ପେଟ୍ରୋଲ୍‌ ପମ୍ପରେ ଲୁଟ୍‌ କରିଥିବା ୩ ଅଭିଯୁକ୍ତଙ୍କୁ ଗିରଫ୍‌ କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୩୦ ତାରିଖ ଦିନ ରାତିରେ ସ୍ଥାନୀୟ ପେଲେସ୍‌ଲାଇନ୍‌ ସ୍ଥିତ ଇଣ୍ଡିଆନ୍‌ ଓଏଲ୍‌ ପେଟ୍ରୋଲ ପମ୍ପ୍‌ରେ ଘଟିଥିବା ଲୁଟ୍‌ ଘଟଣାର ୩ ଅଭିଯୁକ୍ତଙ୍କୁ ଗିରଫ୍‌ କରିବାରେ ବଲାଙ୍ଗିର ଆଦର୍ଶ ଟାଉନ୍‌ ଥାନା ପୋଲିସକୁ ସଫଳତା ମିଳିଛି । ତେବେ ଏ ଘଟଣା ସଂପର୍କରେ ସୂଚନା ପ୍ରଦାନ କରିଛନ୍ତି ଆଇଆଇସି ସଂଗ୍ରାମ କେଶରୀ ପଟ୍ଟନାୟକ । ସୂଚନା ଅନୁସାରେ ୩୦ ତାରିଖ ଦିନ ରାତିରେ କେତେଜଣେ ଅଜଣା ବ୍ୟକ୍ତି ସଂପୃକ୍ତ ପେଟ୍ରୋଲ୍‌ ପମ୍ପରେ ନିଜ ସ୍କୁଟିରେ ପେଟ୍ରୋଲ ପକାଇ ପଇସା ନଦେଇ ଚାଲି ଯାଇଥିଲା । ଏହାର କିଛି ସମୟ ପରେ ଜଣେ ମହିଳା ଓ ପୁରୁଷ ଏକ ମୋଟର ସାଇକେଲରେ ଆସି ପେଟ୍ରୋଲ ପକାଇଲେ ଏବଂ ସେମାନେ ଉଚିତ ମୂଲ୍ୟ ଦେଇଥିଲେ । ତେବେ ଏହାର ଅଧଘଂଟା ପରେ ପଇସା ନ ଦେଇ ଚାଲିଯାଇଥିବା ଅଜଣା ବ୍ୟକ୍ତିମାନେ ପୁଣି ପମ୍ପକୁ ଆସିଥିଲେ ଏବଂ ଖଣ୍ଡା ଦେଖାଇବା ସହ ପେଟ୍ରୋଲ ପମ୍ପରେ କାମ କରୁଥିବା କର୍ମଚାରୀମାନଙ୍କୁ ଭୟଭୀତ କରିଥିଲେ । ପୋଲିସକୁ ଖବର ଦେଲେ ଜୀବନରେ ମାରି ଦେବାକୁ ମଧ୍ୟ ସେମାନେ କର୍ମଚାରୀମାନଙ୍କୁ ଧମକ୍‌ ଚମକ୍‌ ଦେଇଥିଲେ । ଜୋର୍‌ ଜବର୍‌ଦସ୍ତ ଜାର୍‌କିନ୍‌, ବୋତଲ ଏବଂ ଷ୍ଟିଲ୍‌ ଡଷ୍ଟବିନ୍‌ରେ ପେଟ୍ରୋଲ୍‌ ଭରିଚରି ନେଇଯିବା ସହ ୧୦ ହଜାର ଟଙ୍କା ଲୁଟ୍‌ କରି ଫେରାର୍‌ ହୋଇଥିଲେ । କର୍ମଚାରୀମାନେ ଦୁର୍ବୃତ୍ତଙ୍କ ଧମକରେ ଭୟଭୀତ ହୋଇଯାଇଥିଲେ ମଧ୍ୟ ବିଳମ୍ବରେ ପୋଲିସକୁ ସୂଚନା ଦେଇଥିଲେ । ତେବେ ଲୁଟ୍‌ର ଶିକାର ହୋଇଥିବା ବିଜୟ ପଣ୍ଡାଙ୍କ ଅଭିଯୋଗକୁ ଭିତ୍ତି କରି ବଲାଙ୍ଗିର ଟାଉନ ପୋଲିସ କେସ ନଂ.୫୮୮/୩୧/୧୨/୨୦୨୦ ଧାରା ୩୯୨ ଆଇପିସି ଆଧାରରେ ତଦନ୍ତ ଆରମ୍ଭ କରିଥିଲା । ତେବେ ବଲାଙ୍ଗିର ପୋଲିସକୁ ଏ ଘଟଣାରେ ସଫଳତା ମିଳିଥିବା ବେଳେ ବଲାଙ୍ଗିର ସଦର ଥାନା ଅଧୀନସ୍ଥ ସିନ୍ଦୁରବାହାଲର ପିଣ୍ଟୁ ଓରଫ୍‌ ଅଜିତ ସୁନା(୨୨), ବଣ୍ଟି ସୁନା(୨୪) ଓ ତୁଷୁରା ଥାନା ଅଧୀନସ୍ଥ ବରଗାଁର ଜଗନ୍ନାଥ ସାହୁ(୨୬)କୁ ଏହି ଘଟଣାରେ ପୋଲିସ ଗିରଫ୍‌ କରିଛି । ଅଭିଯୁକ୍ତମାନଙ୍କ ଠାରୁ ପୋଲିସ ଘଟଣାରେ ବ୍ୟବହ୍ୟୃତ ସ୍କୁଟି, ଅସ୍ତ୍ରଶସ୍ତ୍ର ତଥା ଚୋରି ହୋଇଥିବା ୩୫ ଲିଟିର ପେଟ୍ରୋଲ ମଧ୍ୟ ଜବତ୍‌ କରିଥିବା କୁହାଯାଇଛି ।

Leave A Reply

Your email address will not be published.