ଶିଶୁ ସାହିତ୍ୟିକ ‌ସ୍ୱର୍ଗତ ରମେଶ ଚନ୍ଦ୍ର ଭଞ୍ଜଙ୍କ ଏକାଅଶୀତମ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିଶୁ ସାହିତ୍ୟ ପତ୍ରିକା ‘ଟିକି କାଇଁଚ’ ଓ ଶିଶୁ ଅନୁଷ୍ଠାନ ‘ଆସର’ର ମିଳିତ ଉଦ୍ୟମରେ ବିଶିଷ୍ଠ ଶିଶୁ ସାହିତ୍ୟିକ ‌ସ୍ୱର୍ଗତ ରମେଶ ଚନ୍ଦ୍ର ଭଞ୍ଜଙ୍କ ଏକାଅଶୀତମ ଜନ୍ମଦିବସ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । କାର୍ୟ୍ୟକ୍ରମ ଆରମ୍ଭରେ ଟିକି କାଇଁଚର ସମ୍ପାଦକ ତଥା ଶିଶୁ ସାହିତ୍ୟିକ ଗୋପୀନାଥ ଦଣ୍ଡସେନା ସ୍ୱାଗତ ଭାଷଣ ତଥା ଆଭିମୁଖ୍ୟ ପ୍ରଦାନ କରିଥିବା ବେଳେ ମୁଖ୍ୟ ସମ୍ପାଦକ ମୀନକେତନ ବାରଲେବଡ଼ିଆ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏଇ ଅବସରରେ ‌ସ୍ୱର୍ଗତ ଭଞ୍ଜଙ୍କ ଜୀବନୀ ଓ ସାହିତ୍ୟି କୃତି ସମ୍ପର୍କରେ ଆଲୋଚନା ହୋଇଥିଲା । ଆଲୋଚନାରେ ଭାଗ ନେଇଥିଲେ ବରିଷ୍ଠ ଶିଶୁ ସାହିତ୍ୟିକ ତଥା ଅଲ୍ ଇଣ୍ଡିଆ ଚିଲଡ୍ରେନସ୍ ଫାଉଣ୍ଡେସନର ସଭାପତି ଡ. ନରେନ୍ଦ୍ର ପ୍ରସାଦ ଦାସ, ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ତଥା ଶିଶୁ ସାହିତ୍ୟିକ ସଂଗ୍ରାମ କେଶରୀ ପୃଷ୍ଟି, ଶିକ୍ଷାଶ୍ରୀ ଶିଶୁ ପାଠାଗାରର ସମ୍ପାଦକ ରମେଶ ଚନ୍ଦ୍ର ଦାଶ ଓ ଶିଶୁ ଅନୁଷ୍ଠାନ ‘ଆସର’ର ସମ୍ପାଦକ ତଥା ଶିଶୁ ସାହିତ୍ୟିକ ପ୍ରଶାନ୍ତ କୁମାର ମଙ୍ଗରାଜ । ସର୍ବ ପ୍ରଥମେ ଏକାଡେମୀ ସଦସ୍ୟ ସଂଗ୍ରାମ କେଶରୀ ପୃଷ୍ଟି ସ୍ୱର୍ଗତ ଭଞ୍ଜଙ୍କ ଶିଶୁ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରି ତାଙ୍କର କାଳଜୟୀ କବିତା ଉପରେ ଆଲୋକପାତ କରିଥିଲେ । ସେହିପରି ଡ. ନରେନ୍ଦ୍ର ପ୍ରସାଦ ଦାସ ରମେଶ ଚନ୍ଦ୍ର ଭଞ୍ଜଙ୍କ ସାହିତ୍ୟ କୃତି ଓ ବଳିଷ୍ଠ ବ୍ୟକ୍ତିତ୍ୱ ସଂପର୍କରେ ବକ୍ତବ୍ୟ ରଖିଥିଲେ । ଆଲୋଚକ ରମେଶ ଚନ୍ଦ୍ର ଦାଶ ଓ ପ୍ରଶାନ୍ତ କୁମାର ମଙ୍ଗରାଜ ତାଙ୍କର ଭୂୟସୀ ପ୍ରଶଂସା କରିଥିଲେ । ରମେଶ ଚନ୍ଦ୍ର ଭଞ୍ଜଙ୍କ ଏକ କବିତା ‘ଡହ ଡହ ଖଇ ଫୁଟା ଖରାବେଳ ଆସିଲା’ ଆବୃତ୍ତି କରିଥିଲେ ଶିଶୁ ସାହିତ୍ୟିକ ଗୋପୀନାଥ ଦଣ୍ଡସେନା । କାର୍ୟ୍ୟକ୍ରମଟିର ଫେସବୁକ୍ ଲାଇଭ୍ ପ୍ରସାରଣ ହେଇଥିଲା ।

Leave A Reply

Your email address will not be published.