ପୋଷଣ ଦିବସ ଓ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ ଶିକ୍ଷା ଶପଥ ସପ୍ତାହ ପାଳନ ଅବସରରେ ୬ଷ୍ଠ ଦିନରେ ‘ମା’ ପାଇଁ ଗଛଟିଏ ଓ ପୋଷଣ ଦିବସ’ କାର୍ଯ୍ୟକ୍ରମ ଡେଲାଙ୍ଗ ବ୍ଲକର ବେଲପଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିନିମନ୍ତେ ଆୟୋଜିତ ସଭାରେ ସ୍ଥାନୀୟ ମୁନିନ୍ଦା ଗ୍ରାମପଞ୍ଚାୟତର ସରପଞ୍ଚ ଶେଷଦେବ ବାରିକ ଅଧ୍ୟକ୍ଷତା କରିବା ସହିତ, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ତ୍ରିପାଠୀ ମୁଖ୍ୟ ଅତିଥି, ସମ୍ମାନିତ ଅତିଥିଭାବେ ପଲ୍ଲୀ ସଂସ୍କୃତିର କଳା ପରିଷଦର ଅଧ୍ୟକ୍ଷ ତଥା ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ସମାଜସେବୀ ଅପର୍ତ୍ତି ମହାପାତ୍ର, ସମାଜସେବୀ ଅନାମ ମଲ୍ଲିକ ଓ ମୁନିନ୍ଦା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦୟାନିଧି ମାର୍ଥା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅଞ୍ଜନ ପରିଡା ପ୍ରମୁଖ ଯୋଗଦେଇ ଆଜିର ସମୟରେ ବୃକ୍ଷ ରୋପଣର ଆବଶ୍ୟକତା ବିଷୟରେ ବିଭିନ୍ନ ସୁନ୍ଦର ସୁନ୍ଦର ଗପ ଓ ଉଦାହରଣ ମାଧ୍ୟମରେ ଉପସ୍ଥିତ ଛାତ୍ରଛାତ୍ରୀ, ମା’ ଓ ଅଭିଭାବକ ମାନଙ୍କୁ ବୁଝାଇ କହିଥିଲେ । ଏହି ସଭା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସରୋଜିନୀ ଜେନାଙ୍କ ଆବାହନ ଓ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ସଭା ଶେଷରେ ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ବିରାଜିନୀ ପ୍ରଧାନ ତାଙ୍କ ଅଭିଭାଷଣ ଦେବା ସହିତ ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ଜେନା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ ପୂର୍ବକ ପ୍ରଧାନ ଶିକ୍ଷୟିତ୍ରୀ ଜେନାଙ୍କ ଦ୍ୱାରା ଲିଖିତ ପରିବେଶ ଭିତ୍ତିକ ଶିଶୁକବିତା ପୁସ୍ତକ ‘କେଡେ ଉପକାରୀ ଗଛଟି ସତେ’ ଯାହାକି ଓଡ଼ିଶା ସରକାରଙ୍କ ଶିକ୍ଷା ପ୍ରାଧିକରଣ ବିଭାଗ ଦ୍ଵାରା ମନୋନୀତ ହୋଇ ସରକାରଙ୍କ ଦ୍ୱାରା ରାଜ୍ୟର ସମସ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯୋଗାଇ ଦିଆଯାଇଥିଲା । ଅତିଥି, ମା’ ମାନେ ଓ ପିଲାମାନଙ୍କୁ ଚାରା ବଣ୍ଟନ ପୂର୍ବକ ସଭାସାଙ୍ଗ କରାଯାଇଥିଲା । ପରେ ପରେ ଅତିଥି ମାନଙ୍କ ଦ୍ଵାରା ବିଦ୍ୟାଳୟ ପରିସରରେ ହରିଡା, ବାହାଡା, ଅଁଳା, ବେଲ, ବଉଳ, ନାଗଚମ୍ପା, ରକ୍ତ ଚନ୍ଦନ ଇତ୍ୟାଦି ଚାରା ରୋପଣ କରାଯାଇଥିଲା ଓ ବିଦ୍ୟାଳୟ ତରଫରୁ ଚାରା ଗଛ ମା’ମାନଙ୍କୁ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ସମସ୍ତ ସଦସ୍ୟ ଓ ଅଭିଭାବକ ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଖୁବ୍ ସରସ ସୁନ୍ଦର ହୋଇଥିଲା ।

Leave A Reply

Your email address will not be published.