ପ୍ରଶାସନର ପ୍ରତିଶ୍ରୁତି ପରେ ଛତାପିପଲ ଗାଁରେ ଥମିଛି ଉତ୍ତେଜନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଛତାପିପଲ ଗାଁ ପୋଖରୀରୁ ଜଣେ ବ୍ୟକ୍ତିଙ୍କ ଶବ ଉଦ୍ଧାର ଘଟଣା ଯୋଗୁଁ ଆଜି ଉତ୍ତେଜନା ଦେଖା ଦେଇଥିବା ବେଳେ ଘଟଣାସ୍ଥଳରେ ପୁଇଁତଲା ତହସିଲ୍‌ଦାର୍‌ ସରୋଜ କୁମାର ପୃଷେଠ ଓ ବଲାଙ୍ଗିର ଏସ୍‌ଡ଼ିପିଓ ତୋଫାନ ବାଗ ପହଂଚି ଲୋକଙ୍କୁ ବୁଝାସୁଝା କରିବା ସହ ଯଦି ସରକାରୀ ଜାଗାରେ ରୁକୁଙ୍କ ଘର ରହିଛି, ତେବେ ତାହା ଶୀଘ୍ର ଉଚ୍ଛେଦ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସ୍ଥିତି ଆୟତ୍ତାଧୀନ ରହିଥିବା ଜଣାପଡ଼ିଛି । ଅଗ୍ନିଶମ ବିଭାଗ ଶବ ଉଦ୍ଧାର ପାଇଁ ପହଂଚିଥିବା ବେଳେ ଗ୍ରାମବାସୀ ଜିଲ୍ଲାପାଳ ନ ଆସିବା ଯାଏଁ ତଥା ମଦ ବିକୁଥିବା ବ୍ୟକ୍ତିଙ୍କ ଘର ଭଂଗା ନହେବା ପର୍ଯ୍ୟନ୍ତ ଶବ ଉଦ୍ଧାର କରିବାକୁ ଦିଆଯିବ ନାହିିଁ ବୋଲି ଅଡ଼ି ବସିଥିଲେ । ସୂଚନା ଅନୁସାରେ ଗାଁର କାଲୁ ଦୀପ(୬୦) ଗତ ୧୧ ତାରିଖରୁ ନିଖୋଜ ଥିବାବେଳେ ପରିବାର ଲୋକେ ସେ ନିଖୋଜ ହୋଇଥିବା ନେଇ ପୁଇଁତଲା ଥାନାରେ ଲିଖିତ ଭାବେ ଜଣାଇଥିଲେ । ଅନ୍ୟପକ୍ଷରେ କାଲୁଙ୍କ ଶବ ପୋଖରୀରେ ଭାସୁଥିବା ଦେଖିଥିଲେ ଗାଁ ଲୋକେ । ଏହା ପରେ ପୋଖରୀ ହିଡ଼ରେ ଲୋକଙ୍କ ଭିଡ ବଢ଼ିବାରେ ଲାଗିଥିଲା । ପୋଖରୀ ପାଖରେ ରହିଥିବା କୁଚିଆ ମଦ ବିକ୍ରି କରୁଥିବା ରୁକୁଙ୍କ ଘର ଭଂଗାଯିବା ଓ ତାଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ ଗ୍ରାମବାସୀ । ୧୧ ତାରିଖ ଦିନ କାଲୁ ଗାଁର ଅନ୍ୟ କିଛି ଲୋକଙ୍କ ସହିତ ପୋଖରୀ ହିଡରେ ଜୁଆ ଖେଳୁଥିଲେ ଓ ତାପରେ ନିଖୋଜ ହୋଇଯାଇଥିଲେ । ତେଣୁ ତାଙ୍କ ସହ ଜୁଆ ଖେଳୁଥିବା ଲୋକମାନେ କାଲୁଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇଥିବା ଅଭିଯୋଗ କରୁଛନ୍ତି ଗାଁ ଲୋକେ । କେବଳ ଏତିକି ନୁହେଁ, ସରକାରୀ ଜାଗାରେ ପୋଖରୀ ପାଖରେ ଥିବା ରୁକୁଙ୍କ ଘରେ ଜୁଆ, ସଟ୍ଟା, ମଦର ଆଡ୍ଡା ଜମୁଥିବା ଯୋଗୁଁ ତୁରନ୍ତ ରୁକୁଙ୍କ ଘର ଭଂଗାଯିବାକୁ ଗ୍ରାମବାସୀ ଦାବୀ କରିଥିଲେ । ଉତ୍ତେଜିତ ଲୋକେ ମଦ ବିକ୍ରି ହେଉଥିବା ଘର ଆଖପାଖରେ ରହିଥିବା କୁଡିଆ ଘର ଗୁଡିକୁ ନିଆଁ ଲଗାଇ ଜାଳି ଦେଇଥିବା ଦେଖିବାକୁ ମିଳିଛି । ଉତ୍ତେଜନା ଥମିବା ପରେ ଅଗ୍ନିଶମ ବିଭାଗ ଶବ ଉଦ୍ଧାର କରିଥିବା ବେଳେ ପୋଷ୍ଟମର୍ଟମ୍‌ ପାଇଁ ଶବକୁ ଭୀମଭୋଇ ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲ୍‌କୁ ପଠାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.