ଥାନା ଭିତରେ ପ୍ରେମିକାଙ୍କ ପାଇଁ ପ୍ରେମିକଙ୍କ ଆତ୍ମହତ୍ୟା ଉଦ୍ୟମ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନାରେ ମଙ୍ଗଳବାର ପ୍ରାୟ ଦିନ ୨ଟା ସମୟରେ ଜଣେ ପ୍ରେମିକ ପ୍ରେମିକା ପାଇଁ ଥାନା ପରିସରରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ନିଜ ଉପରେ ପେଟ୍ରୋଲ ଢାଳି ଦିଆସିଲି ଲଗେଇବା ସମୟରେ କାର୍ଯ୍ୟରତ ଜଣେ ଏଏସଆଇ ତାଙ୍କ ଠାରୁ ଦିଆସିଲି ଛଡେଇ ନେଇ ଉଦ୍ଧାର କରିଥିଲେ । ସୂଚନା ଅନୁସାରେ ପ୍ରେମିକ ଜଣକ କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଚଟୁଅନକା ଗ୍ରାମର ରିଙ୍କୁ ବାରିକ । ସେ ତୁରେକେଲା ଥାନା ଅନ୍ତର୍ଗତ ବଡବାଙ୍କି ଗ୍ରାମର ଜଣେ ଯୁବତୀଙ୍କୁ ଗତ ୩ ବର୍ଷରୁ ଅଧିକ ହେବ ପ୍ରେମ ବିବାହ କରିଥିଲେ । କିନ୍ତୁ ସେତେବେଳେ ଯୁବତୀ ଜଣକ ନାବାଳିକା ଥିବା କାରଣରୁ ପରିବାରର ଏତଲା ଆଧାରରେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ପରେ ଯୁବକ ଜଣକ ଜେଲ୍‌ରୁ ଫେରିବା ପରେ ପ୍ରାୟ ୨ ବର୍ଷ ହେବ ତାଙ୍କ ଚଟୁଅନକା ସ୍ଥିତ ବାସଭବନରେ ପ୍ରେମିକା ସହ ରହୁଥିଲେ । କିନ୍ତୁ ରିଙ୍କୁଙ୍କ କହିବା ଅନୁସାରେ ଗତ କିଛି ଦିନ ତଳେ ଭବାନୀପାଟଣା ପୋଲିସ କୌଣସି ଅଭିଯୋଗରେ ତାଙ୍କୁ ଗିରଫ କରିଥିଲା । ସେହି ସମୟରେ ପ୍ରେମିକାଙ୍କୁ ତାଙ୍କ ମାଆଙ୍କ ଜିମାରେ ଦେଇ ଜେଲ୍‌ ଯାଇଥିଲେ । ରିଙ୍କୁ ଜେଲରୁ ଫେରିବା ପରେ ପ୍ରେମିକାଙ୍କ ମାଁ ତାଙ୍କୁ ରିଙ୍କୁ ସହ ଛାଡ଼ିବା ପାଇଁ ମନା କରିଥିଲେ । ରିଙ୍କୁଙ୍କ କହିବା ମୁତାବକ ଯୁବତୀ ଜଣକ ରିଙ୍କୁଙ୍କୁ ବାରମ୍ବାର ଫୋନ ଏବଂ ମେସେଜ କରି ତାଙ୍କ ଜୀବନ ପ୍ରତି ବିପଦ ଥିବା କହିବା ସହ ତାଙ୍କୁ ଶୀଘ୍ର ଉଦ୍ଧାର କରିବା ପାଇଁ ନିବେଦନ କରିଛନ୍ତି । ଏ ନେଇ ରିଙ୍କୁ ତୁରେକେଲା ପୋଲିସର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ପୋଲିସ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ସେ ବାଧ୍ୟ ହୋଇ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି । ତାଙ୍କ ମୃତ୍ୟୁ ପାଇଁ ତୁରେକେଲା ପୋଲିସ ଦାୟୀ ରହିବେ ବୋଲି ରିଙ୍କୁ ଥାନା ଭିତରେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.

error: Content is protected !!