ଜୁଲାଇ ୬ରେ ଜିଲ୍ଲାସ୍ତରୀୟ ଓଡିଆ ପ୍ରବନ୍ଧ, ସାହିତ୍ୟ ସମ୍ପର୍କିତ ବକୃତା, କବିତା ଆବୃତି, ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନ ଏବଂ ଇଂରାଜୀରୁ ଓଡିଆ ଅନୁବାଦ ପ୍ରତିଯୋଗିତା
ବଲାଙ୍ଗିର, (କେପିଏନ୍ଏସ୍) : ଓଡିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତା କନିଷ୍ଠ ବର୍ଗ ୬ଷ୍ଠରୁ ୭ମ ଶ୍ରେଣୀ ଏବଂ ବରିଷ୍ଠ ବର୍ଗ ୮ମରୁ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହେବ । ଜିଲ୍ଲା ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହେବେ । ଜିଲ୍ଲା ସ୍ତରରେ ପ୍ରଥମ, ଦ୍ୱିତୀୟ କିମ୍ବା ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ଦିଆଯିବ । ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଆସନ୍ତା ତା୦୬/୦୭/୨୦୨୨ରିଖ ଦିନ ପୂର୍ବାହ୍ନ ୧୧ ଘଟିକା ସମୟରେ ବଲାଙ୍ଗିର ସ୍ଥିତ ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ (ନୂତନ ସରକାରୀ) ପରିସରରେ ଅନୁଷ୍ଠିତ ହେବ । ଗୋଷ୍ଠୀ ଶିକ୍ଷା ଅଧିକାରୀମାନେ ଉଭୟ କନିଷ୍ଠ ଓ ବରିଷ୍ଠ ବର୍ଗର ପ୍ରତିଯୋଗିତା ସମ୍ପୃକ୍ତ ବ୍ଲକ ସ୍ତରରେ ଏବଂ ତାଙ୍କ ଅଧିନସ୍ଥ ସହରାଞ୍ଚଳରେ ପ୍ରତିଯୋଗିତା କରି ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରତି ବର୍ଗରୁ ଚୟନ ହୋଇଥିବା ଜଣେ ଲେଖାଏଁ ଛାତ୍ରଛାତ୍ରୀ ଜିଲ୍ଲାସ୍ତରକୁ ପ୍ରେରଣ କରିବେ । ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତା୦୫.୦୭.୨୦୨୨ରିିଖ ସୁଦ୍ଧା ସମସ୍ତ ପ୍ରତିଯୋଗିତା ବ୍ଲକ ଓ ସହରାଞ୍ଚଳରେ ଆୟୋଜନ କରି ପ୍ରତ୍ୟେକ ପ୍ରତିଯୋଗିତାର ଶ୍ରେଷ୍ଠ ପ୍ରତିଯୋଗୀଙ୍କ ନାମ ନିର୍ଦ୍ଧାରିତ ଫର୍ମରେ ଜୁଲାଇ ୫ ତାରିଖ ସୁଦ୍ଧା ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତିଯୋଗିତାର ବିଷୟ ତଥା ପ୍ରତିଯୋଗିତା ସମ୍ପର୍କିତ ଅନ୍ୟାନ୍ୟ ବିବରଣୀ ସମ୍ପର୍କରେ ଜାଣିବା ପାଇଁ ବିଦ୍ୟାଳୟଗୁଡିକର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀମାନେ ସେମାନଙ୍କ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।