କଣ୍ଟାବାଞ୍ଜିରେ ଅଜବ ଘଟଣା : ବାହାଘର ପୂର୍ବରୁ ପ୍ରେମିକା ସହ ଫେରାର ବର, ଅଟକିଲା ବିବାହ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜି ଥାନା ଅଧୀନ କନ୍ଧବାହାଲ ଅଞ୍ଚଳରେଏଭଳି ଏକ ଅଜବ ଓ ଚର୍ଚ୍ଚିତ ଘଟଣା ଘଟିଛି । ବରଯାତ୍ରୀ ଆସିବା ପୂର୍ବରୁ ବର ପ୍ରେମିକାଙ୍କୁ ନେଇ ଫେରାର ହୋଇଯାଇଥିବାରୁ ବିହାଘର ଅଟକିଯାଇଛି । ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲାର କନ୍ଧବାହାଲ ଗାଁର ପବିତ୍ର ବନଛୋରଙ୍କ ଝିଅଙ୍କ ସହ ମୁରିବାହାଲ ବ୍ଲକ ସାଲେପଡା ନୂଆପଡା ଗାଁର ନୀଳାଚଳ ଛତ୍ରିଆଙ୍କ ବିବାହ ନିର୍ଦ୍ଧାରିତ ଥିଲା । ବୁଧବାର ଦିନ ପିନ୍ଧାନୀ ସହ ବିବାହ କାର୍ଯ୍ୟ ସମ୍ପନ୍ନ ହେବାକୁ ଥିଲା ଏବଂ ବରଯାତ୍ରୀ ଆସିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା । କିନ୍ତୁ ନିର୍ଦ୍ଧାରିତ ସମୟରେ ବରଘର ପକ୍ଷରୁ କେହି ମଧ୍ୟ କନ୍ୟାଘରକୁ ପହଞ୍ଚିନଥିଲେ । ଏନେଇ କନ୍ୟାଙ୍କ ପିତା ଫୋନ୍‌ ଯୋଗେ ବରଘର ସହ ଯୋଗାଯୋଗ କରିଥିବାବେଳେ, ବରଙ୍କ ବାପା ପୁଅ ପ୍ରେମିକାଙ୍କୁ ନେଇ ଫେରାର ହୋଇଥିବା କଥା ସ୍ୱୀକାର କରିଥିବା ଜଣାପଡ଼ିଛି । ଘଟଣା ପରେ କନ୍ୟାପକ୍ଷରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା । ବରଘର ପରିବାର ପାଇଁ ମାଂସ ଓ ଭୋଜିଭାତର ବିଶେଷ ବ୍ୟବସ୍ଥା କରାଯାଇଥିଲା । ବରଙ୍କ ପାଇଁ ଏକ ମୋଟରସାଇକେଲ ସହ ବିଭିନ୍ନ ସାମଗ୍ରୀ କ୍ରୟ କରି ପ୍ରାୟ ପାଞ୍ଚ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା କନ୍ୟାପକ୍ଷ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ କନ୍ୟାପକ୍ଷ କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି । ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.