ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଯକ୍ଷ୍ମାମୁକ୍ତ ଜିଲ୍ଲା ଭାବେ ଗଞ୍ଜାମ ଜିଲ୍ଲା ପ୍ରଥମସ୍ଥାନ ଅଧିକାର କରିଛି ବୋଲି ଆଇ.ଆର୍.ଇ.ଏଲ୍. (ଇଣ୍ଡିଆ) ଓସ୍କୋମ୍ ହେଡ୍ ତଥା ଚିଫ୍ ଜେନେରାଲ ମ୍ୟାନେଜର ସି.ଭି.ଆର୍. ମୂର୍ତ୍ତି ମତବ୍ୟକ୍ତ କରିଛନ୍ତି । ଗୁରୁବାର ମଧ୍ୟାହ୍ନରେ ଭାରତୀୟ ବିରଳ ମୂର୍ତ୍ତିକା ପ୍ରତିଷ୍ଠାନ
ଆଇ.ଆର୍.ଇ.ଏଲ୍. (ଇଣ୍ଡିଆ) ପ୍ରଶାସନିକ ଭବନରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ହେଡ୍ ଶ୍ରୀ ସି. ଭି.ଆର୍. ମୂର୍ତ୍ତି ଯକ୍ଷ୍ମା ରୋଗର ନିରାକରଣ ସଚେତନତା ଉପରେ ସ୍ଵାସ୍ଥ୍ୟ ବିଭାଗ ସହ ଏକ ଆଲୋଚନା କରି ଏହା କହିଛନ୍ତି । ଗୁରୁବାର ଏହି ଅବସରରେ ଏକ ଯକ୍ଷ୍ମାମୁକ୍ତ ଅଭିଯାନ ଉପରେ ଏକ ବଜ୍ର-ଶପଥ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଛି । ଏପରିକି ଗଞ୍ଜାମ ଜିଲ୍ଲାରେ ଯକ୍ଷ୍ମା ରୋଗର ନିରାକରଣ ସଚେତନତା ଅଭିଯାନ ସୃଷ୍ଟିକୁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା ସାଂଗକୁ ବଳିଷ୍ଠ ଅବଦାନ ରହି ଥିବା ଜାତୀୟ ଟିବି ମୁକ୍ତ ଅଭିଯାନର ଗଞ୍ଜାମ ଜିଲ୍ଲାର ନୋଡାଲ ଅଧିକାରୀ ତଥା ବରିଷ୍ଠ ଡାକ୍ତର ଅବନୀ କୁମାର୍ ପାତ୍ରଙ୍କୁ ମାନପତ୍ର ସହ ଉପଢୌକନ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପ୍ରୋଗ୍ରାମ କୋ-ଅର୍ଡିନେଟର ବିଦେଶୀ ଜେନାଙ୍କୁ ମଧ୍ୟ ଆଇ.ଆର୍.ଇ.ଏଲ୍. ହେଡ୍ ଶ୍ରୀ ମୂର୍ତ୍ତି ଉପଢୌକନ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଟିବି ରୋଗୀ ମାନଙ୍କ ନିମନ୍ତେ ପୃଷ୍ଟିକର ଖାଦ୍ୟର ଗୋଟିଏ ଲେଖାଏଁ ପେକେଜ୍ ସର୍ବମୋଟ ଦୁଇ ହଜାରଟି ଖାଦ୍ୟ ପେକେଜ୍ ଭରି ହୋଇଥିବା ତିନୋଟି ବାହନରେ ବିଭିନ୍ନ ସ୍ଵାସ୍ଥ୍ୟ ସଂଗଠନ ଅବା ଗଞ୍ଜାମ ଜିଲ୍ଲାର ୨୦ଟି ବ୍ଲକକୁ ଗୁରୁବାର ପଠାଇଦିଆଯାଇଛି । ଆଇ.ଆର୍.ଇ.ଏଲ୍. (ଇଣ୍ଡିଆ) ଓସ୍କୋମ୍ ସୌଜନ୍ୟରେ ଏହି ଖାଦ୍ୟ ପେକେଜ୍ ଟିବି ରୋଗୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ ହୋଇଥିବା ନେଇ ଆଇ.ଆର୍.ଇ.ଏଲ୍. ପ୍ରତିଷ୍ଠାନକୁ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସାଧୁବାଦ ସହ କୃତଜ୍ଞତା ଜ୍ଞାପନ କରାଯାଇଛି । ଗତ ୨୦୨୫ ମସିହା ସେପ୍ଟେମ୍ବର ମାସରୁ ୨୦୨୬ ମାର୍ଚ୍ଚ ମାସ ମଧ୍ୟରେ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ ବ୍ୟୟ ବରାଦ ହୋଇଛି ବୋଲି ଡିଜିଏମ୍ ପ୍ରକଳ୍ପ ଏବଂ ରିସୋର୍ସ ସିଏସଆର୍ ମୁଖ୍ୟ ଶ୍ୟାମସୁନ୍ଦର ମଲ୍ଲିକ ଗଣମାଧ୍ୟମକୁ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଆଇ.ଆର୍.ଇ.ଏଲ୍. (ଇଣ୍ଡିଆ), ଓସ୍କୋମ୍ ତତଫରୁ ଡିଜିଏମ୍, ଏଚ୍.ଆର୍.ଏମ୍ ଆଶିଷ କୁଳଶ୍ରେଷ୍ଠ, ଖଣି ବିଭାଗ ସ୍ୱତନ୍ତ୍ରତା ପ୍ରତିଷ୍ଠାନ୍, ଏମ୍.ଏସ୍.ପି. ରବି ଶଙ୍କର ସାବତ, ଜେନେରାଲ ମ୍ୟାନେଜର ଅର୍ଥ ବିଭାଗ ଜଗଦାନନ୍ଦ ନାୟକ, ସିଏସଆର୍ ବରିଷ୍ଠ ପ୍ରବନ୍ଧକ ଦୀପକ୍ ମିଶ୍ର, ରିସୋର୍ସ ପ୍ରବନ୍ଧକ ପୁନୀତ୍ ମହାନ୍ତି ପ୍ରମୁଖ ପ୍ରତିଷ୍ଠାନର ବହୁ ଗଣ୍ୟମାନ୍ୟ ଅଧିକାରୀ ଯୋଗଦେଇଥିଲେ । ପ୍ରକାଶ ଥାଉକି, ରୋଗୀ ମାନଙ୍କୁ ଆଶୁ ଚିକିତ୍ସା ସେବା ଓ ପୃଷ୍ଟିକର ଖାଦ୍ୟ ଯୋଗାଇ ଦିଆଯିବା ସାଂଗକୁ ଏହାର ନିରାକରଣତା ଉପରେ ପଦକ୍ଷେପ ଗ୍ରହଣ କରାଯାଇ ସମଗ୍ର ଗଞ୍ଜାମ ଜିଲ୍ଲାରେ ଯକ୍ଷ୍ମା ମୁକ୍ତ ଜିଲ୍ଲା ଭାବେ ପରିଗଣିତ ହୋଇସାରିଛି । ଗୁରୁବାର ଏହି ଅବସରରେ ଆଇ ଆର୍.ଇ.ଏଲ୍. ପ୍ଲାଣ୍ଟ ପ୍ରତିଷ୍ଠାନ ତରଫରୁ ଅଗ୍ନିଶମ ବିଭାଗ ପରିସରରେ ପୃଷ୍ଟିକର ଖାଦ୍ୟ ଭରି ହୋଇଥିବା ତିନୋଟି ଯାନ୍ତ୍ରିକ ବାହନକୁ ସବୁଜ ପତାକା ଦେଖାଇ ଆଇ.ଆର୍.ଇ.ଏଲ୍. (ଇଣ୍ଡିଆ) ଓସ୍କୋମ୍ ହେଡ୍ ତଥା ଚିଫ୍ ଜେନେରାଲ ମ୍ୟାନେଜର ସି.ଭି.ଆର୍. ମୂର୍ତ୍ତି ଶୁଭାରମ୍ଭ କରିଛନ୍ତି ।