ନାରାୟଣୀ ବେଶରେ ଦର୍ଶନ ଦେଲେ ମା’ ରାମଚଣ୍ଡୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ଗଞ୍ଜାମ ବ୍ଲକ କରପଡା ଗ୍ରାମପଞ୍ଚାୟତର ନୀଳାଦ୍ରିପୁର ଗ୍ରାମର ପର୍ବତ ଶୀର୍ଷ ଦେଶରେ ଅବସ୍ଥାନ କରିଥିବା ମା’ ରାମଚଣ୍ଡୀଙ୍କ ପୀଠରେ ପାର୍ବଣ ଉତ୍ସବ ମୁଖର ହୋଇଉଠିଛି ମୂଳାଷ୍ଟମୀ ତିଥିରୁ ଆରମ୍ଭ ହୋଇ ଆସିଥିବା ୧୬ ଦିନ ଧରି ଷୋଡ଼ଶ ଉପଚାରରେ ଦେବୀଙ୍କ ଶାରଦୀୟ ଦୁର୍ଗାପୂଜା ଆସର ମେଳା ବର୍ଣ୍ଣାଢ଼୍ୟ ଉତ୍ସବରେ ପାଳିତ ହୋଇଆସୁଛି । ସମ୍ପୂର୍ଣ୍ଣ ଚଣ୍ଡୀପୁରାଣ ଯଥା ରୀତିନୀତିରେ ମା’ ରାମଚଣ୍ଡୀଙ୍କ ଷୋଡ଼ଶ ଦିନାତ୍ମକ ପୂଜା ମୂଳାଷ୍ଟମୀରୁ ଆରମ୍ଭ ହୋଇଛି । ପ୍ରଥମ ଦିବସରେ ମା’ ଦୁର୍ଗା ବେଶ ଏବଂ ଦ୍ୱିତୀୟ ଦିବସରେ ଦେବୀ ମା’ ନାରାୟଣୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଏହି ପୂଜାରେ ବିପୁଳିଙ୍ଗି ଗ୍ରାମର ଦିବାକର ଦାସ ମୁଖ୍ୟକର୍ତ୍ତା ଓ ବ୍ରହ୍ମପୁରର ଦିବାକର ପଣ୍ଡା ସହକାରୀ କର୍ତ୍ତା ଭାବେ ପୂଜାକାର୍ଯ୍ୟରେ ଯୋଗ ଦେଇଛନ୍ତି । ଏହି ଅବସରରେ କରପଡା ପଞ୍ଚାୟତର ଶତାଧିକ ଶ୍ରଦ୍ଧାଳୁ, ଭକ୍ତ, ମାଆମାନେ ପବିତ୍ର ଋଷିକୂଲ୍ୟା ନଦୀରୁ ଜଳଯାତ୍ରା କରି ଜଳ ଆଣିଥିଲେ । ପରେ ସ୍ଥପତି ପଣ୍ଡିତ ବିଜୟ କୁମାର ତ୍ରିପାଠୀଙ୍କ ପ୍ରତ୍ୟକ୍ଷ୍ୟ ତତ୍ତ୍ଵାବଧାନରେ ପୂଜା ବିଧାନ ଆବାହନ ସଂସ୍ଥାପନ କରାଯାଇଥିବା ବେଳେ ବ୍ରହ୍ମପୁରର ବେଦଧ୍ୟାୟୀ ହରମୋହନ ପଣ୍ଡା, ପଣ୍ଡିତ ନୀଳମଣି ମହାପାତ୍ର, ପଣ୍ଡିତ ଚନ୍ଦ୍ରଭାନୁ କର ଓ ପଣ୍ଡିତ ରାହୁଲ ଦାଶଙ୍କ ଉପସ୍ଥିତିରେ ବେଦପାଠ କରାଯାଇ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା ପ୍ରଚଳିତ ହୋଇ ଆସୁଛି । ସନ୍ଧ୍ୟାରେ ମା’ଙ୍କ ମହାସ୍ନାନ ଅନୁଷ୍ଠିତ ହୋଇଥିଲା । ପରେ ମହାଆରତୀ ଓ ସନ୍ଧ୍ୟାରେ କୁଙ୍କୁମ ପୂଜା ଅନୁଷ୍ଠିତ ହୋଇଥିଲା । ଏଥିରେ ଶତାଧିକ ସଧବା ନାରୀମାନେ ଏହି ପୂଜାରେ ଅଂଶଗ୍ରହଣ କରିଥିଲେ । ପ୍ରତ୍ୟେକ ଦିନ ଏହିପରି କୁଙ୍କୁମ ପୂଜାରେ ଅଭିଷିକ୍ତ କରାଯାଇ ଦେବୀଙ୍କ ପୂଜା ଆରାଧନା କରାଯାଏ । ସେହିପରି ପୂଜା ରୀତିନୀତି ପର୍ଯ୍ୟାୟକ୍ରମେ ଶ୍ରୀଚଣ୍ଡୀପାଠ, ଚଣ୍ଡୀ ହବନ ଇତ୍ୟାଦି ଲାଗି ହୁଏ । ପ୍ରଥମ ଦିବସରେ ରାମାଧୀନ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ମହନ୍ତମହାରାଜ ଶ୍ରୀ ହରିହର ଦାସ, ବ୍ରହ୍ମପୁର ସହରର ଯୁବ ସମାଜସେବୀ ଏ. ସନ୍ତୋଷ ପାତ୍ର ଏବଂ ଅନ୍ୟ ଅତିଥିଗଣ ଯୋଗ ଦେଇଥିଲେ । ଟ୍ରଷ୍ଟି ମଞ୍ଜୁଳା ପଣ୍ଡା, ଲକ୍ଷ୍ମୀନୃସିଂହ ପଣ୍ଡା, ପୂଜା କମିଟି ସଭାପତି ସି.ଏଚ୍‌. ଦୟାନନ୍ଦ ରେଡ୍ଡୀ, ଉପ-ସଭାପତି ଦିବାକର ନାୟକ, ଉପଦେଷ୍ଟା ମହାରାଜ କୃଷ୍ଣ ଚନ୍ଦ୍ର ନାୟକ (ପୁରୀ), ସଂଯୋଜକ କମଳ ପଣ୍ଡା, ତୁଷାର ଶତପଥୀ, ଜ୍ୟୋତିର୍ବିଦ୍‌ ଦୀପକ ଦାଶ, ତ୍ରିନାଥ ନାୟକ, ଗୋବର୍ଦ୍ଧନ ନାୟକ, ସୁଧୀର ମହାରଣା, କୁଞ୍ଜ ନାୟକ (କୋଷାଧ୍ୟକ୍ଷ) ସମସ୍ତ ପୂଜା କମିଟିର କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ସକ୍ରୀୟ ଅଂଶଗ୍ରହଣ କରିଛନ୍ତି ।

Leave A Reply

Your email address will not be published.