- ବିଭିନ୍ନ ସରକାରୀ ଯୋଜନାର ନାଁ ନେଇ ଭଲ କି, ଆପଣମାନେ ଖୁସି ତ ବୋଲି କହିଲେ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍ ଗଁରେଇ ଖେଳ ପଡିଆରେ ମୁଖ୍ୟମନ୍ତ୍ରୀ ତଥା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ନବୀନ ପଟ୍ଟନାୟକ ମାରାଥନ୍ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ସେ ପ୍ରଥମେ ସିନ୍ଧେକେଲାରେ ନିର୍ବାଚନ ପ୍ରଚାର ସାରି ଗଁରେଇକୁ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ନିଜ ସ୍ୱଳ୍ପ ଅଭିଭାଷଣରେ ସରକାରଙ୍କ ଦ୍ଵାରା ଚାଲିଥିବା ବହୁ ଯୋଜନାର ନାଁ ନେଇ ଏହା ଭଲ କି ବୋଲି ପଚାରିବା ସହ ଆପଣମାନେ ଏଥିରେ ଖୁସି ତ ବୋଲି ମନ୍ତବ୍ୟ ଦେଇଥିଲେ । ତାଙ୍କ ସହିତ ଉପସ୍ଥିତ ୫ଟି ତଥା ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ ମଧ୍ୟ ବିଭିନ୍ନ ପ୍ରକାରର ସରକାରୀ ଯୋଜନାର ସୁଫଳ ଆପଣମାନେ ପାଉଥିବା ତଥା ଜୁଲାଇ ମାସରୁ ବିଜୁଳି ବିଲ୍ ମଧ୍ୟ ଆଉ ଦେବାକୁ ପଡ଼ିବ ନାହିଁ ବୋଲି ବଡ ଘୋଷଣା କରିଥିଲେ । ଏଣୁ ପୁଣିଥରେ ଏଠାରୁ ରେକର୍ଡ଼ ସଂଖ୍ୟକ ଭୋଟରେ ମୁଖ୍ୟମନ୍ତ୍ରୀଙ୍କୁ ବିଜୟୀ କରି ତାଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ଆପଣମାନେ ଆଶୀର୍ବାଦ ପ୍ରଦାନ କରନ୍ତୁ ବୋଲି ସେ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଏହି ନିର୍ବାଚନୀ ସଭାରେ ବଲାଙ୍ଗିର ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ, କଣ୍ଟାବାଞ୍ଜିର ପୂର୍ବ ବିଧାୟକ ହାଜି ମହମ୍ମଦ ଆୟୁବ ଖାଁ, ମୁରିବାହାଲ ବ୍ଲକ୍ ଅଧ୍ୟକ୍ଷ ହରିବନ୍ଧୁ ମେହେର, ଯୁବନେତା ଗିରିରାଜ ସିଂ ମାଝୀ, ଜିଲ୍ଲା ସାଧାରଣ ସମ୍ପାଦକ ଫିରୋଜ ଖାଁ, ମୁରିବାହାଲ ବ୍ଲକ୍ ବିଜେଡ଼ି ଉପସଭାପତି ଧନଞ୍ଜୟ ମହାନନ୍ଦ ପ୍ରମୁଖ ମଞ୍ଚାସୀନ ଥିଲେ । ନୂତନ ଭାବେ ବିଜେଡିରେ ଯୋଗ ଦେଇଥିବା ମୁରିବାହାଲ ବ୍ଲକ୍ ସରପଞ୍ଚ ସଂଘ ସଭାପତି ବିଶ୍ୱବିହାରୀ ଯୋଶୀଙ୍କ ନେତୃତ୍ୱରେ ବ୍ଲକ୍ର ସମସ୍ତ ସରପଞ୍ଚମାନେ ଏହି କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ରୂପେ ଉପସ୍ଥିତ ଥିଲେ । ସେହିପରି ମୁରିବାହାଲ, ତୁରେକେଲା ଓ ବଙ୍ଗୋମୁଣ୍ଡା ବ୍ଲକ୍ର ବହୁ ବରିଷ୍ଠ ବିଜେଡ଼ି ନେତୃବୃନ୍ଦ, କର୍ମକର୍ତ୍ତା ତଥା ତିନି ବ୍ଲକ୍ ଅଞ୍ଚଳରୁ ଆସିଥିବା ନିର୍ବାଚିତ ଲୋକପ୍ରତିନିଧି, ହଜାର ହଜାର ମହିଳା ଓ ଯୁବ ଭୋଟର୍ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ବ୍ଲକ୍ ଅଞ୍ଚଳରେ ପ୍ରଥମ ନିର୍ବାଚନୀ ସଭାରେ ଯୋଗଦାନକୁ ନେଇ କର୍ମୀ ମହଲରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଥିଲା । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ମୁତୟନ ହୋଇଥିଲେ ।