକ ବିଶ୍ୱ ଏଆଇ ହବ୍ କରିବାକୁ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ରଖିଛୁ । ଏହି ଦିଗରେ, ବୈଷୟିକ ଉନ୍ନତିର ସର୍ବୋତ୍ତମ ବ୍ୟବହାର ଏବଂ ପ୍ରଶାସନିକ ବ୍ୟବସ୍ଥାରେ ସୁଧାର ଆଣି ସାଧାରଣ ଲୋକଙ୍କ ଜୀବନକୁ ଉନ୍ନତ କରିବା ଉପରେ ବିଶେଷ ଧ୍ୟାନ ଦିଆଯିବ । ସାଧାରଣ ଲୋକଙ୍କ ଜୀବନକୁ ଉନ୍ନତ କରିବା ପାଇଁ, ବ୍ୟବସାୟକୁ ସହଜ କରିବା ସହିତ ଜୀବନକୁ ସହଜ କରିବା ଉପରେ ମଧ୍ୟ ସମାନ ଗୁରୁତ୍ୱ ଦିଆଯାଉଛି । ବିକାଶ ସେତିକିବେଳେ ଅର୍ଥପୂର୍ଣ୍ଣ ହୁଏ ଯେତେବେଳେ ଉପେକ୍ଷିତ ଲୋକଙ୍କ ପାଖରେ ସହାୟତା ପହଞ୍ଚେ ଏବଂ ସେମାନଙ୍କ ପାଇଁ ନୂତନ ସୁଯୋଗ ଉପଲବ୍ଧ ହୁଏ । ଏହାବ୍ୟତୀତ, ଆମେ ଯଥାସମ୍ଭବ ପ୍ରତ୍ୟେକ କ୍ଷେତ୍ରରେ ଆମର ଆତ୍ମନିର୍ଭରଶୀଳତା ବୃଦ୍ଧି କରୁଛୁ । ଏହା ଆମର ଆତ୍ମବିଶ୍ୱାସ ବୃଦ୍ଧି କରିଛି ଏବଂ ଏକ ବିକଶିତ ଭାରତ ହେବା ପାଇଁ ଆମ ଯାତ୍ରାର ଗତିକୁ ତ୍ୱରାନ୍ୱିତ କରିଛି । ଗତ ସପ୍ତାହ ୭ ଅଗଷ୍ଟରେ, ଦେଶରେ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯାଇଥିଲା । ଏହି ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଆମର ବୁଣାକାର ଏବଂ ସେମାନଙ୍କ ଉତ୍ପାଦକୁ ସମ୍ମାନ ଦେବା । ସ୍ୱାଧୀନତା ସଂଗ୍ରାମ ସମୟରେ, ୧୯୦୫ ମସିହାରେ ଆରମ୍ଭ ହୋଇଥିବା ସ୍ୱଦେଶୀ ଆନ୍ଦୋଳନର ସ୍ମୃତିରେ ୨୦୧୫ ମସିହାରୁ ଏହି ଦିବସଟି ପ୍ରତିବର୍ଷ ପାଳନ କରାଯାଇଆସୁଛି । ମହାତ୍ମା ଗାନ୍ଧୀ ଭାରତୀୟ ଶିଳ୍ପୀ ଏବଂ କାରିଗରଙ୍କ ରକ୍ତ ଓ ଝାଳରେ ତିଆରି ଉତ୍ପାଦ ଏବଂ ସେମାନଙ୍କର ଅତୁଳନୀୟ ଦକ୍ଷତାକୁ ପ୍ରୋତ୍ସାହିତ କରିବା ପାଇଁ ସ୍ୱଦେଶୀର ଭାବନାକୁ ଅଧିକ ମଜବୁତ କରିଥିଲେ । ସ୍ୱଦେଶୀର ଚିନ୍ତାଧାରା ‘ମେକ୍-ଇନ୍-ଇଣ୍ଡିଆ’ ଏବଂ ‘ଆତ୍ମନିର୍ଭର ଭାରତ ଅଭିଯାନ’ ଭଳି ଜାତୀୟ ପ୍ରୟାସକୁ ପ୍ରେରଣା ଦେଇ ଆସୁଛି । ଆମ ସମସ୍ତଙ୍କୁ ଏହି ପ୍ରତିଜ୍ଞା ନେବାକୁ ପଡିବ ଯେ ଆମେ ଆମ ଦେଶରେ ତିଆରି ଉତ୍ପାଦ କିଣିବୁ ଏବଂ ବ୍ୟବହାର କରିବୁ ।
ପ୍ରିୟ ଦେଶବାସୀଗଣ,
ସାମାଜିକ କ୍ଷେତ୍ରରେ କରାଯାଇଥିବା ପ୍ରୟାସ ଦ୍ୱାରା ସାମଗ୍ରିକ ଆର୍ଥିକ ବିକାଶ ବଳରେ ଭାରତ ୨୦୪୭ ସୁଦ୍ଧା ଏକ ବିକଶିତ ଅର୍ଥବ୍ୟବସ୍ଥା ହେବା ପଥରେ ଆଗକୁ ବଢ଼ୁଛି । ଅମୃତ କାଳର ଏହି ସମୟରେ, ସମସ୍ତ ଦେଶବାସୀ ଆଗକୁ ବଢ଼ିବାର ଜାତୀୟ ଯାତ୍ରାରେ ଯଥାସମ୍ଭବ ଯୋଗଦାନ ଦେବେ ବୋଲି ମୁଁ ବିଶ୍ୱାସ କରେ । ସମାଜର ତିନୋଟି ବର୍ଗ ଅଛନ୍ତି ଯେଉଁମାନେ ଆମକୁ ପ୍ରଗତି ପଥରେ ଆଗକୁ ନେଇଯିବେ । ଏହି ତିନୋଟି ବର୍ଗ ହେଉଛନ୍ତି – ଆମର ଯୁବପିଢ଼ି, ମହିଳା ଏବଂ ଦୀର୍ଘ ସମୟ ଧରି ଉପେକ୍ଷିତ ହୋଇ ରହିଥିବା ସମ୍ପ୍ରଦାୟ । ଅନ୍ତତଃ, ଆମର ଯୁବପିଢ଼ିଙ୍କୁ ସେମାନଙ୍କ ସ୍ୱପ୍ନ ସାକାର କରିବା ପାଇଁ ଅନୁକୂଳ ପରିସ୍ଥିତି ମିଳିଛି । ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ସୁଦୂରପ୍ରସାରୀ ପରିବର୍ତ୍ତନ ଅଣାଯାଇଛି । ଶିକ୍ଷାକୁ ଜୀବନ ମୂଲ୍ୟବୋଧ ସହିତ ଏବଂ କୌଶଳକୁ ପରମ୍ପରା ସହିତ ଯୋଡାଯାଇଛି । ନିଯୁକ୍ତି ସୁଯୋଗ ମଧ୍ୟ ଦ୍ରୁତ ଗତିରେ ବଢ଼ୁଛି । ଉଦ୍ୟୋଗ ଆକାଂକ୍ଷୀଙ୍କ ପାଇଁ ସରକାର ସବୁଠାରୁ ଅନୁକୂଳ ପରିବେଶ ଯୋଗାଇ ଦେଇଛନ୍ତି । ଯୁବ ପ୍ରତିଭାର ଶକ୍ତି ଦ୍ୱାରା ପରିଚାଳିତ, ଆମର ମହାକାଶ କାର୍ଯ୍ୟକ୍ରମ ଅଭୂତପୂର୍ବ ଭାବରେ ବିସ୍ତାରିତ ହୋଇଛି । ମୁଁ ନିଶ୍ଚିତ ଯେ ଶୁଭାଂଶୁ ଶୁକ୍ଳାଙ୍କ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ଯାତ୍ରା ଏକ ସମ୍ପୂର୍ଣ୍ଣ ପିଢ଼ିକୁ ବଡ଼ ସ୍ୱପ୍ନ ଦେଖିବା ପାଇଁ ପ୍ରେରଣା ଦେଇଛି । ଏହି ମହାକାଶ ଯାତ୍ରା ଭାରତର ଆଗାମୀ ମାନବ ମହାକାଶ ଉଡ଼ାଣ କାର୍ଯ୍ୟକ୍ରମ ‘ଗଗନଯାନ’ ପାଇଁ ଅତ୍ୟନ୍ତ ସହାୟକ ହେବ । ନୂତନ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ଆମର ଯୁବପିଢ଼ି କ୍ରୀଡ଼ା ଜଗତରେ ନିଜର ଛାପ ସୃଷ୍ଟି କରୁଛନ୍ତି । ଉଦାହରଣ ସ୍ୱରୂପ, ଭାରତର ଯୁବପିଢ଼ି ଏବେ ଚେସରେ ଏପରି ଆଧିପତ୍ୟ ବିସ୍ତାର କରିଛନ୍ତି ଯାହା ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା । ଜାତୀୟ କ୍ରୀଡ଼ା ନୀତି ୨୦୨୫ରେ ଉଲ୍ଲିଖିତ ଦୃଷ୍ଟିକୋଣ ସହିତ ଆମେ ଏପରି ମୌଳିକ ପରିବର୍ତ୍ତନ କଳ୍ପନା କରିଛୁ ଯାହାର ଆଧାରରେ ଭାରତ ଏକ ବିଶ୍ୱସ୍ତରୀୟ କ୍ରୀଡ଼ା ମହାଶକ୍ତି ଭାବରେ ଉଭା ହେବ । ଆମ ଝିଅମାନେ ଆମର ଗୌରବ । ସେମାନେ ପ୍ରତିବନ୍ଧକ ଭାଙ୍ଗି ପ୍ରତିରକ୍ଷା ଓ ସୁରକ୍ଷା ସମେତ ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ବଢ଼ୁଛନ୍ତି । କ୍ରୀଡାକୁ ଉତ୍କର୍ଷତା, ସଶକ୍ତିକରଣ ଏବଂ କ୍ଷମତାର ଏକ ଗୁରୁତ୍ୱପୂର୍ଣ୍ଣ ସୂଚକ ଭାବରେ ବିବେଚନା କରାଯାଏ । ବିଶ୍ୱ ଚେସ୍ ଚାମ୍ପିଅନସିପ୍ ପାଇଁ ‘ଫିଡେ ମହିଳା ବିଶ୍ୱକପ୍’ର ଫାଇନାଲ୍ ମ୍ୟାଚ୍ ଭାରତର ଜଣେ ୧୯ ବର୍ଷୀୟା ଝିଅ ଏବଂ ଜଣେ ୩୮ ବର୍ଷୀୟା ଭାରତୀୟ ମହିଳାଙ୍କ ମଧ୍ୟରେ ଖେଳାଯାଇଥିଲା । ଏହି ସଫଳତା ପିଢ଼ି ପରେ ପିଢ଼ି ଆମ ମହିଳାମାନଙ୍କ ମଧ୍ୟରେ ଥିବା ନିରନ୍ତର ବିଶ୍ୱସ୍ତରୀୟ ଉତ୍କର୍ଷତାକୁ ରେଖାଙ୍କିତ କରେ । ନିଯୁକ୍ତିରେ ଲିଙ୍ଗଗତ ପାର୍ଥକ୍ୟ ମଧ୍ୟ ହ୍ରାସ ପାଉଛି । ‘ନାରୀ ଶକ୍ତି ବନ୍ଦନ ଆଇନ’ ସହିତ, ମହିଳା ସଶକ୍ତିକରଣ ଆଉ କେବଳ ଏକ ସ୍ଲୋଗାନ ନୁହେଁ ବରଂ ଏକ ବାସ୍ତବତାରେ ପରିଣତ ହୋଇଛି । ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ ଏବଂ ଅନ୍ୟାନ୍ୟ ସମ୍ପ୍ରଦାୟର ଲୋକମାନେ ଆମ ସମାଜର ଏକ ବଡ଼ ଭାଗ ହେଉଛନ୍ତି । ଏହି ସମ୍ପ୍ରଦାୟର ଲୋକମାନେ ଏବେ ଉପେକ୍ଷିତ ହେବାର ମାନ୍ୟତାରୁ ମୁକୁଳି ପାରିଛନ୍ତି । ସକ୍ରିୟ ପ୍ରୟାସ ମାଧ୍ୟମରେ ସରକାର ସେମାନଙ୍କର ସାମାଜିକ ଏବଂ ଆର୍ଥିକ ଆକାଂକ୍ଷାକୁ ସାକାର କରିବାରେ ସାହାଯ୍ୟ କରିଆସୁଛନ୍ତି । ଭାରତ ଏବେ ନିଜର ପ୍ରକୃତ ସମ୍ଭାବନା ହାସଲ କରିବା ଦିଗରେ ବହୁତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ଆମର ସଂସ୍କାର ଏବଂ ନୀତିଗୁଡ଼ିକ ଅଭିବୃଦ୍ଧି ପାଇଁ ଏକ ପ୍ରଭାବଶାଳୀ ମଞ୍ଚ ସୃଷ୍ଟି କରିଛନ୍ତି । ଏହି ପ୍ରସ୍ତୁତି ଆଧାରରେ, ମୁଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଦେଖିପାରୁଛି ଯେଉଁଠାରେ ଆମେ ସମସ୍ତେ ଆମର ସାମୂହିକ ସମୃଦ୍ଧି ଓ କଲ୍ୟାଣ ପାଇଁ ଉତ୍ସାହର ସହିତ ଯୋଗଦାନ ଦେବୁ ।
ସେହି ଭବିଷ୍ୟତ ଦିଗରେ, ଆମେ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ଆଭିମୁଖ୍ୟ ନେଇ ଅନବରତ ସୁଶାସନ ସହିତ ଆଗକୁ ବଢ଼ୁଛୁ । ଏହି ପରିପ୍ରେକ୍ଷୀରେ, ମୋତେ ମହାତ୍ମା ଗାନ୍ଧୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଉକ୍ତି ମନେ ପଡୁଛି । ଗାନ୍ଧୀଜୀ କହିଥିଲେ ଏବଂ ମୁଁ ପୁନରାବୃତ୍ତି କରୁଛି:
‘‘ଭ୍ରଷ୍ଟାଚାର ଏବଂ ଦମ୍ଭ, ଗଣତନ୍ତ୍ରର ଅନିବାର୍ଯ୍ୟ ପରିଣାମ ହେବା ଉଚିତ୍ ନୁହେଁ’’
ଗାନ୍ଧୀଜୀଙ୍କ ଏହି ଆଦର୍ଶକୁ ସାକାର କରିବା ଏବଂ ଭ୍ରଷ୍ଟାଚାରକୁ ସମୂଳ ନଷ୍ଟ କରିବା ଲାଗି ଆମେ ସଂକଳ୍ପ ନେବା ।
ପ୍ରିୟ ଦେଶବାସୀଗଣ,
ଚଳିତ ବର୍ଷ ଆମକୁ ଆତଙ୍କବାଦର ଦଂଶନ ସହିବାକୁ ପଡ଼ିଛି । କାଶ୍ମୀର ବୁଲିବାକୁ ଯାଇଥିବା ନିର୍ଦ୍ଦୋଷ ନାଗରିକଙ୍କୁ ହତ୍ୟା କାପୁରୁଷତାପୂର୍ଣ୍ଣ ଏବଂ ଅତ୍ୟନ୍ତ ଅମାନବୀୟ ଥିଲା । ଭାରତ ସାହସିକ ସଂକଳ୍ପ ସହିତ ଏହାର ଜବାବ ନିର୍ଣ୍ଣାୟକ ଢଙ୍ଗରେ ଦେଇଥିଲା । ଅପରେସନ ସିନ୍ଦୂର ଏହା ପ୍ରମାଣ କରିଥିଲା ଯେ ରାଷ୍ଟ୍ର ସୁରକ୍ଷାର ପ୍ରଶ୍ନ ଉଠିଲେ ଆମ ସେନାବାହିନୀ ଯେକୌଣସି ପ୍ରକାରର ସ୍ଥିତିକୁ ମୁକାବିଲା କରିବା ଲାଗି ସମ୍ପୂର୍ଣ୍ଣ ସକ୍ଷମ ଓ ସିଦ୍ଧ ଅଟେ । ରଣନୀତିକ ସ୍ପଷ୍ଟତା ଏବଂ ବୈଷୟିକ ଦକ୍ଷତା ସହିତ, ଆମର ସେନାବାହିନୀ ସୀମା ଆରପାରିରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଥିଲା । ଅପରେସନ ସିନ୍ଦୂର ଆତଙ୍କବାଦ ବିରୁଦ୍ଧରେ ମାନବତାର ଲଢ଼େଇର ଗୋଟିଏ ଉଦାହରଣ ଭାବରେ ଇତିହାସରେ ଲିଖିତ ହୋଇ ରହିବ ବୋଲି ମୁଁ ବିଶ୍ୱାସ କରେ । ଆମର ଏକତା ଆମ ଜବାବୀ କାର୍ଯ୍ୟାନୁଷ୍ଠାନର ସବୁଠାରୁ ବଡ଼ ବିଶେଷତ୍ୱ ଥିଲା । ଏହି ଏକତା ସେହି ସମସ୍ତ ତତ୍ତ୍ୱଙ୍କ ପାଇଁ ସବୁଠାରୁ ଉପଯୁକ୍ତ ଜବାବ, ଯେଉଁମାନେ ଆମକୁ ବିଭାଜିତ ଦେଖିବାକୁ ଚାହାଁନ୍ତି । ଭାରତର ଦୃଷ୍ଟିକୋଣ ସ୍ପଷ୍ଟ କରିବା ପାଇଁ ବିଭିନ୍ନ ଦେଶକୁ ଯାଇଥିବା ସଂସଦର ବହୁଦଳୀୟ ପ୍ରତିନିଧିମଣ୍ଡଳରେ ମଧ୍ୟ ଏହି ଏକତା ଦେଖାଯାଇଥିଲା । ଆମେ ଆକ୍ରମଣକାରୀ ହେବୁ ନାହିଁ, କିନ୍ତୁ ଆମର ନାଗରିକମାନଙ୍କୁ ସୁରକ୍ଷା ଦେବା ପାଇଁ ଜବାବୀ କାର୍ଯ୍ୟନେୁଷ୍ଠାନ ନେବାକୁ ପଛଘୁଞ୍ଚା ଦେବୁ ନାହିଁ ବୋଲି ଭାରତର ସିଦ୍ଧାନ୍ତକୁ ସାରା ବିଶ୍ୱ ସ୍ୱୀକାର କରିଛି ।
ପାଇଁ ଅପରେସନ ସିନ୍ଦୂର ମଧ୍ୟ ପ୍ରତିରକ୍ଷା କ୍ଷେତ୍ରରେ ‘ଆତ୍ମନିର୍ଭର ଭାରତ ମିଶନ’କୁ ପରୀକ୍ଷା କରିବା ଏକ ସୁଯୋଗ ଥିଲା । ଆମେ ସଠିକ୍ ରାସ୍ତାରେ ଅଛୁ ବୋଲି ଏବେ ପ୍ରମାଣିତ ହୋଇଛି । ଆମର ସ୍ୱଦେଶୀ ଉତ୍ପାଦନ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତରରେ ପହଞ୍ଚିଛି ଯେଉଁଠାରେ ଆମେ ଆମର ଅନେକ ସୁରକ୍ଷା ଆବଶ୍ୟକତା ପୂରଣ କରିବାରେ ଆତ୍ମନିର୍ଭରଶୀଳ ହୋଇଛୁ । ଏହି ସଫଳତାଗୁଡ଼ିକ ସ୍ୱାଧୀନ ଭାରତର ପ୍ରତିରକ୍ଷା ଇତିହାସରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି ।
ପ୍ରିୟ ଦେଶବାସୀଗଣ,
ଏହି ଅବସରରେ, ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ପରିବେଶ ସୁରକ୍ଷା ପାଇଁ ଯଥାସମ୍ଭବ ପ୍ରୟାସ କରିବାକୁ ଅନୁରୋଧ କରିବାକୁ ଚାହୁଁଛି । ଜଳବାୟୁ ପରିବର୍ତ୍ତନର ଆହ୍ୱାନର ସମ୍ମୁଖୀନ ହେବା ପାଇଁ, ଆମକୁ ନିଜ ଭିତରେ ମଧ୍ୟ କିଛି ପରିବର୍ତ୍ତନ ଆଣିବାକୁ ପଡିବ । ଆମକୁ ନିଜ ଅଭ୍ୟାସ ଏବଂ ବିଶ୍ୱଦୃଷ୍ଟିକୋଣରେ ପରିବର୍ତ୍ତନ ଆଣିବାକୁ ପଡିବ। ଆମ ପୃଥିବୀ, ନଦୀ, ପର୍ବତ, ଉଦ୍ଭିଦ ଏବଂ ପ୍ରାଣୀମାନଙ୍କ ସହିତ ଆମର ସମ୍ପର୍କକୁ ମଧ୍ୟ ବଦଳାଇବାକୁ ପଡିବ । ଆମେ ସମସ୍ତେ ନିଜର ଯୋଗଦାନ ବଳରେ ଏପରି ଏକ ପୃଥିବୀ ଛାଡ଼ି ଯିବା ଯେଉଁଠି ଜୀବନ ନିଜର ନୈସର୍ଗିକ ରୂପରେ ପରିପୁଷ୍ଟ ହେଉଥିବ ।
ପ୍ରିୟ ଦେଶବାସୀଗଣ
ଆମ ସୀମାକୁ ସୁରକ୍ଷା ଦେଉଥିବା ସୈନିକ, ପୁଲିସ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳଙ୍କ ଆଡ଼କୁ ମୋର ବିଶେଷ ଧ୍ୟାନ ଯାଉଛି । ମୁଁ ନ୍ୟାୟପାଳିକା ଏବଂ ପ୍ରଶାସନିକ ସେବାର ସଦସ୍ୟମାନଙ୍କୁ ମଧ୍ୟ ମୋର ଶୁଭକାମନା ଜଣାଉଛି । ବିଦେଶରେ ଥିବା ଭାରତୀୟ ଦୂତାବାସରେ କାର୍ଯ୍ୟରତ ଭାରତୀୟ ଅଧିକାରୀ ଏବଂ ପ୍ରବାସୀ ଭାରତୀୟମାନଙ୍କୁ ମଧ୍ୟ ସ୍ୱାଧୀନତା ଦିବସ ଅବସରରେ ମୋ ତରଫରୁ ହାର୍ଦ୍ଦିକ ଶୁଭକାମନା । ମୁଁ ପୁଣିଥରେ, ଆପଣ ସମସ୍ତଙ୍କୁ ସ୍ୱାଧୀନତା ଦିବସର ଅଭିନନ୍ଦନ ଜଣାଉଛି ।
ଧନ୍ୟବାଦ
ଜୟ ହିନ୍ଦ
ଜୟ ଭାରତ

jittmm
Leave A Reply

Your email address will not be published.