ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ଖେଳପଡିଆରେ ଚାଲିଥିବା ଜୟ ଜଗନ୍ନାଥ କ୍ରିକେଟ ପ୍ରତିଯୋଗିତା ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଉଦଯାପନୀ ଫାଇନାଲ ଖେଳରେ ମୁରିବାହାଲ ଦଳକୁ ପରାସ୍ତ କରି ବାବେଜୁରୀ ଦଳ ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି । ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୁଡିଘାଟର ପୂର୍ବତନ ସରପଞ୍ଚ ନରେନ୍ଦ୍ର ସିଂ ମାଝୀ, ସମ୍ମାନିତ ଅତିଥି ଭାବରେ ଅଲ୍ ଇଣ୍ଡିଆ ରେସଲର ମାଧବ ସୁନା, ପୂର୍ବତନ ସରପଞ୍ଚ ଶେଷଦେବ ସା, ଟିକେମନ ମାଝୀ, ମଚିନ୍ଦ୍ର ସିଂ ମାଝୀ, କରୁଣାକର ମାଝୀ, ପବିତ୍ର ସାହୁ, ବ୍ୟାସଦେବ ସା, ନବିନ ରାଓ, ରାଜେଶ ପୁଟେଲ, ମଥାମଣି ହରପାଲ, କ୍ଷିରୋଦ୍ର ସାହୁ ଓ ଅନ୍ତର୍ଯ୍ୟାମୀ ନାୟକ ପ୍ରମୁଖ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଫାଇନାଲ ଖେଳ ବାବେଜୁରୀ ଓ ମୁରିବାହାଲ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବାବେଜୁରୀ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୨୪୩ ରନ କରିଥିଲା । ମୁରିବାହାଲ ଦଳକୁ ଜିତିବା ପାଇଁ ୨୪୪ ରନ ଟାର୍ଗେଟ ଥିବାବେଳେ ନିର୍ଦ୍ଧାରିତ ଓଭର ମଧ୍ୟରେ ଦଳ ୮ ୱିକେଟରେ କେବଳ ୨୧୦ ରନ ସଂଗ୍ରହ କରି ବାବେଜୁରୀ ଦଳଠାରୁ ପରାସ୍ତ ହୋଇଥିଲା । ମ୍ୟାଚ୍ ରେଫରୀ ରୁପେ ତେଜରାଜ ସରାଫ ଓ ରୁକଦେବ ପାଣ୍ଡେ ଦାୟିତ୍ଵ ନିର୍ବାହ କରିଥିଲେ । ଏଥିରେ ମୋଟ ୧୬ ଟି ଦଳ ଅଂଶଗ୍ରହଣ କରିଥିଲେ । ଅତିଥି ମାନଙ୍କଦ୍ଵାରା ଚମ୍ପିୟାନ ବାବେଜୁରୀ ଦଳକୁ ଟ୍ରଫି ସହ ୫୦ ହଜାର ଟଙ୍କା ଓ ରନର୍ସ ଅଫ ମୁରିବାହାଲ ଦଳକୁ ଟ୍ରଫି ସହ ୨୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଆୟୋଜକ ଗୁଡିଘାଟ ଜୟ ଜଗନ୍ନାଥ କ୍ରିକେଟ କମିଟିର ସମସ୍ତ ସଦସ୍ୟମାନେ ପ୍ରତିଯୋଗିତା ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।