ମାହେଶ୍ୱରୀ ସଂଗଠନର ନିଆରା ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ଅନୁଷ୍ଠାନ ମାହେଶ୍ୱରୀ ସଂଗଠନ ଆଜି ସ୍ଥାନୀୟ ସାମ୍ବାଦିକ ଭବନଠାରେ ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । କୋଶଲାଞ୍ଚଳର ଲୁପ୍ତ ପ୍ରାୟ ବେଶଭୁଷା ଆୟ ଅଳଙ୍କାର ବୃତ୍ତି ବ୍ୟବସାୟକୁ ଲୋକଲୋଚନକୁ ଆଣିବା ପାଇଁ ଏକ ପ୍ରତିଯୋଗିତା କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହୋଇଥିଲା । କୋଶଲି ପିିନ୍ଧନ ନାମରେ ହୋଇଥିବା ଏହି କାର୍ଯ୍ୟକ୍ରମକୁ କଳାକାର, ଦର୍ଶକ, ସଂସ୍କୃତି ପ୍ରେମୀ ତଥା ଗବେଷକଙ୍କ ମଧ୍ୟରେ ଏକ ବିଶେଷ ଆଗ୍ରହ ସୃଷ୍ଟି କରିଥିବା ଦେଖାଦେଇଥିଲା । ଜିଲ୍ଲାର ଅନେକ କଲେଜ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଏକ ନୂଆ ଅନୁଭୂତି ପାଇ ପାରିଥିଲେ । ଚଳିତ ବର୍ଷ ଶ୍ରୀକୋଶଲି ଭାବେ ଭୁବନେଶ୍ୱର ପ୍ରଧାନ ତଥା ସୁଶ୍ରୀ କୋଶଲି ଭାବେ ସୀମା ମଲ୍ଲିକ ବିବେଚିତ ହୋଇଥିଲେ । ବିଚାରକ ଭାବେ ହରେକୃଷ୍ଣ ସାହୁ, ଯାଜ୍ଞସେନୀ ମହାପାତ୍ର ତଥା ସସ୍ମିତା ସାହୁ ଦାୟିତ୍ୱ ତୁଳାଇଥିଲେ । ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ କୋଶଲି ଲୋକ ସଂସ୍କୃତି ଗବେଷକ ଗୁରୁଶ୍ରୀ ଘାସିରାମ ମିଶ୍ର, ରସରାଜ ଅଚ୍ୟୁତ ପୁରୋହିତ, ବରିଷ୍ଠ ସାମ୍ବାଦିକ ଗୋପାଳ ପଧାନ, ବରିଷ୍ଠ ଲୋକ କଳାକାର ବାସୁଦେବ ସା ପ୍ରମୁଖ ଉପସ୍ଥିତ ଥିଲେ । ସକାଳୁ ହୋଇଥିବା (ରିପୋଟିଂ) ପ୍ରତିଯୋଗିତାରେ ଅହିଂସା ଜୈନ ପ୍ରଥମ ହୋଇଥିବା ବେଳେ ଦ୍ୱିତୀୟରେ ତୃପ୍ତିମୟୀ ମହାପାତ୍ର ଏବଂ ତୃୃତୀୟ ସ୍ଥାନରେ ଆଶୁତୋଷ ପଧାନ ରହିଥିଲେ । ଏଥିରେ ବିଚାରକ ଦାୟିତ୍ୱରେ ଥିଲେ ବରିଷ୍ଠ ସାମ୍ବାଦିକ ବିରେନ୍ଦ୍ର ଝାଙ୍କର, ଚନ୍ଦ୍ରଭାନୁ ମୋଲନା ଏବଂ ଜ୍ୟୋସ୍ନାରାଣୀ ଦାଶ । ଓଟିଭି ପଶ୍ଚିମ ଓଡିଶା ମୁଖ୍ୟ ମନୋରଞ୍ଜନ ଯୋଷୀ ପର୍ଯ୍ୟବେକ୍ଷକ ଭାବେ ରହି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ଏକ ନୃତ୍ୟ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ତନୁପ୍ରିୟା ଯାଦବ ବିଜୟୀ ଘୋଷିତ ହୋଇଥିଲେ । ଦ୍ୱିତୀୟରେ ପ୍ରିୟଂସା ସାହୁ ଓ ତୃତୀୟରେ ହର ଜେକସନ ରହିଥିଲେ । ଦଳୀୟ ନୃତ୍ୟରେ ଅପୁ ଏବଂ ଆକାଶ ପ୍ରଥମ ତଥା ସରକାରୀ ଆଇଟିଆଇ ଛାତ୍ରବୃନ୍ଦ ଦ୍ୱିତୀୟରେ ରହିଥିଲେ । ଏଥିରେ ବିଚାରକ ଭାବେ ବିଶ୍ୱଜିତ ଦାଶ, ଜୟ ପଟ୍ଟନାୟକ ଏବଂ ସୁଚରିତା ମିଶ୍ର ରହିଥିଲେ । ଦିନ ତମାନ ଅନେକ ଦର୍ଶକ ଉପସ୍ଥିତ ରହି ଏଭଳି ଏକ କାର୍ଯ୍ୟକ୍ରମକୁ ଦେଖି ବେଶ ପ୍ରଶଂସା କରିଥିଲେ । ଅନୁଷ୍ଠାନର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ ପାଣ୍ଡିଆ ଏବଂ ସଭାପତି ଶୋଭନ କୁମାର ଅଗ୍ରୱାଲ ନେତୃତ୍ୱରେ ମାହେଶ୍ୱରୀ ସଂଗଠନର ଉଭୟ ପୁରୁଷ ତଥା ମହିଳା ଶାଖାର ସମସ୍ତ ସଭ୍ୟସଭ୍ୟା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଆସନ୍ତା ବର୍ଷ ହେବାକୁ ଥିବା ମାହେଶ୍ୱରୀ ବାର୍ଷିକ ଉତ୍ସବରେ କୃତି ପ୍ରତିଯୋଗୀମାନଙ୍କୁ ସମ୍ମାନିତ କରାଯିବ ବୋଲି ଘୋଷଣା କରାଯାଇଥିଲା ।

Leave A Reply

Your email address will not be published.