ସର୍ବଭାରତୀୟ ସ୍ତରୀୟ ବଡି ବିଲିଂ ପ୍ରତିଯୋଗିତାରେ ଗୋଲ୍ଡ ମେଡାଲ ହାସଲ କଲେ ଦିଲ୍ଲୀପ ପାତ୍ର

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡାର ଗର୍ବ ଓ ଗୌରବ ଦିଲ୍ଲୀପ ପାତ୍ର । ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଗୋଲ୍ଡ ମେଡାଲ ହାସଲ କରି ବାଲିଗୁଡା ପାଇଁ ଗୌରବ ଅଣିଛନ୍ତି ଦିଲ୍ଲୀପ । ଭୁବନେଶ୍ଵର ସ୍ଥିତ ଉତ୍କଳ ମଣ୍ଡପରେ ଆୟୋଜିତ ଜାତୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଦେଶର ୧୫୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ସମସ୍ତ ବିଭାଗରେ ଗୋଲ୍ଡ ମେଡାଲ ହାସଲ କରିଛନ୍ତି ଦିଲ୍ଲୀପ । ୬୦ କେଜିରୁ ଅଧିକ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରି ଓଭରାଲରେ ଚମ୍ପିଆନ ହୋଇଛନ୍ତି । ସ୍ଵର୍ଣ୍ଣ ପଦକ ସହ ୬ ହଜାର ଟଙ୍କା ଏବଂ ଓଭରାଲ ଚମ୍ପିଆନରେ ୩୧ ହଜାର ଟଙ୍କା ସମୁଦାୟ ୩୬ ହଜାର ଟଙ୍କାର ଚେକ, ଟ୍ରଫି ସହ ଏକଖଣ୍ଡା ପୁରସ୍କାର ପାଇଛନ୍ତି । ବାଲିଗୁଡା ଥାନା ଅନ୍ତର୍ଗତ ନିପଟ ମଫସଲ ଗାଁ ବୁଡ଼ାଗୁଡାରେ ଜନ୍ମ ହୋଇ ବର୍ତ୍ତମାନ ବାଲିଗୁଡା ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟରତ ଅଛନ୍ତି । ନିଜର ଚେଷ୍ଟା ଓ ପରିଶ୍ରମ ବଳରେ ସଫଳତାର ସିଡି ଚଢ଼ି ଚାଲିଛନ୍ତି । ଏହି ସଫଳତା ପଛରେ ଜିମ୍ ଶିକ୍ଷକ, ଥାନା ଅଧୂକାରୀ ଏବଂ ସାଙ୍ଗସାଥୀଙ୍କ ହାତ ଥିବା ସେ କହିଛନ୍ତି । ଆଗକୁ ସେ ଏସିଆ ଗେମ୍ ଖେଳିବା ପାଇଁ ଚେଷ୍ଟା ଜାରୀ ରଖିଛନ୍ତି । ଏହି ସଫଳତା ପାଇବା ପରେ ଦିଲ୍ଲୀପଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Leave A Reply

Your email address will not be published.