jayashree

ଗଣତନ୍ତ୍ରର ସୁରକ୍ଷା ଓ ସମୃଦ୍ଧ କୋଶଲ ରାଜ୍ୟ ଗଠନ ପାଇଁ ପରିବାରବାଦ ରାଜନୀତିକୁ କବର ଦେବା ନିହାତି ଆବଶ୍ୟକ : ପ୍ରମୋଦ କୁମାର ମିଶ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋଶଲ ଆନ୍ଦୋଳନକୁ ଶାଣିତ କରିବାକୁ ତଥା କୋଶଳାଞ୍ଚଳରେ ବିଶେଷ କରି ଅବିଭକ୍ତ ବଲାଙ୍ଗିର ଜିଲ୍ଲାରେ ପରିବାରବାଦ ରାଜନୀତିକୁ ପ୍ରତିହତ କରିବା ପାଇଁ ବିଶିଷ୍ଟ କୋଶଲବାଦୀ ନେତା ପ୍ରମୋଦ ମିଶ୍ର ବିଭିନ୍ନ ଅଂଚଳକୁ ଗସ୍ତ କରି ସଭା, ସମିତିମାନ କରୁଛନ୍ତି । ଏହି କ୍ରମରେ ଗତକାଲି ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଶ୍ରୀ ମିଶ୍ର ଦେଓଗାଁ ବ୍ଲକର ବନ୍ଧପଡାଠାରେ ଏକ ଯୁବ ସମ୍ମିଳନୀରେ ଯୋଗ ଦେଇଥିଲେ । କୋଶଲ ରାଜ୍ୟ ସମନ୍ୱୟ ସମିତି ଦେଓଗାଁ ବ୍ଲକ କମିଟି ତରଫରୁ ଆୟୋଜିତ ଏହି ଯୁବ ସମ୍ମିଳନୀରେ ଶତାଧିକ ଯୁବ ସଂଗଠକ ଯୋଗଦାନ କରିଥିଲେ । ଉପସ୍ଥିତ ଯୁବ ପ୍ରତିନିଧିମାନଙ୍କୁ ଉଦ୍‌ବୋଧନ ଦେଇ ଶ୍ରୀ ମିଶ୍ର କୋଶଲ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ଯୁବ ପ୍ରତିନିଧିମାନଙ୍କୁ ଆହ୍ୱାନ ଦେଇଥିଲେ । ଏଥି ସହିତ କୋଶଲ ଆନ୍ଦୋଳନ, ଗଣତନ୍ତ୍ର ଓ ଅବିଭକ୍ତ ବଲାଙ୍ଗିର ଜିଲ୍ଲା (ବଲାଙ୍ଗିର – ସୋନପୁର)ର ବିକାଶ ଓ ସମୃଦ୍ଧି ପାଇଁ ପରିବାରବାଦ ରାଜନୀତିକୁ ପ୍ରତିହତ କରିବା ପାଇଁ ଯୁବ ସମାଜକୁ ଆହ୍ୱାନ ଦେଇଥିଲେ । ଗତ ତିରିଶ (୩୦) ବର୍ଷ ମଧ୍ୟରେ ବଲାଙ୍ଗିର ଜିଲ୍ଲା ଓ ବଲାଙ୍ଗିର ଲୋକସଭା ନିର୍ବାଚନ ମଣ୍ଡଳୀର ରାଜନିତୀ କିଛି ନିର୍ଦ୍ଦିଷ୍ଟ ରାଜନୈତିକ ପରିବାର ହାତରେ କେନ୍ଦ୍ରୀଭୁତ ହୋଇ ରହି ଯିବାରୁ ଏ ଅଂଚଳର ବିକାଶ ହୋଇ ପାରୁ ନାହିଁ ବୋଲି ଶ୍ରୀ ମିଶ୍ର ମତ ଦେଇଥିଲେ । ଏଥି ସହିତ ଏ ଅଂଚଳର ସକ୍ଷମ ଓ ସଂଗ୍ରାମୀ ଯୁବ ସମାଜକୁ ରାଜନୈତିକ ନେତୃତ୍ୱ ପ୍ରଦାନ କରିବା ପରିବର୍ତ୍ତେ ନିଜ ପରିବାରର ସଂପତ୍ତି ଓ ପ୍ରତିପତ୍ତିର ସୁରକ୍ଷା ପାଇଁ କିଛି ରାଜନେତା ନିଜ ନିଜର ପୁଅମାନଙ୍କୁ ଧରି ରାଜନୈତିକ ମଇଦାନରେ ବୁଲୁଥିବାରୁ ଶ୍ରୀ ମିଶ୍ର ସେମାନଙ୍କୁ ସମଲୋଚନା କରିଥିଲେ । ଯେଉଁ ରାଜନୈତିକ ଦଳମାନେ ଏ ଅଂଚଳର ବାସ୍ତବିକ ବିକାଶ ଚାହାନ୍ତି, ସେମାନେ ଏ ଭଳି ପରିବାରବାଦୀ ରାଜନୈତିକ ପରିବାରମାନଙ୍କୁ ଛାଡି ସାଧାରଣ ପରିବାରର ଯୁବକମାନଙ୍କୁ ଟିକଟ ଦିଅନ୍ତୁ ବୋଲି ଶ୍ରୀ ମିଶ୍ର ଆହ୍ୱାନ ଦେଇଥିଲେ । ଯେଉଁ ରାଜନେତା କୋଶଲକୁ ବିରୋଧ କରୁଛନ୍ତି କିମ୍ବା କୋଶଲ ପ୍ରସଙ୍ଗକୁ ନେଇ ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କୁ ଆଗାମୀ ନିର୍ବାଚନରେ ପ୍ରତ୍ୟାଖ୍ୟାନ କରିବାକୁ ଶ୍ରୀ ମିଶ୍ର ଆହ୍ୱାନ ଦେଇଥିଲେ । ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍‌ ସଂକିର୍ତ୍ତନ୍ୟ ଦାଶ, ଶ୍ରମିକ ନେତା ରବି ମିଶ୍ର, ରଣରାଜ ସିଂଦେଓ, ଯୁବ ସଂଗଠକ ଡୋଳାମଣି ପ୍ରଧାନ, କୃତିବାସ ଚାନ୍ଦ, ବନ୍ଧପଡା ସରପଂଚ ଗୋପାଳ ମିଶ୍ର ଓ ସମାଜସେବୀ ଜୟଦୀପ ସିଂ ନିନା, ଅମିତ କୁମାର ପଲିତା ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ ।

Leave A Reply

Your email address will not be published.