ଅବସର ଦିନ ହିଁ ପେନ୍‌ସନ୍‌ ପ୍ରଦାନ

ସୋନପୁର, (କେପିଏନ୍‌ଏସ୍‌) : ସୋନପୁର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟରତ ୫ ଜଣ ଶିକ୍ଷକ ଓ କର୍ମଚାରୀ ଆଜି ସେମାନଙ୍କର ସରକାରୀ ଚାକିରିରୁ ଅବସର ନେଇଛନ୍ତି । ସୋନପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତରଫରୁ ସର୍ବମୋଟ ୫ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଆଜି ଅବସର ଦିନ ହିଁ ଫାଇନାଲ୍‌ ପେନ୍‌ସନ୍‌ ଓ ବାକି ଦୁଇ ଜଣଙ୍କୁ ପ୍ରୋଭିଜନାଲ୍‌ ପେନ୍‌ସନ୍‌ ପ୍ରଦାନ କରାଯାଇଛି । ଯେଉଁ ତିନି ଜଣଙ୍କୁ ଫାଇନାଲ ପେନ୍‌ସନ୍‌ ପ୍ରଦାନ କରାଗଲା ସେମାନେ ହେଲେ ପଂଚାୟତ ଉଚ୍ଚ ବିଦ୍ୟାଳୟ ବଡ଼କରଲେର ସହକାରୀ ଶିକ୍ଷକ ପ୍ରମୋଦ କୁମାର ପଧାନ, ଆଦିବାସୀ ପଂଚାୟତ ଉଚ୍ଚ ବିଦ୍ୟାଳୟ ସହଲାର କ୍ରୀଡା ଶିକ୍ଷକ ଜିତେନ୍ଦ୍ରିୟ ବୁଡ଼େକ ଓ କମସରା ଉଚ୍ଚ ବିଦ୍ୟାଳୟ କମସରାର ପିଅନ୍‌ ପଞ୍ଚାନନ ସାମନ୍ତରାୟ । ସେହିପରି ଯେଉଁ ଦୁଇ ଜଣଙ୍କୁ ପ୍ରୋଭିଜନାଲ୍‌ ପେନ୍‌ସନ୍‌ ପ୍ରଦାନ କରାଯାଇଛି ସେମାନେ ହେଲେ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ତରଭାର ପ୍ରଧାନ ଶିକ୍ଷକ ଅଶୋକ କୁମାର ରଥ ଏବଂ ଗୋପାଳଜୀ ଉଚ୍ଚ ବିଦ୍ୟାଳୟ ସିଲାଟିର ଖେଳ ଶିକ୍ଷକ ଶେଷଦେବ ହୋତା । ଏହି ଉପଲକ୍ଷେ ଆୟୋଜିତ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ସୋନପୁର ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ସମସ୍ତ ପ୍ରାପ୍ୟ ସମ୍ବନ୍ଧୀୟ କାଗଜ ପତ୍ର ସମସ୍ତ ୫ ଜଣ ଶିକ୍ଷକ ଓ କର୍ମଚାରୀଙ୍କୁ ହସ୍ତାନ୍ତର କରିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ମଞ୍ଜୁଲତା ଭୋଇଙ୍କ ସମେତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଉପରୋକ୍ତ କର୍ମଚାରୀ ମାନଙ୍କୁ ସଠିକ୍‌ ସମୟରେ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯାଇଥିବାରୁ ସୋନପୁର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ କନ୍‌ଟ୍ରୋଲର୍‌ ଅଫ ଆକାଉଣ୍ଟ ଅଶୋକ କୁମାର ମହାନ୍ତି ଓ ଆସିଷ୍ଟାନ କନ୍‌ଟ୍ରୋଲର୍‌ ଅଫ ଆକାଉଣ୍ଟ ପଦାରବିନ୍ଦ ମହାପାତ୍ରଙ୍କୁ ସାଧୁବାଦ ଜଣାଯାଇଛି । ସୋନପୁର ଶିକ୍ଷା କାର୍ଯ୍ୟାଳୟର ଏହି କାର୍ଯ୍ୟାକୁ ଜିଲ୍ଲାର ବୁଦ୍ଧିଜୀବି ମହଳରେ ଉଚ୍ଚ ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.