ଲଜିଷ୍ଟିକ୍ସ ପ୍ରଣାଳୀ ସୁଦୃଢ଼ ହେଲେ ଦେଶର ସୀମା ମଜବୁତ ହେବ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

• ବିକଶିତ ଭାରତ ଗଠନର ଦାୟିତ୍ୱ ନେବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଲେ ପ୍ରତିରକ୍ଷା ମନ୍ତ୍ରୀ
• ଗତ ୧୧ ବର୍ଷ ମଧ୍ୟରେ ଭାରତୀୟ ରେଳରେ ଅଭୂତପୂର୍ବ ଢାଞ୍ଚାଗତ ପରିବର୍ତ୍ତନ ଆସିଛି : ଅଶ୍ୱିନୀ ବୈଷ୍ଣବ
• ଗତି ଶକ୍ତି ବିଶ୍ୱବିଦ୍ୟାଳୟର ତୃତୀୟ ସମାବର୍ତ୍ତନ ଉତ୍ସବରେ ୧୯୪ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଗଲା ଡିଗ୍ରୀ

ନୂଆଦିଲ୍ଲୀ, (ପିଆଇବି) : ଗୁଜରାଟ ଭଦୋଦରାରେ ଆଜି ଗତି ଶକ୍ତି ବିଶ୍ୱବିଦ୍ୟାଳୟର ତୃତୀୟ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଛି । ମୁଖ୍ୟ ଅତିଥି ରୂପେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏଥିରେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ରାଜନାଥ ସିଂହ କହିଥିଲେ, ଭାରତର ଭିତ୍ତିଭୂମି ଏବଂ ଲଜିଷ୍ଟିକ୍ସ କ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ହେଉଛି । ଏହା ଦେଶର ଆର୍ଥିକ ବିକାଶ ପାଇଁ ଏକ ଦୃଢ଼ ମୂଳଦୁଆ ସ୍ଥାପନ କରୁଛି ।
ପ୍ରତିରକ୍ଷା ମନ୍ତ୍ରୀ ଲଜିଷ୍ଟିକ୍ସ କ୍ଷେତ୍ରକୁ ଏକବିଂଶ ଶତାବ୍ଦୀର ଭାରତରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନର କ୍ଷେତ୍ର ଭାବେ ଅଭିହିତ କରିଥିଲେ। ସେ କହିଥିଲେ, ଏହି କ୍ଷେତ୍ରରେ ଯୁବପିଢ଼ିଙ୍କ ପାଇଁ ଅପାର ସୁଯୋଗ ରହିଛି । ଏହା ଏକ ବିକଶିତ ଭାରତ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହି ଅବସରରେ ସେ ବିକଶିତ ଭାରତ ନିର୍ମାଣର ଦାୟିତ୍ୱ ନେବାକୁ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଥିଲେ । ଲଜିଷ୍ଟିକ୍ସର ଗୁରୁତ୍ୱ ବିଷୟରେ ଆଲୋକପାତ କରି ସେ କହିଥିଲେ, ଦେଶରେ ଲଜିଷ୍ଟିକ୍ସ ସେବା ପ୍ରଣାଳୀ ସୁଦୃଢ଼ ହେଲେ, ଆମର ସୀମା ମଜବୁତ ହୋଇପାରିବ । ଦେଶର ଗୋଟିଏ ଭାଗରେ ନିର୍ମିତ ପ୍ରତିରକ୍ଷା ଉତ୍ପାଦ କିମ୍ବା ସୈନିକଙ୍କ ପାଇଁ ଖାଦ୍ୟ ସାମଗ୍ରୀ ସୀମାରେ ଠିକ୍ ସମୟରେ ପହଞ୍ଚାଇପାରିଲେ ଆମର ସୀମାରକ୍ଷୀମାନଙ୍କର ମନୋବଳ ଆହୁରି ଦୃଢ଼ ହୋଇଥାଏ । ସରକାରଙ୍କ ପ୍ରୟାସ ଉପରେ ଆଲୋକପାତ କରି ରାଜନାଥ ସିଂ କହିଥିଲେ, ବହୁମୁଖି ପରିବହନ କେନ୍ଦ୍ର ନିର୍ମାଣ କରିବା ଏବଂ ମିଶନ୍ ମୋଡରେ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବା ଭଳି ପଦକ୍ଷେପ ଫଳରେ ଲଜିଷ୍ଟିକ୍ସ ଖର୍ଚ୍ଚ ଯଥେଷ୍ଟ ହ୍ରାସ ପାଇଛି । ଏହାଦ୍ୱାରା ଡାଟା ଆଧାରିତ ନିଷ୍ପତ୍ତି ଗ୍ରହଣକୁ ପ୍ରୋତ୍ସାହନ ମିଳିପାରୁଛି । ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କେନ୍ଦ୍ର ରେଳମନ୍ତ୍ରୀ ତଥା ଗତି ଶକ୍ତି ବିଶ୍ୱବିଦ୍ୟାଳୟର କୁଳପତି ଅଶ୍ୱିନୀ ବୈଷ୍ଣବ ଗତ ୧୧ ବର୍ଷ ମଧ୍ୟରେ ଭାରତୀୟ ରେଳରେ ହୋଇଥିବା ଯୁଗାନ୍ତାକାରୀ ପରିବର୍ତ୍ତନ ଉପରେ ଆଲୋକପାତ କରିଥିଲେ । ଗତ ଏକ ବର୍ଷ ମଧ୍ୟରେ ରେଳ ନେଟୱର୍କ ୫,୩୦୦ କିଲୋମିଟର ବିସ୍ତାର କରାଯାଇଛି ଏବଂ ସୁଡ଼ଙ୍ଗ ନିର୍ମାଣ ମୋଟ ୩୬୮ କିଲୋମିଟରରେ ପହଞ୍ଚିଛି ବୋଲି ସେ ସୂଚନା ଦେଇଥିଲେ । ସେ କହିଥିଲେ, ଇତିହାସରେ ଅଢ଼େଇ ଶତାବ୍ଦୀକୁ ବାଦ୍ ଦେଲେ ଭାରତ ସର୍ବଦା ବିଶ୍ୱର ଶ୍ରେଷ୍ଠ ଅର୍ଥବ୍ୟବସ୍ଥା ମଧ୍ୟରୁ ଅନ୍ୟତମ ହୋଇଆସିଛି । ଗତି ଶକ୍ତି ବିଶ୍ୱବିଦ୍ୟାଳୟ ଭଳି ଶିକ୍ଷାନୁଷ୍ଠାନ ମାଧ୍ୟମରେ ପ୍ରତ୍ୟେକ କ୍ଷେତ୍ରରେ କେନ୍ଦ୍ରିତ ମାନବ ସମ୍ବଳ ସୃଷ୍ଟି କରି ଭାରତକୁ ପୁଣି ଥରେ ଏକ ଶ୍ରେଷ୍ଠ ଅର୍ଥବ୍ୟବସ୍ଥା କରିବା ଉପରେ ଜୋର ଦିଆଯାଉଛି । ଗତି ଶକ୍ତି ବିଶ୍ୱବିଦ୍ୟାଳୟ ପ୍ରାୟ ୪୦ଟି ଭିନ୍ନ ଭିନ୍ନ ଶିଳ୍ପ ଏବଂ ଶିକ୍ଷାନୁଷ୍ଠାନ ସହିତ ଏମଓୟୁ ସ୍ୱାକ୍ଷର କରିଛି । ଭବିଷ୍ୟତରେ ସାମୁଦ୍ରିକ ଇଞ୍ଜିନିୟରିଂ ଉପରେ କେନ୍ଦ୍ରିତ ଗବେଷଣା ପତ୍ର ପ୍ରସ୍ତୁତ କରିବା ଏବଂ ସାମୁଦ୍ରିକ ଶିଳ୍ପ ସହିତ ଏମଓୟୁ ସ୍ୱାକ୍ଷର କରିବାକୁ ସେ ପରାମର୍ଶ ଦେଇଥିଲେ । ଅଶ୍ୱିନୀ ବୈଷ୍ଣବ ସ୍ନାତକ ଛାତ୍ରଛାତ୍ରୀମାନଙ୍କୁ ଭାରତର ବିକାଶ ଯାତ୍ରାରେ ଯୋଗଦାନ ଦେବାକୁ ପରାମର୍ଶ ଦେଇଥିଲେ । ସେ ଏହି କ୍ଷେତ୍ରରେ ଅଭିନବ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ । କେନ୍ଦ୍ରମନ୍ତ୍ରୀ ଗତି ଶକ୍ତି ବିଶ୍ୱବିଦ୍ୟାଳୟକୁ ‘ବିକାଶର ଇଞ୍ଜିନ’ ଭାବରେ ବର୍ଣ୍ଣନା କରିଥିଲେ ଏବଂ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତର ଦୃଷ୍ଟିକୋଣକୁ ସମର୍ଥନ କରିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଥିଲେ । ସମାବର୍ତ୍ତନ ଉତ୍ସବରେ ବିଭିନ୍ନ ବିଷୟରେ ମୋଟ ୧୯୪ ଜଣ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଗତ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ପ୍ରତ୍ୟେକ ପାଠ୍ୟକ୍ରମରୁ ଜଣେ ଛାତ୍ରଙ୍କୁ ଶିକ୍ଷାଗତ ଉତ୍କର୍ଷତା ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ସେହିପରି ଉତ୍କୃଷ୍ଟ ପ୍ରକଳ୍ପ ଏବଂ ଶ୍ରେଷ୍ଠ ବିଦ୍ୟାର୍ଥୀ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନା କ୍ରମେ ପ୍ରତିଷ୍ଠାନ କରାଯାଇଥିବା ଗତି ଶକ୍ତି ବିଶ୍ୱବିଦ୍ୟାଳୟ ହେଉଛି ଭାରତର ପ୍ରଥମ ବିଶ୍ୱବିଦ୍ୟାଳୟ ଯାହା ପରିବହନ ସମ୍ବନ୍ଧୀୟ ଶିକ୍ଷା, ବହୁ-ବିଷୟକ ଗବେଷଣା ଏବଂ ତାଲିମ ଉପରେ କେନ୍ଦ୍ରିତ । ଏହା ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନର ବ୍ୟାପକ ଉଦ୍ଦେଶ୍ୟ ସହିତ ଗଭୀର ଭାବେ ଯୋଡ଼ି ହୋଇଛି । ଭାରତର ମୌଳିକ ଭିତ୍ତିଭୂମି ଏବଂ ଲଜିଷ୍ଟିକ୍ସ କ୍ଷେତ୍ରରେ ବିପ୍ଳବ ଆଣିବା ଏହାର ଉଦ୍ଦେଶ୍ୟ ।

jittmm
Leave A Reply

Your email address will not be published.