ବିପର୍ଯ୍ୟାୟ ମୁକାବିଲା ଦିଗରେ ଗଞ୍ଜାମ ଜିଲ୍ଲାର କରପଡା ଟିମ୍ ପୁରସ୍କୃତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଜାତୀୟ ପ୍ରାକୃତିକ ବିପର୍ଯ୍ୟାୟ ମୁକାବିଲା ପରିଚାଳନା ଓ ସଚେତନତା ନିମନ୍ତେ ପ୍ରତିଟି ଗ୍ରାମପଞ୍ଚାୟତରେ ସର୍ଚ୍ଚ ଓ ରେସ୍କୁ ଟିମ୍ ଗଠନ କରାଯାଇଛି । ଏହି ଟିମ୍ କେତେ ଦୂର ସକ୍ରିୟ ଭାବେ କାର୍ଯ୍ୟ କରୁଛି । ସେନେଇ ବ୍ଲକ ସ୍ତରରୁ ଜିଲ୍ଲାସ୍ତର ଏବଂ ରାଜ୍ୟସ୍ତରରେ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥାଏ । ଯୋଗ୍ୟ ବିବେଚିତ ଟିମ୍‌କୁ ପରୀକ୍ଷାମୂଳକ ଭାବେ ମନୋନୀତ ହେବା ପରେ ସେହି ଟିମ୍‌କୁ ସରକାରୀ ସ୍ତରରେ ପୁରସ୍କୃତ ଓ ସମ୍ମାନିତ କରାଯାଇଥାଏ । ସେହିପରି ରାଜ୍ୟସ୍ତରୀୟ ବିପର୍ଯ୍ୟାୟ ମୁକାବିଲା ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା ଗ୍ରାମପଞ୍ଚାୟତର କରପଡ଼ା ଗ୍ରାମ ଟିମ୍ ତୃତୀୟ ସ୍ଥାନ ଅଧିକାର କରି ଗଞ୍ଜାମ ଜିଲ୍ଲାର ଏକ ଗୌରବ ଆଣିଥିବା ଜିଲ୍ଲା ପାଇଁ ଏକ ଖୁସିର ବିଷୟ ହୋଇଛି । ଗତ ମାସ ୨୯ ତାରିଖରେ ଆୟୋଜିତ ରାଜଧାନୀ ଭୁବନେଶ୍ଵରସ୍ଥ ରବିନ୍ଦ୍ର ମଣ୍ଡପ ଠାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି । ରାଜ୍ୟସ୍ତରୀୟ ସଭା ମଞ୍ଚରେ ଓଡ଼ିଶାରୁ ତୃତୀୟ ସ୍ଥାନ ଅଧିକାର କରିଥିବା କରପଡ଼ା ଗ୍ରାମର ସର୍ଚ୍ଚ ଓ ରେସ୍କୁ ଟିମ୍‌ଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମାନପତ୍ର ସହ ଉପଢ଼ୌକନ ଓ ପଦକରେ ସମ୍ମାନିତ ହୋଇଛନ୍ତି । ସେହିପରି ଉକ୍ତ କରପଡ଼ା ଗ୍ରାମର ସର୍ଚ୍ଚ ଓ ରେସ୍କୁ ଟିମ୍‌ଙ୍କୁ ମଙ୍ଗଳବାର ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଉଛି । ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ ଉକ୍ତ ଟିମ୍‌ର ସମସ୍ତଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । କରପଡା ଗ୍ରାମପଞ୍ଚାୟତ ଅଧିନସ୍ଥ କରପଡା ଗ୍ରାମର ସର୍ଚ୍ଚ ଏବଂ ରେସ୍କୁ ଟିମ୍ ପ୍ରତିଯୋଗିତାରେ ଟିମ୍ ସମ୍ପାଦକ ରାମ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ କରପଡା ଗ୍ରାମର ରୁଦ୍ର ନାୟକ, ମୋହନ ନାୟକ, ବିଶ୍ୱଜିତ ନାୟକ, ଶଙ୍କର ନାୟକ, ମୀନାକ୍ଷୀ ନାୟକ, ଶ୍ରଦ୍ଧାଞ୍ଜଳି ଚୌଧୁରୀ, ଲିଶା ରାଉଳ ଓ ରୀତୁନ ମହାପାତ୍ର ପ୍ରମୁଖ ଏଥିରେ ଅଂଶଗ୍ରହଣ କରି ତୃତୀୟ ସ୍ଥାନ ପାଇ ସମାଜରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ଏହା ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ ତରଫରୁ କରପଡ଼ା ଗ୍ରାମ ପଞ୍ଚାୟତ ପାଇଁ ପ୍ରତିନିଧିତ୍ଵ କରି ବିଭିନ୍ନ ମହଲରେ ଭୂୟସୀ ପ୍ରଶଂସାର ବାର୍ତ୍ତା ବହନ କରି ଆସିଛନ୍ତି । ଯେତେବେଳେ ବନ୍ୟା, ବାତ୍ୟା ପରି ଆକସ୍ମିକ ଦୁର୍ବିପାକ ଆସେ ସେପରି ପ୍ରତିକୂଳ ପରିସ୍ଥିତିରେ ଏହି ଟିମ୍ ନିଜ ଦକ୍ଷତା ଓ କୌଶଳ ବଳରେ ଅସହାୟ ଜନତାଙ୍କ ପାଖରେ ପହଞ୍ଚି ସେବା ଯୋଗେଇ ଆସିଥାନ୍ତି ।

Leave A Reply

Your email address will not be published.