ଭାରତ ପାଳିଲା ହର ଘର ତ୍ରିରଙ୍ଗା, ୭.୫୦ କୋଟି ସେଲଫି ଅପଲୋଡ ହେଲା ସ୍ୱାଧୀନତା ଦିବସ ଅଭିଭାଷଣରେ ଉଲ୍ଲେଖ କଲେ ପ୍ରଧାନମନ୍ତ୍ରୀ

  • ହର ଘର ତ୍ରିରଙ୍ଗା ଅଭିଯାନରେ ୧.୮ କୋଟିରୁ ଅଧିକ ସ୍ୱଚ୍ଛ ସୁଜଳ ଗାଁ ସାମିଲ
    ପରିମଳ ଓ ପାନୀୟ ଜଳ ବିଭାଗ ଏବଂ ଜଳଶକ୍ତି ଓ ସଂସ୍କୃତି ମନ୍ତ୍ରଣାଳୟର ମିଳିତ ହର ଘର ସ୍ୱଚ୍ଛତା ଅଭିଯାନ ନାଗରିକ ଦାୟିତ୍ୱବୋଧତା, ପରିବେଶ ନେତୃତ୍ୱ ଓ ଜାତୀୟତା ମୂଲ୍ୟବୋଧର ପ୍ରତିଷ୍ଠା
  • ସ୍ୱେଚ୍ଛାକୃତ କର୍ଯ୍ୟକଳାପ ମାଧ୍ୟମରେ ଲୋକଙ୍କ ପାଖରେ ୯ ଲକ୍ଷ ସ୍ୱେଚ୍ଛାସେବୀ ପହଂଚାଇଲେ ତ୍ରିରଙ୍ଗା ବାର୍ତ୍ତା

ନୂଆଦିଲ୍ଲୀ, (ପିଆଇବି) : ହର ଘର ତ୍ରିରଙ୍ଗା ଅଭିଯାନ ୨୦୨୫ ଏହି ଜାତୀୟସ୍ତରୀୟ ଅଭିଯାନର ଚତୁର୍ଥ ସଂସ୍କରଣ ଥିଲା । ଘରକୁ ତ୍ରିରଙ୍ଗା ଆଣିବା, ଏହା ସହ ପ୍ରତ୍ୟକ୍ଷ ଯୋଡି ହେବା ଓ ଏହାକୁ ସମ୍ମାନ ଜଣାଇବା ହେଉଛି ଏହାର ମୂଳ ଲକ୍ଷ୍ୟ । ଆମ ପରିଚୟ, ସ୍ୱାଧୀନତା ଓ ଏକତାର ଦ୍ୟୋତକ ହେଉଛି ଏହି ତ୍ରିରଙ୍ଗା ଅଭିଯାନ । ଆଜାଦି କା ଅମୃତ ମହୋତ୍ସବର ଏକ ଅଂଶ ଭାବରେ ୨୦୨୨ରେ ଏହାକୁ ଶୁଭାରମ୍ଭ କରାଯାଇଥିଲା । ଭାରତୀୟ ଓ ପ୍ରବାସୀଙ୍କ ଭାଗିଦାରୀରେ ଏହି ଅଭିଯାନ ଏବେ ବଳିଷ୍ଠ ହୋଇଛି । ଜଳ, ସ୍ଥଳ ଓ ଆକାଶରେ ତ୍ରିରଙ୍ଗାକୁ ଉଡେଇ ସମସ୍ତଙ୍କ ଭିତରେ ଏହି ଅଭିଯାନ ଦ୍ୱାରା ଦେଶପ୍ରେମ ଜାଗ୍ରତ କରାଯାଇ ପାରୁଛି । ଚଳିତ ବର୍ଷ ୨ ଅଗଷ୍ଟରୁ ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇ ତିନିଟି ପର୍ଯ୍ୟାୟରେ ୧୫ ଅଗଷ୍ଟ ପର୍ଯ୍ୟନ୍ତ ଚାଲିଛି । ସଶସ୍ତ୍ର ସେନା ଓ ପୋଲିସମାନଙ୍କ ପ୍ରତି କୃତଜ୍ଞତା, ସ୍ୱେଚ୍ଛାସେବା, ସଫେଇ ଅଭିଯାନ ଉପରେ ଆଲୋକପାତ କରିବା ଚଳିତବର୍ଷର ଥିମ ଥିଲା । ତ୍ରିରଙ୍ଗା ସ୍ୱେଚ୍ଛାସେବୀଙ୍କୁ ଚଳିତବର୍ଷ ନୂଆକରି ପ୍ରସ୍ତୁତ କରାଯାଇଛି । ବୟସ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ସୀମିତ ରହିଥିବା ବ୍ୟକ୍ତିଙ୍କୁ ବିଶ୍ୱର ସବୁଠାରୁ ବଡ ଏହି ଜନତା ଭାଗିଦାରୀ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି । ହର ଘର ତ୍ରିରଙ୍ଗା ଅଭିଯାନ ୨୦୨୫ ଅଧୀନରେ ଉଭୟ ସହରାଂଚଳ ଓ ଗ୍ରାମାଂଚଳର ୯ ଲକ୍ଷରୁ ଅଧିକ ସ୍ୱେଚ୍ଛାସେବୀ ଏବେ ଆଗକୁ ଆସିପାରିଛନ୍ତି । ଲାଲକିଲ୍ଲାରୁ ସ୍ୱାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ତ୍ରିରଙ୍ଗା ସ୍ପିରିଟକୁ ମନେ ପକାଇଛନ୍ତି । ହର ଘର ତ୍ରିରଙ୍ଗା ଅଭିଯାନରେ ବହୁ ସଂଖ୍ୟକ ଭାଗିଦାରୀ କଥା ପ୍ରଧାନମନ୍ତ୍ରୀ ସ୍ମୃତିଚାରଣ କରିଛନ୍ତି । ଆଜି ୧୪୦ କୋଟି ଭାରତୀୟ ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ ହୋଇ ପାରିଥିବା ସେ କହିଥିଲେ । ମରୁଭୂମି, ହିମାଳୟ ଶୃଙ୍ଗ, ସମୁଦ୍ରତଟ, ଜନବହୁଳ ଅଂଚଳରେ ହର ଘର ତ୍ରିରଙ୍ଗା ଧୂନରେ ସମସ୍ତେ ମଗ୍ନ ଥିଲେ ଏବଂ ଦେଶ ମାତୃକାର ବନ୍ଦନା କରିଥିଲେ । ଏଚଜିଟି ୨୦୨୫ରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ (ସିଏପିଏଫ)ର ଭାଗିଦାରୀକୁ ଗୃହମନ୍ତ୍ରୀ ଅମିତ ଶାହା ପ୍ରଶଂସା କରିଥିଲେ । ସିଏପିଏଫର ବିଭିନ୍ନ ୟୁନିଟରେ ସାଂସଦମାନଙ୍କ ସହ ପ୍ରାୟ ୨୦୦ରୁ ଅଧିକ ଗାଡି ଚାଳକ ତ୍ରିରଙ୍ଗା ବାଇକ ରାଲିରେ ଅଂଶଗ୍ରହଣ କରିଥିଲେ । ୧୨ ଅଗଷ୍ଟରେ ନୂଆଦିଲ୍ଲୀରେ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଏହା ଆୟୋଜିତ ହୋଇଥିଲା । ଭାରତ ଓ ବାହାରେ କଳା, କନସର୍ଟ, ପ୍ରଦର୍ଶନୀ, ରଙ୍ଗୋଲି, ଯାତ୍ରା, ରାଲି, କୁଇଜ, ଦେଶାତ୍ମବୋଧକ ଚଳଚ୍ଚିତ୍ର ପ୍ରଦର୍ଶନୀ ପରି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାରି ମାଧ୍ୟମରେ ଚଳିତବର୍ଷ ହର ଘର ତ୍ରିରଙ୍ଗା ଅଭିଯାନରେ ଦେଶାତ୍ମବୋଧକ ପ୍ରୀତି ଜାଗ୍ରତ କରାଯାଇଥିଲା । ଦିଲ୍ଲୀର ଭାରତ ମଣ୍ଡପମରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର ତ୍ରିରଙ୍ଗା କନସର୍ଟ କଣ୍ଠଶିଳ୍ପୀ ଶାନଙ୍କ ଦ୍ୱାରା ଆୟୋଜିତ ହୋଇଥିଲା । ସାରା ଦେଶର ପିଲାମାନେ ଉତ୍ସାହିତ ହୋଇ ପୋଲିସ କର୍ମୀ ଓ ସୈନିକମାନଙ୍କୁ ଚିଠି ଲେଖି ପ୍ରେରଣା ଦେଇଥିଲେ । ୟୁନିଫର୍ମରେ ରହିଥିବା ପୋଲିସ କର୍ମୀମାନଙ୍କୁ ବି ସେମାନେ ରାକ୍ଷୀ ବାନ୍ଧିଥିଲେ । ସମାଜର ବିଭିନ୍ନ ବର୍ଗର ଯୋଗଦାନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ, ମନ୍ତ୍ରଣାଳୟ ଓ ବିଭିନ୍ନ ବିଭାଗ, ଶିଳ୍ପ ସଂଘ, ଖୁଚୁରା ବିକ୍ରେତା, କର୍ପୋରେଟ ଜଗତ ଓ ନାଗରିକମାନେ ଏହି ଅବସରରେ ହର ଘର ତ୍ରିରଙ୍ଗା ଅଭିଯାନରେ ନିଜକୁ ସାମିଲ କରିଥିଲେ । ତ୍ରିରଙ୍ଗା କନସର୍ଟ, ତ୍ରିରଙ୍ଗା ମେଳା, ତ୍ରିରଙ୍ଗା ଯାତ୍ରା ଓ ରାଲି ପରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଯୋଗଦାନ ଗତ କିଛି ମାସ ଧରି ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସାରା ଦେଶରେ ତ୍ରିରଙ୍ଗାର ଚାହିଦାକୁ ଲକ୍ଷ୍ୟ କରି ମହିଳାମାନେ ତ୍ରିରଙ୍ଗା ପ୍ରସ୍ତୁତିରେ ନିଜକୁ ବ୍ୟସ୍ତ ରଖି ନିଜ ଆୟ ବି ବଢାଇଛନ୍ତି । ତିଆରି କରାଯାଇଥିବା ପତାକାର ଖଣ୍ଡିତ ଅଂଶକୁ ବ୍ୟବହାର କରି ବହୁ ନାମୀ ଦାମୀ କମ୍ପାନୀ ରିସାଇକ୍ଲିଂ କରି ପତାକା ପ୍ରସ୍ତୁତ କରିଥିଲେ । ହର ଘର ତ୍ରିରଙ୍ଗା, ହର ଘର ସ୍ୱଚ୍ଛତା ପାନୀୟ ଜଳ ଓ ପରିମଳ ବିଭାଗ ଏବଂ ଜଳଶକ୍ତି ଓ ସଂସ୍କୃତି ମନ୍ତ୍ରଣାଳୟର ମିଳିତ ସହଯୋଗ କ୍ରମେ ଏହି ଅଭିଯାନ ଦ୍ୱାରା ନାଗରିକ ଉତରଦାୟିତ୍ୱ, ପରିବେଶ ନେତୃତ୍ୱ, ଜାତୀୟ ଗର୍ବର ଭାବ ଉଦ୍ରେକ କରାଯାଇଥିଲା । ୨୦୧୪ରେ ଆରମ୍ଭ କରାଯାଇଥିବା ସ୍ୱଚ୍ଛ ଭାରତ ମିଶନ (ଏସବିଏମ) ବୈଶ୍ୱିକ ପରିମଳ ଓ ସାରା ଦେଶରେ ସଫେଇ ଅଭିଯାନକୁ ଆଗକୁ ନେଇଥିଲ । ୧୫ ଅଗଷ୍ଟ ୨୦୧୯ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଜଳ ଜୀବନ ମିଶନ ଆରମ୍ଭ କରାଯାଇଥିଲା । ପ୍ରତି ଘରେ ଟ୍ୟାପ ଯୋଗେ ସ୍ୱଚ୍ଛ ପାଣି ଯୋଗାଇବା ପାଇଁ ହର ଘର ଜଳ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ୧୫ ଅଗଷ୍ଟରେ ଭାରତ ତାର ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ପରିମଳ ଓ ଦେଶ ନିର୍ମାଣ କ୍ଷେତ୍ରରେ ସାମୁହିକ ପ୍ରତିବଦ୍ଧତା ଲାଗି ଏହା ଏକ ଅବସର ଆଣିଛି । ହର ଘର ତ୍ରିରଙ୍ଗା ଓ ହର ଘର ସ୍ୱଚ୍ଛତାର ପ୍ରଚାର ପ୍ରସାର ଲାଗି ୧.୮ କୋଟିରୁ ଊର୍ଦ୍ଧ୍ୱ ସ୍ୱଚ୍ଛ ସୁଜଳ ଗାଁ ଶପଥ ନେଇଥିଲେ । ତ୍ରିରଙ୍ଗା ସହ ସେଲଫି ଲୋକପ୍ରିୟ ହର ଘର ତ୍ରିରଙ୍ଗା ସେଲଫି ଅଭିଯାନ କ୍ରମରେ ୧୬ ଅଗଷ୍ଟ ୨୦୨୫ ସନ୍ଧ୍ୟା ୬ଟା ସୁଦ୍ଧା ପ୍ରାୟ ୭.୫୦ କୋଟି ତ୍ରିରଙ୍ଗା ସେଲଫି ଅପଲୋଡ ହୋଇଥିଲା । ହର ଘର ତ୍ରିରଙ୍ଗା ଅଭିଯାନର ସଂସ୍କୃତି ମନ୍ତ୍ରଣାଳୟ ହେଉଛି ଏକ ନୋଡାଲ ମନ୍ତ୍ରଣାଳୟ । ଯାହାର ସଚିବ ବିବେକ ଅଗ୍ରୱାଲ କହିଥିଲେ ଯେ, ହର ଘର ତ୍ରିରଙ୍ଗା କେବଳ ଏକ ଜନଭାଗିଦାରୀ ଆନ୍ଦୋଳନରେ ପରିଣତ ହୋଇନି ବରଂ ଲୋକମାନଙ୍କର ଏକ ସାମାଜିକ ଓ ସାଂସ୍କୃତିକ ଉତ୍ସବରେ ପରିଣତ ହୋଇଛି । ଏ ପ୍ରକାର ସ୍ୱେଚ୍ଛାସେବା ଓ ଜାତୀୟତା ଭାବଧାରାର ଉଦ୍ରେକ ଅଭୂତପୂର୍ବ । ଏ ପ୍ରକାର ବିପୁଳ ପରିମାଣର ଜନ ଭାଗିଦାରୀ ହର ଘର ତ୍ରିରଙ୍ଗାକୁ ସମଗ୍ର ବିଶ୍ୱରେ ଏକ ବିରାଟ ଉତ୍ସବରେ ପରିଣତ କରିଛି । ହର ଘର ତ୍ରିରଙ୍ଗା ଆନ୍ଦୋଳନରେ ସାମିଲ ହୋଇ ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ଆଗକୁ ନେବାରେ ଯୋଗ ଦେଇଥିବାରୁ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଦେଶବାସୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଏପ୍ରକାର ଆନନ୍ଦକୁ ପରିପ୍ରକାଶ କରିବାରେ ତାଙ୍କ ପାଖରେ ଶବ୍ଦ ନାହିଁ ବୋଲି ସେ କହିଥିଲେ । ତ୍ରିରଙ୍ଗା ରାଲି, ଯାତ୍ରା, ଚିଠି ଲେଖା, ରାକ୍ଷୀ ପ୍ରସ୍ତୁତି ଏବଂ ତ୍ରିରଙ୍ଗା ସେଲଫି ଅପଲୋଡ କରିବାରେ ବିଭିନ୍ନ ବର୍ଗର ଅଭୂତପୂର୍ବ ଯୋଗଦାନ ହର ଘର ତ୍ରିରଙ୍ଗା ଅଭିଯାନକୁ ଲୋକଙ୍କ ଉତ୍ସବରେ ପରିଣତ କରିଛି । ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ତ୍ରିରଙ୍ଗା ଉପରେ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ବି ଅନୁଷ୍ଠିତ ହୋଇଥିଲା । ଏହି ପ୍ରଦର୍ଶନୀରେ ତ୍ରିରଙ୍ଗାର ଉତ୍ପତି ଓ ବୀର ଗାଥା ପରି ବିଭିନ୍ନ ବିଷୟବସ୍ତୁ ପ୍ରଦର୍ଶିତ କରାଯାଇଥିଲା । ହର ଘର ତ୍ରିରଙ୍ଗା ଅଭିଯାନରେ ତ୍ରିରଙ୍ଗାର ପ୍ରଭାବ ଏକ ନୂଆ ମୋଡ ନେଇଛି । ୧୪୦ କୋଟି ଭାରତୀୟଙ୍କ ହୃଦୟରେ ତ୍ରିରଙ୍ଗା ବିଶେଷ ଭାବେ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି । ଏହି ଅଭିଯାନ ଦ୍ୱାରା ଆମେ ଇତିହାସ ପାଖକୁ ଆସିଛେ । ଦେଶର ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ପ୍ରତି ଏହା ଏକ ସଶ୍ରଦ୍ଧ ସମ୍ମାନ ।

jittmm
Leave A Reply

Your email address will not be published.