ବ୍ଲକ ସ୍ତରୀୟ ପରିବେଶ ବିଜ୍ଞାନ ମେଳା : ଶ୍ରେଷ୍ଠ ବିବେଚିତ ତିନୋଟି ପ୍ରକଳ୍ପ ଜିଲ୍ଲା ସ୍ତରୀୟ ଉତ୍ସବକୁ ଉନ୍ନୀତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ସିପାଞ୍ଜିରି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବ୍ଲକ ସ୍ତରୀୟ ପରିବେଶ ବିଜ୍ଞାନ ମେଳା ପରିପୋଷଣୀୟ ଜୀବନ ଶୈଳୀ ବିଷୟବସ୍ତୁକୁ ଆଧାର କରି ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୪ ଟି ବିଦ୍ୟାଳୟର ୩୩ ଶିକ୍ଷାର୍ଥୀ ଭାଗନେଇ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷାଧିକାରୀ ମହେଶ୍ୱର ମାଝି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଧୂପ ଦୀପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବିଚାରକ ଭାବେ ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ଅଧ୍ୟାପକ ହିମାଂଶୁ ଚରଣ ସାହୁ, ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ସଂଗ୍ରାମ କେଶରୀ ସ୍ୱାଇଁ, ତଥା ସିର୍ଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଅସିତ କୁମାର ସାହୁ ଯୋଗ ଦେଇଥିଲେ । ବ୍ଲକ ସ୍ତରରୁ ଶ୍ରେଷ୍ଠ ବିବେଚିତ ତିନୋଟି ପ୍ରକଳ୍ପ ଜିଲ୍ଲା ସ୍ତରୀୟ ଉତ୍ସବରେ ଭାଗନେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା । ଗୋଷ୍ଠୀ ଶିକ୍ଷାଧିକାରୀ ମହେଶ୍ୱର ମାଝିଙ୍କ ସଭାପତିତ୍ୱରେ ଆୟୋଜିତ ଉଦ‌ଯାପିତ ଉତ୍ସବରେ ବନାଞ୍ଚଳ ଅଧିକାରୀ ଡ.ସୁବାଶ ଚନ୍ଦ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅଧ୍ୟାପକ ହିମାଂଶୁ ଚରଣ ସାହୁ ମୁଖ୍ୟବକ୍ତା ରୂପେ ଯୋଗ ଦେଇ ପରିପୋଷଣୀୟ ଜୀବନ ଶୈଳୀ ଓ ପରିବେଶ ସୁରକ୍ଷା ଉପରେ ଛାତ୍ରଛାତ୍ରୀଙ୍କୁ ଉଦ‌ବୋଧନ ଦେଇଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମଲୋଚନ ପଣ୍ଡା, ଶିକ୍ଷକ ରଜନୀ ସାହୁ, ଅମରେନ୍ଦ୍ର ପ୍ରଧାନ ତଥା ସିଆରସିସି ସରୋଜ କୁମାର ନାହାକ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.