ସୁମନଙ୍କ ପାଇଁ ଛୁଟୁଛି ପ୍ରଶଂସାର ସୁଅ

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଖରିଦପିପଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୟାପାଲି ଗ୍ରାମରେ ମାତା ସ୍ନେହଲତା ପାତ୍ର, ପିତା ଅବସରପ୍ରାପ୍ତ ଆର୍ମୀ ଅଧିକାରୀ ମୃତ୍ୟୁଞ୍ଜୟ ପାତ୍ରଙ୍କ ସାନ ପୁଅ ସୁମନ । ସୁମନ ପିଲାବେଳୁ ପିତାମାତାଙ୍କଠାରୁ ପ୍ରେରଣା ପାଇ ଗରୀବ ଲୋକମାନଙ୍କ ସେବା କରିବାକୁ ମନବଳାଇ ଥିଲେ । ବୃତ୍ତିରେ ଜଣେ ଇଞ୍ଜିନିୟର ଭାବରେ ଏକ ଘରୋଇ କମ୍ପାନୀରେ ଚାକିରି କରନ୍ତି ସୁମନ । ମାନବ ସେବା ହିଁ ମାଧବ ସେବା ଏହାକୁ ପଣ କରି ସୁମନ ବହୁବାର ” ରକ୍ତ ଦାନ ” କରି ନିଜର ମହାନତାର ପରିଚୟ ସୃଷ୍ଟି କରିଛନ୍ତି । ପିତାମାତାଙ୍କ ସହିତ ବାଲେଶ୍ୱରରେ ବସବାସ କରୁଥିବା ସୁମନ ନିଜ ଗାଁ ଏବଂ ପାଖ ଅଞ୍ଚଳରୁ ରୋଗୀମାନେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେଲେ ଖବର ପାଇ ସେବା କରିବାକୁ ଉପସ୍ଥିତ ହେଇଥାନ୍ତି । ଏପରିକି ରାସ୍ତାରେ ଯାଉଥିବା ଅସହାୟ ବୃଦ୍ଧବୃଦ୍ଧା, ବିକଳାଙ୍ଗ ବ୍ୟକ୍ତି ଏବଂ ଭିକାରିମାନଙ୍କୁ ନିଜ ପରିଶ୍ରମ ଟଙ୍କାରେ ଫଳ ବାଣ୍ଟିବା, ଖାଦ୍ୟ ପ୍ରଦାନ କରି ପ୍ରଶଂସାର ପାତ୍ର ସାଜିଛନ୍ତି ସୁମନ । ଗତକିଛି ଦିନତଳେ ନୟାପାଲି ଗ୍ରାମର ଗଦାଧର ପାତ୍ରଙ୍କ ସାନ ପୁଅ ସ୍ୱର୍ଗତ ପ୍ରଦୀପ ପାତ୍ର କର୍କଟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବାବେଳେ ପ୍ରଦୀପଙ୍କୁ କର୍କଟ ରୋଗରୁ ଆରୋଗ୍ୟ କରିବା ପାଇଁ ସୁମନ କଟକରେ ବିଭିନ୍ନ ବିଭାଗୀୟ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା କରାଇଥିଲେ । ସ୍ୱର୍ଗତ ପ୍ରଦୀପଙ୍କ ପରିବାରକୁ ସହାୟତା କରିବା ପାଇଁ ସୁମନଙ୍କ ଉଦ୍ୟମକୁ ବହୁ ବୁଦ୍ଧିଜୀବୀ ଏବଂ ଅଞ୍ଚଳବାସୀ ଭୂରିଭୂରି ପ୍ରଶଂସା କରିଥିଲେ । ନିଜର ମହାନତା ପାଇଁ ଗ୍ରାମବାସୀ ଏବଂ ହିତାକାଂକ୍ଷୀ ମାନେ ସୁମନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

Leave A Reply

Your email address will not be published.