ଦୁଇ ବର୍ଷ ପୂରିଲା ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ : କେବଳ ଦୀପ ଧୁପ ପର୍ଯ୍ୟାପ୍ତ ନୁହେଁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଲୋମହର୍ଷଣକାରୀ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଦୁଇ ବର୍ଷ ପୂରି ଯାଇଛି । ଦୁଇ ବର୍ଷ ପୁର୍ବେ ଠିକ ଆଜିର ଦିନରେ ଶ୍ରୀନଗର ଅବନ୍ତିପୁର ଜିଲ୍ଲାର ପୁଲୱାମା ଠାରେ ବିସ୍ଫୋରଣରେ ୪୦ରୁ ଅଧିକ ସିଆରପିଏଫ ଜବାନ ସହିଦ ହୋଇଥିଲେ । ଏହି ଦିନକୁ ସ୍ମରଣ କରି ସହରର ବିଭିନ୍ନ ଅନୁଷ୍ଠାନମାନଙ୍କ ତରଫରୁ ଦିବଙ୍ଗତ ସହିଦମାନଙ୍କ ଉଦ୍ଦେଶ୍ୟରେ ମହମବତୀ, ଦୀପ, ଧୁପ ଦେଇ ଶ୍ରଦ୍ଧାଂଜଳି ଜ୍ଞାପନ କରାଯାଇଛି । ଶାନ୍ତିପଡା ଠାରେ ଥିବା ସିଆରପିଏଫ କ୍ୟାମ୍ପରେ ୧୮୯ ବ୍ୟାଟାଲିଅନ ସିଆରପିଏଫ ଓ ସ୍ଥାନୀୟ ସ୍ୱେଚ୍ଛାସେବୀମାନଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ କମାଣ୍ଡେଣ୍ଟ ଅଫିସର ଜୋଗିନ୍ଦର ସିଂ ମୋର୍ଯ୍ୟ ସମେତ ସ୍ଥାନୀୟ ସ୍ୱେଚ୍ଛାସେବୀ ସନ୍ଦିପ ବାଗ, ସନ୍ତୋଷ ପଟ୍ଟନାୟକ, ଜୟଦେବ ୟାଦବ, ପାର୍ଥ କରଣ ଓ ପ୍ରଶାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଶହୀଦ ଜବାନମାନଙ୍କକ ଉଦ୍ଦେଶ୍ୟରେ ପଶ୍ଚିମ ଓଡିଶା ଯୁବା ମଞ୍ଚ ତରଫରୁ ପୁରୁଣା ଯୋଗାଣ ବିଭାଗ କାର୍ୟ୍ୟାଳୟରୁ କଚେରୀ ଛକ ସ୍ଥିତ ବାବା ସାହେବଙ୍କ ମୁର୍ତ୍ତି ପର୍ୟ୍ୟନ୍ତ ଏକ ମହମବତୀ ଶୋଭାଯାତ୍ରା କରାଯାଇଥିଲା । ଶୋଭାଯାତ୍ରାରେ ଅନେକ ଯୁବକ ଯୋଗ ଦେଇ ଶହୀଦ ଜବାନ ଓ ଭାରତ ମାତାର ଜୟଗାନ କରି ଶହୀଦ ଜବାନ ଅମର ରୁହନ୍ତୁ ବୋଲି ସ୍ଲୋଗାନ ଦେଇ ଅମର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହି ଶୋଭାଯାତ୍ରାରେ ଅଭିଶେକ ଦାଶଙ୍କ ନେତୃତ୍ୱରେ ବିଙ୍ଗ ହ୍ୟୁମାନର ସୋମନାଥ ମିଶ୍ର, ବିବେକା, ବିନୋଦ କାଲସାଏ, ରିଲୁ ରଥ, ନିରୋଜ ମିଶ୍ର, ସୋମନାଥ ପ୍ରମୁଖ ଉପସ୍ଥିତ ଥିଲେ ।

ତେବେ ଠିକ୍‌ ଏହି ଶୋଭାଯାତ୍ରା ଯିବା ସମୟରେ କିଛି ସମୟ ପାଇଁ ଟ୍ରାଫିକ ବାଧାପ୍ରାପ୍ତ ହୋଇଥିିଲା । ଶୋଭାଯାତ୍ରାକୁ ରାସ୍ତା ଦେଉଥିବା ଜଣେ ବୃଦ୍ଧ ହଠାତ କହି ଉଠିଥିଲେ, ଚାଳିସରୁ ଅଧିକ ଭାରତମାତାର ବୀର ପୁତ୍ରଙ୍କ ବୀରଗତି ପାଇଁ କ’ଣ କେବଳ ଏହି ଦୀପ ଧୂପ ପର୍ୟ୍ୟାପ୍ତ ? ଦୁଇ ବର୍ଷ ବିତିଗଲା କାହିଁ ଏଯାଏଁ ତ ଏମାନଙ୍କ ହତ୍ୟାକାରୀ ଧରା ପଡିଲେନି, ନା ଧରା ପଡିଲେ ଏହି ଘଟଣାର ଷଡଯନ୍ତ୍ରକାରୀ … । କେହି ତ ଏହି ଘଟଣାର କଡାକଡି ତଦନ୍ତ ଦାବୀରେ ଶୋଭାଯାତ୍ରା କି ର‌୍ୟାଲି କରୁ ନାହାନ୍ତି ? ସାଙ୍ଗରେ ଥିବା ଅନ୍ୟ ବନ୍ଧୁ ଜଣକ ସଙ୍ଗେ ସଙ୍ଗେ ଉତ୍ତର ଦେଲେ ଧରା ପଡିବେ କିପରି ? ଜଣେ ଆତ୍ମଘାତୀ ବିସ୍ଫୋଟକ କାର୍‌ରେ ମଲା, ଆଉ ଦୁଇ ଜଣ ପୋଲିସ ଗୁଳିରେ ମଲେ । ସମସ୍ତେ ମରି ଗଲେ କହି, ଏହି ଘଟଣାର ଚାର୍ଜସିଟ ମଧ୍ୟ ଏଯାଏଁ ଦାଖଲ କରା ଯାଇନାହିଁ । ଭୋଟ ସରିଲା, ଘଟଣା ଚୁଲିକି ଗଲା । ବୁଝିଲ, ଏବେ ଚାଲ ରାସ୍ତା ଖାଲି ହେଲାଣି । ନାମ ଠିକଣା ପଚାରିବା ପୂର୍ବରୁ ସ୍କୁଟି ଷ୍ଟାର୍ଟ ମାରି ଉଭୟେ ଚାଲିଗଲେ । କିନ୍ତୁ ଉକ୍ତ ବୃୃଦ୍ଧଙ୍କ ପ୍ରଶ୍ନ ଏବେ ବି ସେଇଠି ରହିଗଲା ପ୍ରକୃତରେ ଏକ ଖୁବ ବଡ ପ୍ରଶ୍ନ ହୋଇ । ଏହି ଶହୀଦମାନଙ୍କ ପାଇଁ କେବଳ କ’ଣ ଦୀପ ଧୂପ ପର୍ୟ୍ୟାପ୍ତ ନା’ ଘଟଣାର ପ୍ରକୃତ ତଦନ୍ତ କରାଯାଇ ଦେଶରେ ପଶି ବୀର ଜବାନ ମାନଙ୍କ ରକ୍ତର ହୋରି ଖେଳିଥିବା ସେହି ଆସୁରିକ ଶକ୍ତିକୁ ଲୋକଲୋଚନକୁ ଆଣି ତାକୁ ସମୂଳେ ନଷ୍ଟ କରିଦେବା । ମନେ ହୁଏ ଏହା ହିଁ ସେହି ବୀର ସହିଦ ମାନଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ । ଏ ଦିଗରେ ପାଠକେ ଚି‌ନ୍ତା କରିବା ଆବଶ୍ୟକ ଭଳି ମନେହୁଏ ।

Leave A Reply

Your email address will not be published.