centurian jitm

ସିନିଅର୍‌ ସିଟିଜନ୍‌ଙ୍କୁ ଠକି ହଡ଼ପ୍‌ କରୁଥିଲେ ଟଙ୍କା : ଯୁବକଙ୍କୁ ଗିରଫ୍‌ କଲା ବଲାଙ୍ଗିର ଟାଉନ୍‌ ପୋଲିସ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ସିନିଅର୍‌ ସିଟିଜନ୍‌ମାନଙ୍କୁ ଏଟିଏମ୍‌ରୁ ଟଙ୍କା କାଢ଼ିରେ ସାହାଯ୍ୟ କରିବା ବାହାନାରେ ଏଟିଏମ୍‌ ଅଦଳ ବଦଳ କରି ଚତୁରତାର ସହ ସିନିଅର୍‌ ସିଟିଜନ୍‌ଙ୍କ ଟଙ୍କା ହଡ଼ପ୍‌ କରୁଥିବା ଜଣେ ଯୁବକଙ୍କୁ ଗିରଫ୍‌ କରିଛି ବଲାଙ୍ଗିର ଟାଉନ୍‌ ପୋଲିସ । ଏ ସଂକ୍ରାନ୍ତରେ ବଲାଙ୍ଗିର ଏସ୍‌ଡ଼ିପିଓ ପ୍ରଦୀପ କୁମାର ସାହୁ ଏକ ସାମ୍ବାଦିକ ସମ୍ମିଳନୀର ଆହ୍ୱାନ କରି ସୂଚନା ଦେଇଛନ୍ତି । ଦିଆଯାଇଥିବା ସୂଚନା ଅନୁସାରେ ଗତ ୫ ତାରିଖ ପ୍ରାୟ ଦିନ ୧୨ଟା ସମୟରେ ବଲାଙ୍ଗିର ସହର ରମାଇପଡ଼ା ନିବାସୀ କ୍ଷୀତିଶ ରଂଜନ ମେହେର(୮୩) ଚନ୍ଦ୍ରଶେଖରନଗରରେ ଥିବା ଏଟିଏମ୍‌ କାଉଣ୍ଟର୍‌କୁ ଟଙ୍କା କାଢ଼ିବା ପାଇଁ ଆସିଥିଲେ । ଅଧିକ ବୟସ ଯୋଗୁଁ ଏଟିଏମ୍‌ରୁ ଟଙ୍କା କାଢ଼ିବାରେ ସେ ଅସୁବିଧାର ସମ୍ମୁଖୀନ ହେବା ବେଳକୁ ତାଙ୍କୁ ଜଣେ ଯୁବକ ସାହାଯ୍ୟ କରିବା ବାହାନାରେ ତାଙ୍କୁ ଏଟିଏମ୍‌ କାର୍ଡ ଏବଂ ପିନ୍‌ କୋଡ୍‌ ମାଗିଥିଲେ ଓ ଯୁବକ ଜଣକ ଚତୁରତାର ସହ ଶ୍ରୀ ମେହେରଙ୍କ ଏଟିଏମ୍‌ କାର୍ଡକୁ ବଦଳାଇ ତାଙ୍କୁ ନିଜ ଏଟିଏମ୍‌ କାର୍ଡ ଦେଇ ଫେରାର୍‌ ହୋଇଯାଇଥିଲେ । ଏହାପରେ ଯୁବକ ଜଣକ ବଲାଙ୍ଗିର ସହରର ଭାଗୀରଥି ଛକ ସ୍ଥିତ ଏଟିଏମ୍‌ କାଉଣ୍ଟର୍‌ରୁ ଶ୍ରୀ ମେହେରଙ୍କ ଏଟିଏମ୍‌ କାର୍ଡ ବ୍ୟବହାର କରି ୪୦ ହଜାର ଟଙ୍କା କାଢ଼ିବା ସହ ତାଙ୍କ ବାଇକ୍‌ରେ ୯ ଶହ ଟଙ୍କାର ପେଟ୍ରୋଲ ପକାଇଥିଲେ । କୌଣସି ସୂତ୍ରରୁ ସିନିଅର୍‌ ସିଟିଜନ୍‌ ଶ୍ରୀ ମେହେର ତାଙ୍କ ଏଟିଏମ୍‌ ଜାଲିଆତି ସଂପର୍କରେ ଜାଣିବା ପରେ ଗତ ୬ ତାରିଖ ଦିନ ବଲାଙ୍ଗିର ଟାଉନ୍‌ ଥାନାରେ ଏ ସଂକ୍ରାନ୍ତରେ ଅଭିଯୋଗ କରିଥିଲେ । ଏହାପୂର୍ବରୁ ଏଭଳି ତିନି ଚାରୋଟି ଅଭିଯୋଗ ଟାଉନ୍‌ ଥାନାରେ ପହଂଚିଥିବା ଯୋଗୁଁ ଏହି ମାମଲାକୁ ଗୁରୁତ୍ୱ ସହକାରେ ଗ୍ରହଣ କରିଥିବା ପୋଲିସ । ଏହାପରେ ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିବା ବେଳେ ଅଭିଯୁକ୍ତ ଯୁବକଙ୍କୁ ସମ୍ବଲପୁରରୁ ଗିରଫ୍‌ କରିଛି ବଲାଙ୍ଗିର ଟାଉନ୍‌ ପୋଲିସ । ସଂପୃକ୍ତ ଅଭିଯୁକ୍ତ ଜଣକ ହେଲେ ବରଗଡ଼ ସଦର ଥାନା ଅନ୍ତର୍ଗତ ତୋରା ନିବାସୀ ଜୟ ସରାଫ(୩୩) । ଏହି ଯୁବକଙ୍କ ଶ୍ୱଶୁର ଘର ଟିଟିଲାଗଡ଼ ସହରରେ ହୋଇଥିବା ବେଳେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏଭଳି ଅନେକ ଘଟଣାରେ ସେ ସଂପୃକ୍ତ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଏହାପୂର୍ବରୁ ତାଙ୍କ ନାମରେ ବିଭିନ୍ନ ଥାନାରେ ୮ଟି ଏଭଳି ଠକେଇ ମାମଲା ରହିଥିବା କୁହାଯାଇଛି । ଅଭିଯୁକ୍ତ ଜୟ ସରାଫ୍‌ ଏଭଳି ନିରୀହ ସିନିଅର୍‌ ସିଟିଜନ୍‌ମାନଙ୍କୁ ଠକି ହାତଉଥିବା ଟଙ୍କାରେ ସୁନା ରୂପ କିଣି ନିଜ ପାଖରେ ରଖିଥିବା ମଧ୍ୟ ସୂଚନା ଦିଆଯାଇଛି । ଅଭିଯୁକ୍ତଙ୍କ ପାଖରୁ ନଗଦ ୪୧ ହଜାର ୬୮୫ ଟଙ୍କା, ଗୋଟିଏ ସୁନାର ମଙ୍ଗଳସୂତ୍ର, ଗୋଟିଏ ସୁନା ଚେନ୍‌, ୩ଟି ଏଟିଏମ୍‌ କାର୍ଡ, ଗୋଟିଏ ବୁଲେଟ୍‌ ଏବଂ ଅନ୍ୟ ଏକ ବାଇକ୍‌, ଗୋଟିଏ ମୋବାଇଲ୍‌ ଫୋନ୍‌ ସହ ଆହୁରି ଅନେକ ଆପତ୍ତିଜନକ ସାମଗ୍ରୀ ଉଦ୍ଧାର କରିଛି ବଲାଙ୍ଗିର ଟାଉନ୍‌ ପୋଲିସ ।

Leave A Reply

Your email address will not be published.