ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ଅଂଚଳ ପରିଦର୍ଶନ କରିବାକୁ ମହାମହିମ ରାଷ୍ଟ୍ରପତିଙ୍କୁ ଆମନ୍ତ୍ରଣ କଲେ ସାଂସଦ ପ୍ରଦୀପ ପୁରୋହିତ । ଆଜି ରାଷ୍ଟ୍ରପତି ଭବନରେ ମହାମହିମଙ୍କୁ ଭେଟି ନିମନ୍ତ୍ରଣ କଲେ ପ୍ରଦୀପ ପୁରୋହିତ । ଏହାସହ ପର୍ବତରେ ଥିବା ନୃସିଂହନାଥ ମନ୍ଦିର ଆସିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଆମନ୍ତ୍ରଣ କଲେ ବରଗଡ଼ ସାଂସଦ । ସାକ୍ଷାତ ସମୟରେ ଗନ୍ଧମାର୍ଦ୍ଦନକୁ ନେଇ ହୋଇଥିବା ଐତିହାସିକ ଆନ୍ଦୋଳନକୁ ନେଇ ଦ୍ରୌପଦୀ ମୁର୍ମୁଙ୍କ ସହ ଆଲୋଚନା କରିଥିଲେ । ଦେଶ ସ୍ୱାଧୀନ ହେବା ପରେ ଉତ୍ତରାଖଣ୍ଡର ଚିପ୍କୋ ଆନ୍ଦୋଳନ ଓ କେରଳର ସାଇଲେଣ୍ଟ ଭାଲି ଆନ୍ଦୋଳନ ପରେ ଗନ୍ଧମାର୍ଦ୍ଦନ ଆନ୍ଦୋଳନ ହେଉଛି ତୃତୀୟ ଜନ ଆନ୍ଦୋଳନ । ଏହି ଆନ୍ଦୋଳନ ଫଳରେ ପରିବେଶ ସହ ଜନଜାତିମାନଙ୍କୁ ସୁରକ୍ଷା ମିଳିପାରିଥିଲା । ଏହି କ୍ରମରେ ୧୯୮୦ ତତ୍କାଳୀନ କଂଗ୍ରେସ ସରକାର ସମୟରେ ଐତିହାସିକ ବାଲକୋ ଆନ୍ଦୋଳନ ହୋଇଥିଲେ । ଏଥିରେ ୫୦ ହଜାରରୁ ଅଧିକ ଜନଜାତି, ସାଧୁସନ୍ଥ, ବୁଦ୍ଧିଜୀବୀଙ୍କ ସହ ସ୍ଥାନୀୟ ବାସିନ୍ଦା ସାମିଲ ହୋଇଥିଲେ । ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ ବର୍ତ୍ତମାନର ସାଂସଦ ପ୍ରଦୀପ ପୁରୋହିତ । ଆନ୍ଦୋଳନରେ ଗନ୍ଧମାର୍ଦ୍ଦନର ପବିତ୍ରତା ଓ ପରିବେଶ ବଞ୍ଚାଇବାରେ ସେ ଐତିହାସିକ ଭୂମିକା ନେଇଥିଲେ । ଯାହାଫଳରେ ଗନ୍ଧମାର୍ଦ୍ଦନ ଓ ଏଠାକାର ବାସିନ୍ଦାଙ୍କୁ ସୁରକ୍ଷା ଦିଆଯାଇପାରିଥିଲେ । ଆଜି ବି ଗନ୍ଧମାର୍ଦ୍ଦନ ଅଂଚଳ ଓ ଆଖପାଖରେ ୫୦ ହଜାରରୁ ଅଧିକ ଆଦିବାସୀ ଏବଂ ଗ୍ରାମବାସୀ ବସବାସ କରୁଛନ୍ତି । ଯେଉଁମାନଙ୍କର ଜୀବୀକା ଜଙ୍ଗଲ, ଔଷଧୀୟ ବୃକ୍ଷ ଓ ପ୍ରାକୃତିକ ପରିବେଶ ଉପରେ ଆଧାରିତ । ଦୁର୍ଭାଗ୍ୟବଶତଃ ଆଜି ବି ଏମାନେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ବହୁ ପଛରେ ଅଛନ୍ତି । ଯଦି ଏଠାରେ ଆଧ୍ୟାତ୍ମିକ ପର୍ଯ୍ୟଟନ, ପରିବେଶ ପର୍ଯ୍ୟଟନ ଓ ଅଂଚଳର ବିକାଶ ହୋଇପାରିଲେ ଏହି ଅଂଚଳ ନୂଆ ପରିଚୟ ସୃଷ୍ଟି ପାଇପାରିବ ବୋଲି ରାଷ୍ଟ୍ରପତିଙ୍କୁ ଜଣାଇଛନ୍ତି ପ୍ରଦୀପ ପୁରୋହିତ । ଆଦିବାସୀ ସଂସ୍କୃତି ସହ ଗନ୍ଧମାର୍ଦ୍ଦନ ପର୍ବତ ଯୋଡ଼ି ହୋଇ ରହିଥିବାରୁ ଅନୁକୁଳ ସମୟ ଦେଖି ପର୍ବତରେ ଥିବା ନୃସିଂହନାଥ ମନ୍ଦିର ଆଗମନ ପାଇଁ ଦ୍ରେୀପଦୀ ମୁର୍ମୁଙ୍କୁ ବିନମ୍ର ନିବେଦନ କରିଛନ୍ତି ବରଗଡ଼ ସାଂସଦ । ରାଷ୍ଟ୍ରପତିଙ୍କ ଆଗମନ ଏହି ଅଂଚଳ ପାଇଁ ଐତିହାସିକ ଓ ଅବିସ୍ମରଣୀୟ ହେବ ବୋଲି କହିଛନ୍ତି ବରଗଡ଼ ସାଂସଦ । ରାଷ୍ଟ୍ରପତି ଗନ୍ଧମାର୍ଦ୍ଦନ ଆସିବା ନେଇ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ରାଷ୍ଟ୍ରପତିଙ୍କୁ ସାକ୍ଷାତ ସମୟରେ ସାଂସଦ ପ୍ରଦୀପ ପୁରୋହିତଙ୍କ ସହ ତାଙ୍କ ଧର୍ମପତ୍ନୀ ପ୍ରତିମା ପୁରୋହିତ, ଦ୍ୱାରିକା ପ୍ରସାଦ ପଣ୍ଡା ଓ ଅନ୍ନପୂର୍ଣ୍ଣା ପଣ୍ଡା ଉପସ୍ଥିତ ଥିଲେ ।
