ବିଶ୍ୱ ରେକର୍ଡ କଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରୀକ୍ଷା ପେଚର୍ଚ୍ଚା-୨୦୨୫ କାର୍ଯ୍ୟକ୍ରମ

  • ଗୋଟିଏ ମାସରେ ସର୍ବାଧିକ ପଞ୍ଜିକରଣ ପାଇଁ ପାଇଲା ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ପଦକ୍ଷେପ ପରୀକ୍ଷା ପେ ଚର୍ଚ୍ଚା (ପିପିସି)-୨୦୨୫ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ହାସଲ କରିଛି । ୨୦୧୮ ମସିହାରୁ ମାଇଁ ଗଭ୍ ସହଯୋଗରେ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ସଫଳତାର ସହିତ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି । କୌଣସି ନାଗରିକ ସଂଗଠନ ପ୍ଲାଟଫର୍ମରେ ଗୋଟିଏ ମାସରେ ସର୍ବାଧିକ ପଞ୍ଜୀକରଣ ପାଇଁ ଚଳିତ ଥର ଏହି କାର୍ଯ୍ୟକ୍ରମକୁ ଗିନିଜ୍ ବିଶ୍ୱ ରେକର୍ଡ ସହିତ ସମ୍ମାନିତ କରାଯାଇଛି । ମାଇଁ ଗଭ୍ ପ୍ଲାଟଫର୍ମରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଅଷ୍ଟମ ସଂସ୍କରଣ ଲାଗି ଚଳିତ ଥର ମୋଟ୍ ୩.୫୩ କୋଟି ବୈଧ ପଞ୍ଜିକରଣକରାଯାଇଛି ଯାହାକି ଏହାର ଅଭୂତପୂର୍ବ ସଫଳତାକୁ ଦର୍ଶାଉଛି । ପରୀକ୍ଷା ପେ ଚର୍ଚ୍ଚା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପରିକଳ୍ପିତ ଏବଂ ତାଙ୍କ ନେତୃତ୍ୱରେ ପରିଚାଳିତ ଏକ ଅନନ୍ୟ ବିଶ୍ୱସ୍ତରୀୟ ପ୍ଲାଟଫର୍ମ । ଏଥିରେ ସେ ସିଧାସଳଖ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକଙ୍କ ସହିତ ମତବିନିମୟ କରିଥା’ନ୍ତି । ଏହି ପଦକ୍ଷେପ ପରୀକ୍ଷା ଋତୁକୁ ସକାରାତ୍ମକତା, ପ୍ରସ୍ତୁତି ଏବଂ ଉଦ୍ଦେଶ୍ୟମୂଳକ ଶିକ୍ଷାର ଏକ ମହୋତ୍ସବରେ ପରିଣତ କରିଥାଏ । ଏହା ପରୀକ୍ଷା ସମୟକୁ ଚାପ ବଦଳରେ ଉତ୍ସାହରେ ଭରି ଦିଏ । ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ଉତ୍ସବରେ ଆନୁଷ୍ଠାନିକ ଭାବରେ ଗିନିଜ୍ ୱାର୍ଲ୍ଡ ରେକର୍ଡ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ; କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା, ରେଳ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ; କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ରାଷ୍ଟ୍ରମନ୍ତ୍ରୀ ଜିତିନ୍ ପ୍ରସାଦ; ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗର ସଚିବ ସଞ୍ଜୟ କୁମାର; ମାଇଁ ଗଭର ସିଇଓ ଶ୍ରୀ ନନ୍ଦ କୁମାରମ୍; ଏବଂ ଶିକ୍ଷା, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ସହିତ ପ୍ରମୁଖ ଅଂଶୀଦାରମାନେ ଉପସ୍ଥିତ ଥିଲେ । ଗିନିଜ୍ ୱାର୍ଲ୍ଡ ରେକର୍ଡର କ୍ଷମତାପ୍ରାପ୍ତ ବିଚାରକ ଶ୍ରୀ ରିଷି ନାଥଙ୍କ ଦ୍ୱାରା ରେକର୍ଡର ପ୍ରମାଣୀକରଣ ଏବଂ ଘୋଷଣା କରାଯାଇଥିଲା । ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ, ପରୀକ୍ଷା ପେ ଚର୍ଚ୍ଚାକୁ ଶିକ୍ଷାର ଏକ ଉତ୍ସବରେ ପରିଣତ କରାଯାଇଛି । ଏହାକୁ ପରୀକ୍ଷା ପ୍ରତି ଏକ ଜାତୀୟ ଆଭିମୁଖ୍ୟ ଭାବରେ ପୁନଃପରିଭାଷିତ କରାଯାଇଛି । ଶ୍ରୀ ପ୍ରଧାନ ସୂଚନା ଦେଇ କହିଥିଲେ, ୨୦୨୫ରେ ପିପିସିର ଅଷ୍ଟମ ସଂସ୍କରଣକୁ ସମସ୍ତ ଗଣମାଧ୍ୟମ ପ୍ଲାଟଫର୍ମରେ ମୋଟ ୨୧ କୋଟିରୁ ଅଧିକ ଦର୍ଶକ ଦେଖିଥିଲେ । ପିପିସି ୨୦୨୫ରେ ବିପୁଳ ଅଂଶଗ୍ରହଣକୁ ସାମଗ୍ରିକ ଏବଂ ସମାବୋ ଶିକ୍ଷା ପ୍ରତି ଦେଶର ସାମୂହିକ ପ୍ରତିବଦ୍ଧତା ଏବଂ ଏକ ବିକଶିତ ଭାରତ ଦୃଷ୍ଟିକୋଣ ସହିତ ସମନ୍ୱୟ ପ୍ରତିଫଳନ ଭାବରେ ଦେଖାଯାଉଛି । କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପରୀକ୍ଷା ପେ ଚର୍ଚ୍ଚାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଅନନ୍ୟ ପଦକ୍ଷେପ ବୋଲି କହିଥିଲେ । ସେ କହିଥିଲେ, ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକମାନଙ୍କୁ କଲ୍ୟାଣମୂଳକ ଓ ଚାପମୁକ୍ତ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଏକାଠି କରିଥାଏ । ଏହି ଅମୃତ କାଳରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଉପଲବ୍ଧ କ୍ୟାରିଅର ସୁଯୋଗର ବିସ୍ତୃତ ପରିସର ଉପରେ ସେ ଆଲୋକପାତ କରିଥିଲେ । ଶ୍ରୀ ବୈଷ୍ଣବ ଆହୁରି କହିଥିଲେ, ସର୍ବୋଚ୍ଚ ପଞ୍ଜିକରଣ ପାଇଁ ଗିନିଜ୍ ୱାର୍ଲ୍ଡ ରେକର୍ଡ ଏହି କାର୍ଯ୍ୟକ୍ରମ ପ୍ରତି ଜନସାଧାରଣଙ୍କ ଦୃଢ଼ ବିଶ୍ୱାସକୁ ଦର୍ଶାଉଛି । ଜିତିନ ପ୍ରସାଦ କହିଥିଲେ, ମାଇଁ ଗଭ୍ କିପରି ଜନଭାଗିଦାରୀକୁ ଗଭୀର କରିବା ଏବଂ ଦେଶବ୍ୟାପୀ ପରୀକ୍ଷା ପେ ଚର୍ଚ୍ଚାର ପହଞ୍ଚକୁ ବୃଦ୍ଧି କରିବା ପାଇଁ ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରିଛି ତାହା ଗିନିଜ୍ ୱାର୍ଲ୍ଡ ରେକର୍ଡ ଦ୍ୱାରା ପ୍ରମାଣିତ ହୋଇଛି । ସୂଚନାଯୋଗ୍ୟ, ଜାତୀୟ ଶିକ୍ଷା ନୀତି ୨୦୨୦ ଚାପମୁକ୍ତ ଏବଂ ଆନନ୍ଦଦାୟକ ଶିକ୍ଷା ଉପରେ ଗୁରୁତ୍ୱାରୋପ କରେ । ଆରମ୍ଭ ହେବା ପରଠାରୁ, ପରୀକ୍ଷା ପେ ଚର୍ଚ୍ଚା ଏକ ଦେଶବ୍ୟାପୀ ଜନଆନ୍ଦୋଳନରେ ପରିଣତ ହୋଇଛି । ଏହା ପରୀକ୍ଷାକୁ ଆତ୍ମ-ପ୍ରକାଶ ଏବଂ ଅଭିବୃଦ୍ଧିର ସୁଯୋଗରେ ପରିଣତ କରିଥାଏ । ବ୍ୟକ୍ତିଗତ ଆଲୋଚନା ମାଧ୍ୟମରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମୟ ପରିଚାଳନା, ଡିଜିଟାଲ୍ ଏକାଗ୍ରତା ଭଙ୍ଗ, ସଚେତନତା ଏବଂ ଭାବଗତ ସ୍ଥିରତା ଭଳି ପ୍ରମୁଖ ଆହ୍ୱାନଗୁଡ଼ିକର ମୁକାବିଲା ନିମନ୍ତେ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକମାନଙ୍କୁ ବ୍ୟବହାରିକ ମାର୍ଗଦର୍ଶନ ଏବଂ ପ୍ରେରଣା ପ୍ରଦାନ କରିଥା’ନ୍ତି । ପିପିସି ୨୦୨୫ର ସଫଳତା ଏକ ସାମୂହିକ ସଫଳତା । ଏହି ମାଇଲଖୁଣ୍ଟରେ ଅବଦାନ ଦେଇଥିବା ସମସ୍ତ ଅଂଶୀଦାର, ଶିକ୍ଷାନୁଷ୍ଠାନ ଏବଂ ନାଗରିକମାନଙ୍କୁ କେନ୍ଦ୍ର ମନ୍ତ୍ରୀମାନେ ପ୍ରଶଂସା କରିଛନ୍ତି । ସମ୍ପୃକ୍ତି ଆଧାରିତ ପ୍ରଶାସନ ଏବଂ ସାମଗ୍ରିକ ଶିକ୍ଷାକୁ ଆହୁରି ମଜବୁତ କରିବା ପାଇଁ ସରକାରଙ୍କ ସ୍ଥିର ପ୍ରତିବଦ୍ଧତା ରହିଛି । ଏହି କାର୍ଯ୍ୟକ୍ରମର ସମାବେଶୀ ଦୃଷ୍ଟିକୋଣ, ଡିଜିଟାଲ୍ ପହଞ୍ଚ ଏବଂ ଅଭିନବ ପଦ୍ଧତି ଦେଶର ଛାତ୍ରଛାତ୍ରୀଙ୍କ ସମ୍ପୃକ୍ତିର ଏକ ଆଧାର ରୂପେ କାର୍ଯ୍ୟ କରିଥାଏ । କୌଣସି ପରୀକ୍ଷା ଶେଷ ନୁହେଁ ବରଂ ଏକ ଆରମ୍ଭ ବୋଲି ବାର୍ତ୍ତାକୁ ପିପିସିର ଲୋକପ୍ରିୟତା ଦୃଢ଼ କରିଥାଏ ।

jittmm
Leave A Reply

Your email address will not be published.