- ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ଗଣମାଧ୍ୟମ ଏବଂ ପ୍ରଶାସନ ମଧ୍ୟରେ ସମନ୍ଵୟ ଅତ୍ୟନ୍ତ ଜରୁରୀ : ଜିଲ୍ଲାପାଳ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ଭବନ ଠାରେ ଜିଲ୍ଲା ପ୍ରଶାସନ ଓ ସାମ୍ବାଦିକ ସଂଘର ମିଳିତ ଆନୁକୂଲ୍ୟରେ ଆଜି ପୂର୍ବାହ୍ନରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିୱାଜୀ ଇସଲୱାର, ମୁଖ୍ୟବକ୍ତା ଭାବେ ଡକ୍ଟର ପ୍ରେମଚାନ୍ଦ ମହାନ୍ତି ଓ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ସାହୁ, ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଶିବ ପ୍ରସାଦ ପରିଡ଼ା ଏବଂ ସାଧାରଣ ସମ୍ପାଦକ ଶିଶିରକାନ୍ତ ଶତପଥି ଯୋଗ ଦେଇଥିଲେ । ଏହି ଅବସରରେ ଗଣମାଧ୍ୟମର ପରିବର୍ତ୍ତିତ ସ୍ୱରୁପ ସମ୍ପର୍କରେ ଆଲୋଚନା କରାଯାଇଥିଲା । ମଞ୍ଞ୍ଚାସୀନ ଅତିଥି ମାନେ କହିଥିଲେ ଯେ ସମସ୍ତ ସ୍ତରରେ ଗଣମାଧ୍ୟମର ଭୂମିକା ବଢିଛି । ଗଣମାଧ୍ୟମ ହେଉଛି ସମାଜର ଦର୍ପଣ, ସମାଜରେ ଘଟୁଥିବା ପ୍ରତ୍ୟେକ ନୀତି-ଅନୀତି, ଉନ୍ନତି-ଅବନତି ଏବଂ ବିଭିନ୍ନ ବିଷୟ ଉପରେ ଦେଖାଯାଉଥିବା ମତ ଓ ଭିନ୍ନମତକୁ ଲୋକଲୋଚନକୁ ଆଣିବା ହେଉଛି ଗଣମାଧ୍ୟମର ଦାୟିତ୍ୱ । ଏହି ଦାୟିତ୍ୱକୁ ଯେଉଁ ଗଣମାଧ୍ୟମ ସଠିକ୍ ଭାବେ ତୁଳାଇ ଜନସମାଜର ବିକାଶ ସହିତ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରନ୍ତି, ସେମାନେ ବାସ୍ତବରେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ । ବିଷୟବସ୍ତୁ “ଗଣମାଧ୍ୟମର ପରିବର୍ତ୍ତିତ ସ୍ୱରୁପ” ସାମ୍ପ୍ରତିକ ନୂତନ ଡିଜିଟାଲ୍/ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯୁଗରେ ବିଭିନ୍ନ ଡିଜିଟାଲ ଉପକରଣର ବ୍ୟବହାର କରି ସୂଚନାକୁ ଯଥାଶୀଘ୍ର ଲୋକଙ୍କୁ ପରିବେଷଣ କରିବା ସହ ସାମ୍ବାଦିକତାର ବିକାଶ ଉପରେ ଆଲୋକପାତ କରାଯାଇଥିଲା । ବିଭିନ୍ନ ପରିବର୍ତ୍ତନ ଗୁଡିକ ସତ୍ତ୍ୱେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ହୋଇ ସଠିକ ତଥ୍ୟ ଲୋକଲୋଚନକୁ ଆଣିବା ସହ ଜନସାଧାରଣଙ୍କ ଆଗରେ ସତ୍ୟତା ପ୍ରତିପାଦନ କରିବା ହେଉଛି ସାମ୍ବାଦିକତାର ମୂଳମନ୍ତ୍ର । ତେଣୁ ପାଇଁ ସମସ୍ତ ଗଣମାଧ୍ୟମ ପ୍ରତିନିଧି ସାମ୍ବାଦିକତାର ମୂଳମନ୍ତ୍ରକୁ ପାଥେୟ କରି କାମ କରିବା ସହ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରଶାସନ ସହିତ ସମନ୍ଵୟ ଉଭୟଙ୍କ ପାଇଁ ନିହାତି ଜରୁରୀ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ସାମ୍ବାଦିକ ସଂଘର ସାଧାରଣ ସଂପାଦକ ଶିଶିରକାନ୍ତ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସାମ୍ବାଦିକ ସନ୍ଦୀପ କୁମାର କୁଅଁର ସଂଯୋଜନା କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ଆନନ୍ଦ ଚନ୍ଦ୍ର ସାହୁ, ବିରେନ୍ଦ୍ର ଝାଙ୍କର ଓ ପୂର୍ଣ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ଆଲୋଚ୍ୟ ବିଷୟ ଉପରେ ମତ ରଖିଥିଲେ । ପରିବର୍ତ୍ତିତ ସ୍ୱରୂପରେ ମଧ୍ୟ ଗଣମାଧ୍ୟମର ସ୍ୱକୀୟତା ଅକ୍ଷୁର୍ଣ୍ଣ ରହିବ ବୋଲି ସଭାରେ ମତ ପ୍ରକାଶ ପାଇଥିଲା । ଏହି ଉତ୍ସବରେ ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକମାନେ ଉପସ୍ଥିତ ଥିଲେ ।