ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ସାଲେଭଟାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ଉତ୍ସବ ଗତକାଲି ଉଦ୍ଘାଟିତ ହୋଇଯାଇଛି । ସୋମବାର ସକାଳେ କମିଟିର ସଭ୍ୟସଭ୍ୟାମାନେ ସ୍ଥାନୀୟ ଚଣ୍ଡିମନ୍ଦିରରୁ ଜ୍ୟୋତି ଓ ଆଜ୍ଞାମାଳ ଆଣି ମଞ୍ଚରେ ସ୍ଥାପନ କରିଥିଲେ । ଦିନ ୧୧ଟାରେ ବେଳେ ପୂର୍ବତନ ସାଂସଦ ବାଳଗୋପାଳ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଉଦ୍ଘାଟକ ଭାବରେ ବରେଣ୍ୟ ଅତିଥି ବିଦ୍ୟା ବାଚସ୍ପତି ପଦ୍ମଶ୍ରୀ ଡଃ. ଶ୍ରନୀବାସ ଉଦଗାତା ଯୋଗଦେଇ ଉତ୍ସବକୁ ଉଦ୍ଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓ, ବରିଷ୍ଠ ସାମ୍ବାଦିକ ରବି ଦାସ, ଶିକ୍ଷା ବିକାଶ ସମିତି ଦକ୍ଷିଣ – ପଶ୍ଚିମ ସଂମ୍ଭାଗର ସଭାପତି ବେଲାରସିଂ ଭୋଇ, ଜିଲ୍ଲାପରିଷଦ ସଭ୍ୟା ବୀଣାପାଣି ଦାସ ଓ ମୁଖ୍ୟବକ୍ତା ଭାବରେ ବରିଷ୍ଠ ସାମ୍ମାଦିକ ତଥା ଲେଖକ ରୁବେନ ବାନାର୍ଜି ଯୋଗଦେଇଥିଲେ । ଆୟୋଜକ କମିଟିର ସଭାପତି ଗଙ୍ଗାଧର ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ସଂପାଦକ ସୁଦୀପ କୁମାର ପଣ୍ଡା ଓ ପ୍ରଧାନ ଆଚାର୍ଯ୍ୟ ମହାଦେବ ମେହେର ମଞ୍ଚାସୀନ ଥିଲେ । ଏହି ଅବସରରେ ରୌପ୍ୟ ଜୟନ୍ତିର ସ୍ମରଣୀକା ଅଙ୍ଗପ୍ରଭାକୁ ଅତିଥିଗଣ ଉନ୍ମୋଚନ କରିଥିଲେ । ଏହା ସହିତ ସାଲେଭଟା ଉଚ୍ଚ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ନବୀନକିଶୋର ଗହୀର ଓ ଯୁବନେତା ଆକାଶ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଠିକ ସେହିପରି ସଂଧ୍ୟା କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ଶିକ୍ଷାବିକାଶ ସମିତିର କୋଷାଧ୍ୟକ୍ଷ ଦତ୍ତାନନ୍ଦ ପଣ୍ଡା, ସମ୍ମାନୀତ ଅତିଥି ଭାବରେ ଆଗଲପୁର ବ୍ଲକଅଧ୍ୟକ୍ଷା ଗୀତାଞ୍ଜଳି ଦାସ, ଉପାଧ୍ୟକ୍ଷା ନୀରୂପମା ପଧାନ, ପରିଚାଳନା କମିଟିର ସଂପାଦକ ସୁଦୀପକୁମାର ପଣ୍ଡା ଓ ପ୍ରଧାନ ଆଚାର୍ଯ୍ୟ ମହାଦେବ ମେହେର ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ସଭାପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।