ବଲାଙ୍ଗିରଠାରେ ଚାଉଳ ରପ୍ତାନୀ ବିକାଶ ସଂପର୍କିତ କୃଷି ଓ ପ୍ରକ୍ରିୟା ଖାଦ୍ୟ ଉତ୍ପାଦ ରପ୍ତାନି ବିକାଶ ପ୍ରାଧିକରଣର କର୍ମଶାଳା
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର କୃଷି ବିଜ୍ଞାନ କେନ୍ଦ୍ର ସମ୍ମିଳନୀ କକ୍ଷରେ କୃଷି ଓ ପ୍ରକ୍ରିୟା ଖାଦ୍ୟ ଉତ୍ପାଦ ରପ୍ତାନି ବିକାଶ ପ୍ରାଧିକରଣ, କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ତଥା ଅନନ୍ୟ ବଲାଙ୍ଗିର ଆନୁକୂଲ୍ୟରେ ଚାଉଳ ରପ୍ତାନି ବିକାଶ ନିମନ୍ତେ କୃଷି ଉତ୍ପାଦନ ସଂଘ, କୃଷି ଉତ୍ପାଦନ କମ୍ପାନୀ, ଆଗୁଆ ଚାଷୀ, ରପ୍ତାନୀକାରୀ ଏବଂ ମିଲରମାନଙ୍କ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ୫୦ ଜଣ ଚାଷୀ ଭାଗ ନେଇଥିଲେ । କାର୍ଯ୍ୟକ୍ରମରେ କୃଷି ଓ ପ୍ରକ୍ରିୟା ଖାଦ୍ୟ ଉତ୍ପାଦ ରପ୍ତାନି ବିକାଶ ପ୍ରାଧିକରଣର ଆଂଚଳିକ ମୁଖ୍ୟ ସନ୍ଦିପ ଶାହା, କେନ୍ଦ୍ରୀୟ ମାଲଗୋଦାମ ନିଗମ ଅଧିକ୍ଷକ ସିଦ୍ଧ ଶଙ୍କର ଖମାରି, ଧାନ ଗବେଷଣା କେନ୍ଦ୍ରର ଅମରେଶ୍ୱର ମିଶ୍ର, କୃଷି ବିଜ୍ଞାନ କେନ୍ଦ୍ର ବଲାଙ୍ଗିରର ମୁଖ୍ୟ ସତ୍ୟମୟ ଶତପଥୀ, ଉପନିର୍ଦ୍ଦେଶକ ଉଦ୍ୟାନ କୃଷି ବ୍ରଫୁଲ୍ଲ କୁମାର ଭଞ୍ଜ, ନାବାର୍ଡ ଜିଲ୍ଲା ଅଧିକାରୀ ଲକ୍ଷ୍ମଣ କୁମାର ସାଏ ପ୍ରମୁଖ ଉପସ୍ଥିତ ରହି ଚାଉଳ ରପ୍ତାନି ସମ୍ପର୍କିତ ବିଭିନ୍ନ ବୈଷୟିକ ଦିଗ, ଆଧୁନିକ ଜ୍ଞାନ କୌଶଳ, ସଂରକ୍ଷଣ, ପ୍ରକ୍ରିୟାକରଣ, ମୂଲ୍ୟଯୁକ୍ତ ଏବଂ ବଜାର ସଂଯୋଗୀକରଣ ତଥା କୃଷି ଉତ୍ପାଦନ ସଂଘର ଭୂମିକା ଆଦି ବିଷୟରେ ଆଲୋକପାତ କରିଥିଲେ । କୃଷି ଓ ପ୍ରକ୍ରିୟା ଖାଦ୍ୟ ଉତ୍ପାଦ ରପ୍ତାନି ବିକାଶ ପ୍ରାଧିକରଣର ସହକାରୀ ସୀତାକାନ୍ତ ମଣ୍ଡଳଙ୍କ ସଂଯୋଜନାରେ ହୋଇଥିବା ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ କୃଷି ଓ ପ୍ରକ୍ରିୟା ଖାଦ୍ୟ ଉତ୍ପାଦ ରପ୍ତାନି ବିକାଶ ପ୍ରାଧିକରଣର ସଦସ୍ୟ ସୁକାନ୍ତ କୁମାର ପାଣିଗ୍ରାହୀ । ଅଣବାସୁମତି ଚାଉଳର ରପ୍ତାନି ପାଇଁ ସଂଯୁକ୍ତ ସରକାରୀ ଓ ବେସରକାରୀ ସଂସ୍ଥା, କୃଷି ଉତ୍ପାଦନ ସଂଘ, ଆଗୁଆ ଚାଷୀ, ମିଲର ଏବଂ ରପ୍ତାନୀକାରୀ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା ଆବଶ୍ୟକ ବୋଲି ମତାମତ ଦେବା ସହ ପଶ୍ଚିମ ଓଡିଶାକୁ ଗୁରୁତ୍ୱ ଦେଇ ଚାଉଳ ରପ୍ତାନି କରିବା ଦିଗରେ ପ୍ରଚେଷ୍ଟା କରିବାକୁ ଆହ୍ୱାନ ଦେଇଥିଲେ । ଚାଷୀମାନଙ୍କ ଆୟ ବୃଦ୍ଧିରେ ଏହା ଅତ୍ୟନ୍ତ ସହାୟକ ହେବ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଚାଷୀ ମାନେ ସକ୍ରିୟ ଅଂଶଗ୍ରହଣ କରି ବିଭିନ୍ନ ବିଷୟରେ ଅବଗତ କରିଥିଲେ । ଶେଷରେ ଅନନ୍ୟାର ପ୍ରକଳ୍ପ ସଂଯୋଜକ ଅମୂଲ୍ୟ କୁମାରୀ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।