ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣ ଭାରତରେ ପ୍ରସିଦ୍ଧ ବୋମୁଲୁ-ଗୋଲୁ ପୂଜା ଏକ ନିଆରା ପରମ୍ପରା । ଏହା ଏକ ଦାକ୍ଷିଣାତ୍ୟା ସଂସ୍କୃତି ସମ୍ପନ୍ନ ପ୍ରାଚୀନ କାଳରୁ ଆଧୁନିକ ସମୟରେ ମଧ୍ୟ ବେଶ୍ ପ୍ରଚଳିତ ହୋଇଆସିଅଛି । ଏହି ପୂଜା ନବରାତ୍ର ପୂଜା ଅବସରରେ ବିଜୟା ଦଶମୀ ପର୍ଯ୍ୟନ୍ତ ଦକ୍ଷିଣ ଭାରତର ପ୍ରତିଟି ଘରେ ଘରେ ପ୍ରତ୍ୟେକ ଧନୀ, ସମ୍ଭ୍ରାନ୍ତ ଶ୍ରେଣୀର ଲୋକେ ପାଳନ କରିଆସୁଛନ୍ତି । ତାମିଲିନାଡୁ, କର୍ଣ୍ଣାଟକ, କେରଳ, ତେଲାଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ଆନ୍ଧ୍ର-ପ୍ରଭାବିତ ଅଞ୍ଚଳ ବ୍ରହ୍ମପୁର ସହରରେ ମଧ୍ୟ ଏହି ପରମ୍ପରା ବହୁ ପୂର୍ବରୁ ପ୍ରଚଳିତ ହୋଇ ଆସିଥିବା ଜଣାଯାଏ । ପଡ଼ୋଶୀ ଆନ୍ଧ୍ର ପ୍ରଦେଶର ଇଚ୍ଛାପୁର ସହରରେ ଏବେ ବି ପ୍ରଚଳିତ ହୋଇଆସିଥିବା ବେଳେ ଏହା ସୀମାନ୍ତ ଓଡ଼ିଶା ର ବ୍ରହ୍ମପୁର, ଛତ୍ରପୁର, ଗଞ୍ଜାମ ସହର ଏବଂ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହରରେ ପ୍ରଭାବିତ କ୍ରମେ ପ୍ରଚଳିତ ହୋଇ ଆସିଥିବା ଜଣାଯାଏ । ଆଧୂନିକ ଯୁଗର ବ୍ୟସ୍ତ ବହୁଳ ଜୀବନ ଭିତ୍ତିରେ ସ୍ମାର୍ଟ ଡିଜିଟାଲ ଯୁଗରେ ଏହି ପୂଜାର ପ୍ରଚଳନ ଏକପ୍ରକାର ସୁପ୍ତ ହେବାରେ ଦେଖାଦେଇଛି । ତେଲୁଗୁ ବୈଶ୍ୟ, କମା, ତେଲୁଗୁ ବ୍ରାହ୍ମ-ସମାଜ, ତେଲୁଗୁ କ୍ଷତ୍ରୀୟ ପରିବାର, ଦାକ୍ଷିଣାତ୍ୟର ଜମିଦାରୀ ଓ ରାଜପରିବାର ଲୋକଙ୍କ ଘରେ ଘରେ ଏବେ ବି ଏହି ପୂଜା ପ୍ରଚଳିତ ହୋଇଆସିଛି । ଏବେ ବି କୋଉଠି ନା କୋଉଠି ଏହି ପୂଜାର ମହନୀୟ ପରମ୍ପରା ଉତ୍ସାହୀ ଚିନ୍ତାଶୀଳ ବ୍ୟକ୍ତିଙ୍କ / ବନ୍ଧୁଙ୍କ ଘରେ ଦେଖିବାକୁ ମିଳେ । ସୂଚନା ଯୋଗ୍ୟ ଯେ’ ଗଞ୍ଜାମ ସହରର ଜଣେ ଖ୍ୟାତାନାମା ବ୍ୟବସାୟିକ ଫଟୋ ଗ୍ରାଫେର ପି. କ୍ରିଷ୍ଣା ନାଇଡୁ ଓ ତାଙ୍କ ସହଧର୍ମିଣୀ ପି. ଶଶୀ କଳାଙ୍କ ସହଯୋଗରେ ଏହା ପ୍ରାୟତଃ ଦୀର୍ଘ ୧୦ ବର୍ଷ ଧରି ତାଙ୍କ ଘରେ ଅୟୋଜନ କରି ଆସୁଛନ୍ତି । ଏହି ପୂଜାର୍ଚ୍ଚନା କେବଳ ସାଧାସିଧା ଭାବେ ପୂଜା କରାଯାଇଥାଏ । ଦୁଇବେଳା ଆରତୀ ଏବଂ ମିଷ୍ଟାନ୍ନ ଭୋଗ କରି ଏହି ତେତିଶୀ କୋଟି ଦେବା ଦେବୀ ଙ୍କ ପୂଜା ଆରାଧନା କରିଥାଆନ୍ତି । ଗଞ୍ଜାମ ସହରର ଏହି ଦମ୍ପତି ଏହି ଦାକ୍ଷିଣାତ୍ୟା ସଂସ୍କୃତି ସମ୍ପନ୍ନ ପ୍ରାଚୀନ ପରମ୍ପରା ବଜାୟ ରଖି ଜନ ସଚେତନତା ସୃଷ୍ଟି କରି ଆସିଛନ୍ତି । ଘରେ ସାଜସଜ୍ଜା ଉପକରଣ ସହ ଗଣେଶ, ଲକ୍ଷ୍ମୀ, ସରସ୍ୱତୀ, କାଳୀ, ଦୁର୍ଗା, ଦୁର୍ଗାଙ୍କ ବିଭିନ୍ନ ରୂପ, ଭଗବାନ ଶ୍ରୀକୃଷ୍ଣ, ଶ୍ରୀରାମ, ଜଗନ୍ନାଥ, ବିଷ୍ଣୁଙ୍କ ବହୁରୂପ, ଦେବୀ ଦଶଭୂଜାଙ୍କ ବହୁରୂପୀ, ହନୁମାନ, ସୁଗ୍ରୀବ, ଗରୁଡ଼ ପକ୍ଷୀରାଜ ଆଦି ଛୋଟ ଛୋଟ ଦେବାଦେବୀଙ୍କ କଣ୍ଢେଇ, ଖେଳନା ଗୁଡିକ ସାଇତି ରଖିଥାନ୍ତି । ବର୍ଷକୁ ଥରେ ନବରାତ୍ର ପୂଜା ବେଳକୁ ସେଗୁଡିକ ବାହାର କରି ଘରେ ମିନି- ମେଢ଼ ସଦୃଶ ସଜାଡି ସାର୍ବଜନୀନ ଭାବେ ପ୍ରଦର୍ଶିତ କରିଥାନ୍ତି । ଘରକୁ ଅତିଥୀ, ବନ୍ଧୁ ପରିଜନ, ଜ୍ଞାତି କୁଟୁମ୍ବ, ପିଲାମାନଙ୍କର ସାଙ୍ଗସାଥୀ, ବନ୍ଧୁବର୍ଗ ଆସନ୍ତି । ଘରର ଏହି ଚିତାକର୍ଷକ ବୋମୁଲୁ ଗୋଲୁ ସୁସଜ୍ଜିତ ପରିସରରେ ଚିତାକର୍ଷକ ଚିତା, ଝୋଟି ଦେଇ ପୂଜାର୍ଚ୍ଚନା କରି ତେତିଶୀ କୋଟି ଦେବତାଙ୍କୁ ଆରାଧନା କରିଥାନ୍ତି । ବୋମୁଲୁ-ଗୋଲୁ ସ୍ୱରୂପ ପୂଜା ଆସରରେ ସାଜସଜ୍ଜା ବାସ୍ତବିକ କୁନି କୁନି ଶିଶୁମାନଙ୍କ ମନରେ ଭକ୍ତିଭାବନାର ଚେତନା ଆଣିଥାଏ । ଏହା ପିଲାମାନଙ୍କର ଅବା କୁନି-ରାଇଜକୁ ମନମୁଗ୍ଧ କରିବା ସହ ଆଧ୍ୟାତ୍ମିକ ଜ୍ଞାନ, ଈଶ୍ୱର ଚିନ୍ତନ ଓ ଭକ୍ତିବାଦର ଚେତନା ଆଣିଦେଇଥାଏ । ଏହି ବୋମୁଲୁ ଗୋଲୁ ପୂଜା ସାଜସଜ୍ଜାରେ ଲଙ୍କା କାଣ୍ଡ, ରାମାୟଣ, ମହାଭାରତ, ପ୍ରାଚୀନ ଯୁଗର ବିବାହ ଶୋଭାଯାତ୍ରା ଆଦି ସାଇତି ରଖିଥିବା ମାଟି କଣ୍ଢେଇ ଗୁଡିକର ପିଲାଖେଳ ପ୍ରଦର୍ଶିତ ହୋଇଥାଏ । ସର୍ବୋପରି ଏହି ବୋମୁଲୁ-ଗୋଲୁ ପୂଜା ବିଶେଷ କରି ପିଲାମାନଙ୍କ ବେଶ ଖୁସିମନାଇ ଦେଇଥାଏ । ଏହି ଅବସରରେ ଘରକୁ ଆସିଥିବା ଜ୍ଞାତି କୁଟୁମ୍ବ, ବନ୍ଧୁ-ପରିଜନଙ୍କୁ ମଧ୍ୟରେ ଖୁସିର ଲହରୀ ଖେଳାଇ ଦେଇଥାଏ ।