କେସିଙ୍ଗା, (ପ୍ରୀତେଶ ପଟେଲ) : ଦୀର୍ଘ ଦିନ ହେବ ଭଲ ରାସ୍ତା ପାଇଁ ସ୍ଥାନୀୟ ବିଡ଼ିଓଙ୍କୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ରାସ୍ତା ପାଇଲେ ନାହିଁ ଗ୍ରାମବାସୀ । କଳାହାଣ୍ଡି ଜିଲ୍ଲା କେସିଙ୍ଗା ଜାତୀୟ ରାଜପଥ ୨୬ କାଶୁରପଡାଠାରୁ ସିଂହଝରଣ ଗାଁକୁ ଯିବା ପାଇଁ ରହିଛି ଏକ ମାତ୍ର ରାସ୍ତା । ଯାହାର ଅବସ୍ଥା ନ କହିଲେ ଭଲ । ପୂର୍ବରୁ ପିଚୁ ରାସ୍ତା ଥିଲାବେଳେ ବଡ ଗାଡ଼ି ଚାଲି ରାସ୍ତାକୁ ଖରାପ କରିଦେଇଛି । ଜାଗା ଜାଗାରେ ବଡ଼ ବଡ଼ ଖାଲ ହୋଇଯାଇଥିବାବେଳେ ଚାଲିକି ଯିବାକୁ ମଧ୍ୟ ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ । ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଅନ୍ୟପକ୍ଷରେ ଅଞ୍ଚଳରେ କିଛି ସରକାରୀ ଜମି ରହିଥିବାବେଳେ କେତେକ ଲୋକ ସେହି ସରକାରୀ ଜମିକୁ ଜବର ଦଖଲ କରି ରଖିଛନ୍ତି । ସେହି ସରକାରୀ ଜାଗା ଗୁଡ଼ିକୁ ମାପଯୁପ କରିବା ପାଇଁ ଗ୍ରାମବାସୀ ସ୍ଥାନୀୟ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଯଥା ଶୀଘ୍ର ଗ୍ରାମକୁ ଏକ ଭଲ ରାସ୍ତା ତିଆରି କରିଦେବା ସହିତ ସରକାରୀ ଜମି ଗୁଡ଼ିକୁ ମାପଯୁପ କରିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ । ତେବେ ସ୍ଥାନୀୟ ପ୍ରଶାସନ ଗ୍ରାମବାସୀଙ୍କ ଦୀର୍ଘ ଦିନର ଦାବିକୁ କେବେ ପୁରଣ କରିବ ତାହା ଦେଖିବାକୁ ବାକି ରହିଲା ।