ପରିତ୍ୟକ୍ତା ଶିଶୁ କନ୍ୟାଙ୍କୁ ପ୍ରତିପାଳନ ଯତ୍ନ ପାଇଁ ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଗତ ଅକ୍ଟୋବର ୨୦୨୦ରେ ପାଟଣାଗଡ ଅଂଚଳରୁ ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର ହୋଇଥିବା ଶିଶୁ କନ୍ୟାଙ୍କୁ ଆସାନସୋଲର ଯୋଗ୍ୟ ଦମ୍ପତ୍ତିଙ୍କୁ ପୋଷ୍ୟ ସନ୍ତାନ ଗ୍ରହଣ ଅଧିନିୟମ ୨୦୧୭ ଅନୁଯାୟୀ ପ୍ରତିପାଳନ ଯତ୍ନ ନିମନ୍ତେ ପ୍ରଦାନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗିର ଖବର କାଗଜ ବିଜ୍ଞାପନ ମାଧ୍ୟମରେ, ପୋଲିସ ବିଭାଗ ଓ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ ଅନୁଷ୍ଠାନ ବଲାଙ୍ଗିର ଉପରୋକ୍ତ ଶିଶୁ କନ୍ୟାଙ୍କର ଜନ୍ମଦାତ୍ରୀ ମା’, ମାତାପିତା, ଆତ୍ମୀୟ ସ୍ୱଜନ, ଅଭିଭାବକ ବା ଦାବିଦାରଙ୍କର କୌଣସି ଖୋଜ ଖବର ନ ପାଇବାରୁ ବିଧି ଅନୁଯାୟୀ ଶିଶୁ ମଙ୍ଗଳ ସମିତି ଏହି ଶିଶୁ କନ୍ୟାଙ୍କୁ ଆଇନ ଅନୁଯାୟୀ ପୋଷ୍ୟ ସନ୍ତାନ ଭାବେ ଯିବା ପାଇଁ ଯୋଗ୍ୟ ଘୋଷଣା କରିଥିଲେ । ଏହି ପ୍ରକ୍ରିୟା ପରେ ପୋଷ୍ୟ ସନ୍ତାନ ଗ୍ରହଣ ଅନୁଷ୍ଠାନ ବଲାଙ୍ଗିର କର୍ତ୍ତୃପକ୍ଷ ଶିଶୁ କନ୍ୟାଙ୍କ ସମସ୍ତ ବିବରଣୀ (କେରିଙ୍ଗସ୍‌ )ରେ ଅପଲୋଡ୍‌ କଲାପରେ ପୂର୍ବରୁ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଅନ୍‌ ଲାଇନରେ ଆବେଦନ କରି ପଞ୍ଜିକୃତ ହୋଇଥିବା ଆସାନସୋଲର ଆବେଦକ ଦମ୍ପତ୍ତି ଙ୍କୁ ବିଭାଗ ତରଫରୁ ପୋଷ୍ୟ ସନ୍ତାନ ଭାବେ ନେବାକୁ ପ୍ରସ୍ତାବ ଅନ୍‌ଲାଇନରେ ଯାଇଥିଲା । ପ୍ରସ୍ତାବଟିକୁ ଉକ୍ତ ଦମ୍ପତ୍ତି ସଂରକ୍ଷିତ ରଖି ବଲାଙ୍ଗିର ଆସି ଶିଶୁ କନ୍ୟାଙ୍କୁ ଦେଖି ଗ୍ରହଣ କରିବାକୁ ରାଜି ହୋଇଥିଲେ । ଏହି ପ୍ରତିପାଳନ ଯତ୍ନ ପ୍ରଦାନ ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂହ, ଶିଶୁ ମଙ୍ଗଳ ସମିତି ସଭ୍ୟା ସୁନିତା ତ୍ରିପାଠି, ଆନନ୍ଦିନୀ ରଥ, ସୁଧାଂଶୁ କୁମ୍ଭାର, ଚୁଡାମଣି ପଣ୍ଡା, ସଂଯୋଜକ ଚାଇଲ୍ଡ ଲାଇନ, ଗ୍ରାମ ମଙ୍ଗଳ ପାଠାଗାର ସାଲେପାଲିର ସଂପାଦକ କ୍ଷମାନିଧି ମେହେର, ଅରୁଣ ଖୁଆସ ପ୍ରମୁଖ ଉପସ୍ଥିତ ଥିଲେ । ନିୟମନୁଯାୟୀ ଏହା ପରେ ପୋଷ୍ୟ ସନ୍ତାନ ଗ୍ରହଣ ଚୁକ୍ତିନାମା ତଥା ଆଦେଶ ପାଇଁ ସ୍ଥାନୀୟ ଜିଲ୍ଲା ଜଜ୍‌ ବା ଫେମିଲି କୋର୍ଟରେ ଆବେଦନ କରାଯିବ ।

jittmm
Leave A Reply

Your email address will not be published.