ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଳିଷ୍ଠ ବାର୍ତ୍ତା ବହନ କରୁଥିବା ଦୁଇଟି କ୍ଷୁଦ୍ର ଚଳଚ୍ଚିତ୍ର ଦହନ ଓ ଅଂଶୁବର୍ଣ୍ଣି ସ୍ଥାନୀୟ ଆଇନ ମହାବିଦ୍ୟାଳୟ ପରିସରରେ ପ୍ରଦର୍ଶିତ ହୋଇଯାଇଛି । ଏକ ଦୁର୍ଘଟଣାରେ ଜଣେ ଶିଶୁର ମୃତ୍ୟୁ ହୁଏ । କିନ୍ତୁ ମୃତ୍ୟୁ ପୂର୍ବରୁ ଶିଶୁଟି ଚକ୍ଷୁଦାନ କରିବା ପାଇଁ ଇଛା ପ୍ରକାଶ କରେ । ଶିଶୁଟିର ଶେଷ ଇଛା ଅନୁଯାୟୀ ତାର ଚକ୍ଷୁ ଅନ୍ୟ ଏକ ଶିଶୁ ଦେହରେ ରୋପଣ କରାଯାଏ । ଶିଶୁଟିଏ ହେଲେ ମଧ୍ୟ ଚକ୍ଷୁଦାନ କରି ଯେଉଁ ମହାନ ବାର୍ତ୍ତା ଦେଇଗଲା, ତାକୁ ଅତି ସୁନ୍ଦର ଭାବରେ ଅଂଶୁବର୍ଣ୍ଣିରେ ଦର୍ଶାଯାଇଛି । ସେହିପରି ଦହନ ଚଳଚିତ୍ରରେ ଏକ ଦିବ୍ୟାଙ୍ଗ ଶିଶୁର ବେଦନାକୁ ଦର୍ଶାଯାଇଛି । ଦିବ୍ୟାଙ୍ଗ ହୋଇଥିବା ଯୋଗୁଁ ତାର ଭିତରେ କିଭଳି ଅନ୍ତର୍ଦାହ ରହିଛି ତାହାକୁ ଦର୍ଶାଯାଇଛି । ଉଭୟ ଚଳଚିତ୍ରର ଉଦ୍ଘାଟନୀ ଅବସରରେ ଅନୁଷ୍ଠିତ ହୋଇଥିବା ପ୍ରିମିୟମରେ ସୋ’ରେ ଉପସ୍ଥିତ ଥିବା ଦର୍ଶକମାନେ ସ୍ତମ୍ଭୀଭୂତ ହୋଇ ଯାଇଥିଲେ । ବିଶେଷ କରି ଉଭୟ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଶିଶୁ କଳାକାରମାନଙ୍କ ଅଭିନୟ ଅତ୍ୟନ୍ତ ଜୀବନ୍ତ ଓ ନିଖୁଣ ଥିଲା । ଏହି ଉଭୟ ଚଳଚ୍ଚିତ୍ରର କାହାଣୀ ରଚନା କରିବା ସଙ୍ଗେ ନିର୍ଦ୍ଦେଶନା ଦେଇଛନ୍ତି ଉଗ୍ରସେନ ଷଡଙ୍ଗୀ । ଚଳଚ୍ଚିତ୍ରର ବିଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି ପ୍ରଖ୍ୟାତ ମଂଚ ନିର୍ଦ୍ଦେଶକ ଭାସ୍କର ମେହେଟା, ଚିତ୍ତ ରଞ୍ଜନ ଦାଶ, ପ୍ରହଲ୍ଲାଦ ଦର୍ଜି, ଧୀରାଜ ବେଜ, ଡା.ବିଛିନ୍ଦ ପ୍ରଧାନ, ଶ୍ରୀରାଧା ଆଚାର୍ୟ୍ୟ, ଚାନ୍ଦନୀ ମେହେର, ଚନ୍ଦ୍ରମା ହୋତା, ମିଲି ବାରିକ, ସାହିଲ ଷଡଙ୍ଗୀ, ନିୟୋଜିତା ଶାକମ୍ବରୀ ଷଡଙ୍ଗୀ, ସ୍ୱର୍ଣ୍ଣୀମ ଓ ନୀଳେନ୍ଦ୍ରୀ । ଚଳଚ୍ଚିତ୍ରରେ ଚିତ୍ର ଉତ୍ତୋଳନ ପ୍ରକାଶ ଷଡଙ୍ଗୀ କରିଥିବା ବେଳେ ରୂପସଜ୍ୱା କରିଛନ୍ତି ମନୋରଞ୍ଜନ ବେହେରା, ସଙ୍ଗୀତ ନିେର୍ଦ୍ଦଶନା ଦେଇଛନ୍ତି ମୂରଲୀଧାରୀ ପତି ଓ ଶ୍ରୀକାନ୍ତ ଦାଶ (ଗିଟୁ) ତଥା ସମ୍ପାଦନା କରିଛନ୍ତି ସଂଗ୍ରାମ କେଶରୀ ନାଏକ ଓ ଟି. ଲମ୍ବୋଦର । ଏହି ଅବସରରେ ଅନୁଷ୍ଠିତ ହୋଇଥିବା ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ସମାଜସେବୀ ତଥା ଚଳଚ୍ଚିତ୍ର ନିର୍ମାତା ଶ୍ରୀକର ମିଶ୍ର କହିଥିଲେ ଯେ, ଆମ ଅଂଚଳରେ ଅତ୍ୟନ୍ତ ଉଚ୍ଚକୋଟୀର କଳାକାର ରହିଛନ୍ତି । ସେମାନଙ୍କୁ କେବଳ ପ୍ରୋତ୍ସାହନ ଯୋଗାଇ ଦେବାର ଆବଶ୍ୟକତା ରହିଛି । ଭବିଷ୍ୟତରେ ମଧ୍ୟ ଆମ ଅଂଚଳରେ ଏଭଳି ଉଚ୍ଚକୋଟୀର ଚଳଚିତ୍ର ନିର୍ମାଣ କରାଯିବ । ତେବେ ଚଳଚ୍ଚିତ୍ର ପ୍ରଦର୍ଶିତ ହେବା ପରେ ଏନଏସଡିଆନ ରାମଚନ୍ଦ୍ର ସାହୁ, ବରିଷ୍ଠ କଳାକାର ଦତ୍ତାନନ୍ଦ ପଣ୍ଡା, ନାଟ୍ୟ ନିର୍ଦ୍ଦେଶକ ପ୍ରଶାନ୍ତ ଖମାରୀ ଓ କୁନା ବାଗ ପ୍ରମୁଖ ସେମାନଙ୍କ ଟିପ୍ପଣୀ ରଖିଥିଲେ । ଖୁବ ଶୀଘ୍ର ଏହି ଉଭୟ ଚଳଚ୍ଚିତ୍ର ୟୁଟ୍ୟୁବରେ ଉପଲବ୍ଧ ହେବା ସହିତ ବିଭିନ୍ନ ପ୍ରତିଯୋଗୀତାକୁ ପଠାଯିବ ବୋଲି ଏହାର ନିର୍ଦ୍ଦେଶକ ଶ୍ରୀ ପାଣିଗ୍ରାହୀ କହିଛନ୍ତି । କାର୍ୟ୍ୟକ୍ରମକୁ ସଂଯୋଜନା କରିଥିଲେ ଧୀରାଜ ବେଜ ।