
ବରଗଡ଼ : ପଞ୍ଚାୟତ କଲେଜ ଅଧ୍ୟାପକ କଲୋନୀ ପଛପଟୁ ମିଳିଥିବା ଅଧା ପୋତା ଶବ ଘଟଣା । ଘଟଣାର ପର୍ଦ୍ଦାଫାସ କଲା ପୁଲିସ । ଦେବରାଜ ପାଣିଗ୍ରାହୀ ହତ୍ୟା ଘଟଣାରେ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ମୃତକଙ୍କ ପଡ଼ାର ସ୍ଥାନୀୟ ବାସିନ୍ଦା ଜିତେନ୍ଦ୍ର ଭୋଇ ଓ ରାକେଶ ବିଶାର ବୋଲି ଜଣାପଡ଼ିଛି । ପୂର୍ବ କଳହ ଓ ପ୍ରତିଶୋଧକୁ ନେଇ ହତ୍ୟା କରିଥିବା ଏନେଇ ସେମାନଙ୍କ ସ୍ୱୀକାରୋକ୍ତିରୁ ସ୍ପଷ୍ଟ ହୋଇଛି । ତେବେ ପୁଲିସ ସୋମବାର ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରଏସନ କରିଛି । ସୂଚନା ଯୋଗ୍ୟ ଯେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ପଣ୍ଡରିପଥର ପଞ୍ଚାୟତ କଲେଜ ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦେବରାଜଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିଲା । ହତ୍ୟା କରିବା ପରେ ବିଲରେ ଅଧା ପୋତି ଦେଇଥିଲେ ଅଭିଯୁକ୍ତ । ଶନିବାର ସକାଳେ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଜାରି ରଖିଥିଲା । ତେବେ ଦେବରାଜଙ୍କ ପଡ଼ୋଶୀଙ୍କର ଏଭଳି କାରନାମା ଏବେ ହଇଚଇ ସୃଷ୍ଟି କରିଛି ।