jayashree

ଉଦ୍‌ଯାପିତ ହେଲା ମିନି ଓ ସବ୍‌ଜୁନିଅର ର‍୍ୟାଙ୍କିଂ ପ୍ରତିଯୋଗିତା

  • ୧୭ ବର୍ଷ ବର୍ଗରେ ଜ୍ୟୋତିସୂର୍ଯ୍ୟ ଓ ଗୀତାଶ୍ରୀ ଏବଂ ୧୫ ବର୍ଷ ବର୍ଗରେ ବାପୁନ ଓ ଅଂଶିକା ଚାମ୍ପିୟନ
  • କାଲିଠୁ ଆରମ୍ଭ ରାଜ୍ୟ ସିନିଅର ଚାମ୍ପିୟନସିପ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପିଆର ହାଇସ୍କୁଲ ବ୍ୟାଡମିଣ୍ଟନ ଇନଡୋର ଷ୍ଟାଡିଅମ ଠାରେ ଅନୁଷ୍ଠିତ ରାଜ୍ୟ ମିନି ଓ ସବ୍‌ଜୁନିଅର ବ୍ୟଡମିଣ୍ଟନ ର‍୍ୟାଙ୍କିଂ ପ୍ରତିଯୋଗିତା ଆଜି ଉଦ୍‌ଯାପିତ ହୋଇଯାଇଛି । ସାରା ରାଜ୍ୟରୁ ୯୬ ଜଣ ପ୍ରତିଯୋଗୀ ତଥା ୧୧୫ ଗୋଟି ପ୍ରତିଯୋଗିତା ପାଇଁ ଦୁଇ ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାର ଶେଷ ଦିନରେ ସେମିଫାଇନାଲ ଓ ଫାଇନାଲ ଅନୁଷ୍ଠିତ ହୋଇଥିଲା । ୯ ବର୍ଷ ବର୍ଗରେ ବିହାନ, ୧୧ ବର୍ଷ ବାଳକ ବର୍ଗରେ ଆଇ.ଏମ.ସାହୁ, ବାଳିକା ବର୍ଗରେ ସାନଭି, ୧୫ ବର୍ଷ ବାଳକ ଏକକ ବିଭାଗରେ ବାପୁନ ରାଉତ, ବାଳିକା ବିଭାଗରେ ଅଂଶିକା ବିରୋତ, ୧୭ ବର୍ଷ ବାଳକ ଏକକ ବିଭାଗରେ ଜ୍ୟୋତିସୂର୍ଯ୍ୟ ପରମାଣୀକ ଓ ବାଳିକା ବିଭାଗରେ ଗୀତାଶ୍ରୀ ଦେ ଫାଇନାଲ ମ୍ୟାଚ୍‌ରେ ବିଜୟ ମୁକୁଟ ଲାଭ କରିଛନ୍ତି ।

ଉଦ୍‌ଯାପନୀ ଉତ୍ସବର ମୁଖ୍ୟ ଅତିଥି ତଥା ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ମିଶ୍ର ଯୋଗ ଦେଇ ନିଜ ବକ୍ତବ୍ୟରେ ଖେଳାଳିଙ୍କୁ ଉତ୍ସାହିତ କରିବା ସହ ଏଭଳି ଉଚ୍ଚମାନର ଖେଳ ଜାରି ରହିଲେ ଆଗାମୀ ଦିନରେ ବଲାଙ୍ଗିର ଓ ଓଡିଶା ଜାତୀୟ ସ୍ତରରେ ଉଚ୍ଚତମ ସ୍ଥାନ ହାସଲ କରିବ ବୋଲି କହିଥିଲେ । ସମ୍ମାନିତ ଅତିଥି ବର୍ଷିୟାନ ବ୍ୟାଡମିଣ୍ଟନ ଖେଳାଳି ପ୍ରକାଶ ପଟ୍ଟନାୟକ, ଶିକ୍ଷାବିତ ତଥା ଲେଖକ ପ୍ରହଲ୍ଲାଦ ଦର୍ଜୀ ଉଭୟ ଖେଳାଳି ଓ ଆୟୋଜକଙ୍କ ପ୍ରଶଂସା କରିଥିଲେ । ସିଏସି ଅଧ୍ୟକ୍ଷ ମନୋରଞ୍ଜନ ଦାସ, ରେଫରି ଲଖ୍ୟପତି ନନ୍ଦ, ଡେପୁଟି ରେଫରି ଜୟନ୍ତ ମିଶ୍ର ପ୍ରତିଯୋଗିତା ପରିଚାଳନା କରିଥିଲେ । ଅତିଥିମାନଙ୍କ ସହ ଜିଲ୍ଲା ସଭାପତି ଗୋପାଲ ପଣ୍ଡା, କାର୍ଯ୍ୟକାରୀ ସଭାପତି ପବିତ୍ର ବେହେରା ଓ ପ୍ରତିଯୋଗିତାର ସାଙ୍ଗଠନିକ ସମ୍ପାଦକ ସୁରୁଲାଲ ମାଟାରୀ ଖେଳାଳିମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ ।

ପ୍ରଥମ ଦିନ ସମୁଦାୟ ୮୫ ଗୋଟି ମ୍ୟାଚ କରାଯିବା ପରେ ଆଜି ବିଭିନ୍ନ ବିଭାଗର ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ୯ ବର୍ଷ ବାଳକ ଏକକ ବର୍ଗରେ ବିହାନ ସାମନ୍ତ ରାଏ ଓ ସାଇ ଆଶିଷ ମଧ୍ୟରେ ଫାଇନାଲ ମ୍ୟାଚରେ ବିହାନ ବିଜୟ ଲାଭ କରିଥିଲେ । ୧୧ ବର୍ଷ ବାଳକ ଏକକ ବର୍ଗରେ ଆଇ.ଏମ. ସାହୁ ଓ ପ୍ରଦୁମ୍ନ ସାମଲ ମଧ୍ୟରେ ରୋମାଞ୍ଚକର ଫାଇନାଲରେ ଆଇ.ଏମ. ସାହୁ ବିଜୟୀ ହୋଇଥିଲେ । ୧୧ ବର୍ଷ ବାଳିକା ଏକକ ବର୍ଗରେ ଲକ୍ଷ୍ମୀପ୍ରିୟା ଓ ସାନଭି ମଧ୍ୟରେ ଫାଇନାଲ ଦଙ୍ଗଲରେ ସାନଭି ବିଜୟ ଲାଭ କରିଥିଲେ । ୧୫ ବର୍ଷ ବାଳକ ଏକକ ବିଭାଗର ଫାଇନାଲ ମ୍ୟାଚ ବାପୁନ ରାଉତ ଓ ସମ୍ୟଜିତ ସାହୁ ମଧ୍ୟରେ ହୋଇଥିବା ବେଳେ ବାପୁନ ବିଜୟ ମୁକୁଟ ପିନ୍ଧିଥିଲେ । ୧୫ ବର୍ଷ ବାଳିକା ଏକକ ବିଭାଗର ଫାଇନାଲ ମ୍ୟାଚରେ ଅଂଶିକା ବିରୋତ ଓ ମିନିଷା ଓଝା କଡା ଟକ୍କରରେ ଅଂଶିକା ବିରୋତ ବାଜି ଜିତି ଯାଇଥିଲେ । ୧୫ ବର୍ଷ ବାଳିକା ଯୁଗଳ ବିଭାଗରେ ନିମିଷା – ସ୍ୱାତୀ ଓ ଅଂଶିକା- ଇପ୍ସିତାଙ୍କ ଯୋଡି ମଧ୍ୟରେ ହୋଇଥିବା ଫାଇନାଲ ମ୍ୟାଚରେ ନିମିଷା- ସ୍ୱାତୀ ଯୋଡି ଫାଇନାଲ ଜିତି ଯାଇଥିଲେ । ୧୫ ବର୍ଷ ବାଳକ ଯୁଗଳ ବିଭାଗ ଫାଇନାଲରେ ନାଥାନିଏଲ- ଓଜୋଜୀତ ଓ ହ୍ରୀଆନ-ଜୟକୃଷ୍ଣ ମଧ୍ୟରେ ହୋଇଥିବା ଟକ୍କରରେ ହ୍ରୀଆନ-ଜୟକୃଷ୍ଣଙ୍କ ଯୋଡି ବିଜେତା ହୋଇଥିଲେ । ୧୭ ବର୍ଷ ବାଳକ ଏକକ ବିଭାଗର ଫାଇନାଲକୁ ଜ୍ୟୋତିସୂର୍ଯ୍ୟ ଓ ବଲାଙ୍ଗିରର ଦିବ୍ୟମ କେଜ୍ରିୱାଲ ପହଞ୍ଚିଥିବା ବେଳେ ଜ୍ୟୋତିସୂର୍ଯ୍ୟ ପରମାଣିକ ବିଜୟ ଲାଭ କରିଥିଲେ । ୧୭ ବର୍ଷ ବାଳକ ଯୁଗଳ ବିଭାଗରେ ଶ୍ରୀୟାଂଶ-ଶୁଭ୍ରକେତନଙ୍କ ଯୋଡିକୁ ବାପୁନ- ଦିବ୍ୟକେତନଙ୍କ ଯୋଡି ଫାଇନାଲରେ ମାତ ଦେଇଥିଲେ । ୧୭ ବର୍ଷ ବାଳିକା ଏକକ ବର୍ଗର ଫାଇନାଲ ମ୍ୟାଚରେ ଗୀତାଶ୍ରୀ ଦେ, ଅଶ୍ୱିକା ମିଶ୍ରଙ୍କୁ ମାତ ଦେଇଥିଲେ । ସେହିପରି ମିକ୍ସ ଡବଲ କେଟାଗୋରିରେ ଶ୍ରୀଜିତ ବେନାର୍ଜି – ଗୀତାଶ୍ରୀ ଦେଙ୍କ ଯୋଡିକୁ ଶୁଭ୍ରକେତନ ମଲ୍ଲିକ ଓ ସ୍ୱିଟି ପ୍ରଧାନ ପରାଜିତ କରି ଫାଇନାଲ ବିଜୟ ଲାଭ କରିଥିଲେ ।

Leave A Reply

Your email address will not be published.