• ବ୍ୟସ୍ତବହୁଳ ଦିଲ୍ଲୀ-ମୁମ୍ବାଇ ମାର୍ଗରର ମଥୁରା-କୋଟା ସେକ୍ସନରେ ରେକର୍ଡ ସମୟରେ କବଚ ୪.୦ କୁ କାର୍ଯ୍ୟକ୍ଷମ କରିବା ଏକ ବଡ଼ ସଫଳତା: ଶ୍ରୀ ଅଶ୍ୱିନୀ ବୈଷ୍ଣବ
• କବଚ ପ୍ରଭାବଶାଳୀ ବ୍ରେକ୍ ପ୍ରୟୋଗ ମାଧ୍ୟମରେ ଲୋକୋ ପାଇଲଟଙ୍କ ପାଇଁ ଟ୍ରେନର ଗତି ନିୟନ୍ତ୍ରଣ ସୁବିଧା ଦେବ; ଲୋକୋ ପାଇଲଟମାନେ କୁହୁଡ଼ିରେ ମଧ୍ୟ କ୍ୟାବ୍ ଭିତରେ ସିଗନାଲ ସୂଚନା ପାଇପାରିବେ
• ୬ ବର୍ଷ ମଧ୍ୟରେ ଦେଶବ୍ୟାପୀ କବଚ ୪.୦କୁ କାର୍ଯ୍ୟକ୍ଷମ କରିବ ଭାରତୀୟ ରେଳବାଇ; ଟ୍ରେନ୍ ସୁରକ୍ଷା ପ୍ରଣାଳୀ ନିୟୋଜିତ କରିବାକୁ ୨୦-୩୦ ବର୍ଷ ସମୟ ନେଇଛନ୍ତି ଅନେକ ବିକଶିତ ରାଷ୍ଟ୍ର
• ସୁରକ୍ଷା ପ୍ରତି ରେଳବାଇ ପ୍ରତିବଦ୍ଧତା: ୧ ଲକ୍ଷ କୋଟି ଟଙ୍କାର ବାର୍ଷିକ ନିବେଶ ମାଧ୍ୟମରେ ସମର୍ଥିତ ଅନେକ ସୁରକ୍ଷା ପଦକ୍ଷେପ ମଧ୍ୟରୁ କବଚ ଅନ୍ୟତମ
ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ରେଳବାଇ ଅଧିକ ବ୍ୟସ୍ତବହୁଳ ଦିଲ୍ଲୀ-ମୁମ୍ବାଇ ରେଳ ମାର୍ଗର ମଥୁରା-କୋଟା ସେକ୍ସନରେ ସ୍ୱଦେଶୀ ରେଳ ସୁରକ୍ଷା ପ୍ରଣାଳୀ କବଚ ୪.୦କୁ କାର୍ଯ୍ୟକ୍ଷମ କରିଛି । ଏହା ଦେଶରେ ରେଳ ସୁରକ୍ଷା ପ୍ରଣାଳୀର ଆଧୁନିକୀକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ‘ଆତ୍ମନିର୍ଭର ଭାରତ’ ଦୃଷ୍ଟିକୋଣରୁ ପ୍ରେରଣା ନେଇ ରେଳବାଇ ସମ୍ପୂର୍ଣ୍ଣ ସ୍ୱଦେଶୀ ଭାବରେ କବଚ ସ୍ୱୟଂଚାଳିତ ଟ୍ରେନ୍ ସୁରକ୍ଷା ପ୍ରଣାଳୀ ଡିଜାଇନ୍, ବିକଶିତ ଏବଂ ନିର୍ମାଣ କରିଛି । କବଚ ୪.୦ ଏକ ପ୍ରଯୁକ୍ତିବିଦ୍ୟା-ଆଧାରିତ ପ୍ରଣାଳୀ । ଏହାକୁ ଜୁଲାଇ ୨୦୨୪ ରେ ଗବେଷଣା ଡିଜାଇନ୍ ଏବଂ ମାନକ ସଂଗଠନ (ଆରଡିଏସଓ) ଦ୍ୱାରା ଅନୁମୋଦନ କରାଯାଇଥିଲା । ଅନେକ ବିକଶିତ ଦେଶ ଟ୍ରେନ୍ ସୁରକ୍ଷା ପ୍ରଣାଳୀ ବିକଶିତ ଓ କାର୍ଯ୍ୟକାରୀ କରିବାକୁ୨୦-୩୦ ବର୍ଷ ସମୟ ନେଇଛନ୍ତି । କୋଟା-ମଥୁରା ସେକ୍ସନରେ କବଚ ୪.୦ କାର୍ଯ୍ୟକ୍ଷମ କରିବାର ସଫଳତା ବହୁତ କମ୍ ସମୟ ମଧ୍ୟରେ ହାସଲ କରାଯାଇଛି । ଏହା ଏକ ବଡ଼ ସଫଳତା ।’’ ସ୍ୱାଧୀନତା ପରେ ଗତ ୬୦ ବର୍ଷ ମଧ୍ୟରେ ଦେଶରେ ଅନ୍ତର୍ଜାତୀୟ ମାନର ଉନ୍ନତ ଟ୍ରେନ୍ ସୁରକ୍ଷା ପ୍ରଣାଳୀ କାର୍ଯ୍ୟକାରୀ ହୋଇନଥିଲା । ଟ୍ରେନ୍ ଏବଂ ଯାତ୍ରୀ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ, କବଚ୍ ପ୍ରଣାଳୀକୁ ସମ୍ପ୍ରତି କାର୍ଯ୍ୟକ୍ଷମ କରାଯାଇଛି । ଭାରତୀୟ ରେଳବାଇ ୬ ବର୍ଷ ମଧ୍ୟରେ ସାରା ଦେଶର ବିଭିନ୍ନ ମାର୍ଗରେ କବଚ ୪.୦କୁ କାର୍ଯ୍ୟକ୍ଷମ କରିବାକୁ ପ୍ରସ୍ତୁତ ହେଉଛି । ୩୦ ହଜାରରୁ ଅଧିକ ଲୋକଙ୍କୁ କବଚ ପ୍ରଣାଳୀ ଉପରେ ତାଲିମ ଦିଆଯାଇଛି । ଆଇଆରଆଇଏସଇଟି (ଭାରତୀୟ ରେଳବାଇ ସିଗନାଲ ଇଞ୍ଜିନିୟରିଂ ଏବଂ ଦୂରସଞ୍ଚାର ପ୍ରତିଷ୍ଠାନ) ବିଟେକ୍ ପାଠ୍ୟକ୍ରମର ଅଂଶ ଭାବରେ କବଚକୁ ସାମିଲ କରିବା ପାଇଁ ୧୭ଟି ଏଆଇସିଟିଇ ଅନୁମୋଦିତ ଇଞ୍ଜିନିୟରିଂ କଲେଜ, ପ୍ରତିଷ୍ଠାନ, ବିଶ୍ୱବିଦ୍ୟାଳୟ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛି । କବଚ ପ୍ରଭାବଶାଳୀ ବ୍ରେକ୍ ପ୍ରୟୋଗ ଦ୍ୱାରା ଲୋକୋ ପାଇଲଟମାନଙ୍କୁ ଟ୍ରେନର ଗତି ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିବ । କୁହୁଡ଼ି ଭଳି କମ୍ ଦୃଶ୍ୟମାନତା ପରିସ୍ଥିତିରେ ମଧ୍ୟ, ଲୋକୋ ପାଇଲଟମାନଙ୍କୁ ସିଗନାଲ ପାଇଁ କ୍ୟାବିନ୍ ବାହାରକୁ ଦେଖିବାକୁ ପଡ଼ିବ ନାହିଁ । ପାଇଲଟମାନେ କ୍ୟାବିନ ଭିତରେ ଲାଗିଥିବା ଡ୍ୟାସବୋର୍ଡରେ ସୂଚନା ଦେଖିପାରିବେ । କବଚ ହେଉଛି ଏକ ସ୍ୱଦେଶୀ ଭାବରେ ବିକଶିତ ଟ୍ରେନ୍ ସୁରକ୍ଷା ପ୍ରଣାଳୀ। ଟ୍ରେନ୍ ଗତିକୁ ନିରୀକ୍ଷଣ ଏବଂ ନିୟନ୍ତ୍ରଣ କରି ଦୁର୍ଘଟଣାକୁ ରୋକିବା ପାଇଁ ଏହାକୁ ଡିଜାଇନ୍ କରାଯାଇଛି । ଏହାକୁ ସୁରକ୍ଷା ବିଶ୍ୱସନୀୟତା ସ୍ତର ୪ (ଏସଆଇଏଲ ୪) ଆଧାରରେ ଡିଜାଇନ୍ କରାଯାଇଛି । ଏହା ସୁରକ୍ଷା ଡିଜାଇନର ସର୍ବୋଚ୍ଚ ସ୍ତର । କବଚର ବିକାଶ କାର୍ଯ୍ୟ ୨୦୧୫ରେ ଆରମ୍ଭ ହୋଇଥିଲା । ଏହି ପ୍ରଣାଳୀକୁ ୩ ବର୍ଷରୁ ଅଧିକ ସମୟ ପାଇଁ ବ୍ୟାପକ ଭାବରେ ପରୀକ୍ଷଣ କରାଯାଇଥିଲା । ବୈଷୟିକ ଉନ୍ନତି ପରେ, କବଚ ପ୍ରଣାଳୀକୁ ଦକ୍ଷିଣ କେନ୍ଦ୍ରୀୟ ରେଳବାଇ (ଏସସିଆର)ରେ ପ୍ରତିଷ୍ଠା କରାଯାଇଥିଲା । ୨୦୧୮ରେ ପ୍ରଥମ କାର୍ଯ୍ୟକ୍ଷମ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏସସିଆରରୁ ମିଳିଥିବା ଅଭିଜ୍ଞତାକୁ ଆଧାର କରି, ଏକ ଉନ୍ନତ ସଂସ୍କରଣ କବଚ ୪.୦ ବିକଶିତ କରାଯାଇଥିଲା । ଏହାକୁ ୧୬୦ କିଲୋମିଟର ଘଣ୍ଟା ପ୍ରତି ବେଗରେ ଚାଲୁଥିବା ଟ୍ରେନ ପାଇଁ ମେ ୨୦୨୫ ରେ ଅନୁମୋଦନ କରାଯାଇଥିଲା । କବଚର ଉପାଦାନଗୁଡ଼ିକ ସ୍ୱଦେଶୀ ଭାବରେ ନିର୍ମିତ ହେଉଛି । କବଚ ଏକ ଅତ୍ୟନ୍ତ ଜଟିଳ ପ୍ରଣାଳୀ । କବଚକୁ କାର୍ଯ୍ୟକାରୀ କରିବା ଏକ ଦୂରସଞ୍ଚାର କମ୍ପାନୀ ପ୍ରତିଷ୍ଠା କରିବା ସହିତ ସମାନ । ଏଥିରେ କେତେକ ଉପପ୍ରଣାଳୀ ସାମିଲ ରହିଛି । ଏଥିମଧ୍ୟରୁ ଗୋଟିଏ ହେଉଛି ଆରଏଫଆଇଡି ଟ୍ୟାଗ୍, ଯାହାକି ଟ୍ରାକ୍ର ସମ୍ପୂର୍ଣ୍ଣ ଦୂରତାରେ ପ୍ରତି ୧ କିଲୋମିଟରରେ ଗୋଟିଏ ଲେଖାଏଁ ଲାଗିଛି । ପ୍ରତ୍ୟେକ ସିଗନାଲ୍ରେ ମଧ୍ୟ ଟ୍ୟାଗ୍ଗୁଡ଼ିକ ଲାଗିଛି । ଏହି ଆରଏଫଆଇଡି ଟ୍ୟାଗ୍ଗୁଡ଼ିକ ଟ୍ରେନ୍ଗୁଡ଼ିକର ସଠିକ୍ ସ୍ଥାନ ପ୍ରଦାନ କରେ । ଏହାବ୍ୟତୀତ କିଛି କିଲୋମିଟର ବ୍ୟବଧାନରେ ଅପ୍ଟିକାଲ୍ ଫାଇବର ସଂଯୋଗ ଏବଂ ବିଦ୍ୟୁତ୍ ଯୋଗାଣ ସହିତ ପୂର୍ଣ୍ଣାଙ୍ଗ ଦୂରସଞ୍ଚାର ଟାୱାରଗୁଡ଼ିକ ସ୍ଥାପନ କରାଯାଇଛି । ଷ୍ଟେସନଗୁଡ଼ିକରେ ଲୋକୋ ଏବଂ କବଚ ନିୟନ୍ତ୍ରକଗୁଡ଼ିକରେ ଲାଗିଥିବା କବଚ ପ୍ରଣାଳୀ ଏହି ଟାୱାରଗୁଡ଼ିକ ବ୍ୟବହାର କରି ନିରନ୍ତର ଯୋଗାଯୋଗ କରୁଛନ୍ତି । ଏହା ଏକ ଦୂରସଞ୍ଚାର ଅପରେଟର ପରି ଏକ ସମ୍ପୂର୍ଣ୍ଣ ନେଟୱାର୍କ ସ୍ଥାପନ କରିବା ସହିତ ସମାନ । ଏହା ଟ୍ରାକରେ ଲାଗିଥିବା ଆରଏଫଆଇଡି ଟ୍ୟାଗଗୁଡ଼ିକ ସହିତ ଯୋଗାଯୋଗ କରେ ଏବଂ ଦୂରସଞ୍ଚାର ଟାୱାରଗୁଡ଼ିକୁ ସୂଚନା ପ୍ରଦାନ କରେ ଏବଂ ଷ୍ଟେସନ୍ କବଚରୁ ରେଡିଓ ସୂଚନା ଗ୍ରହଣ କରେ । ଲୋକୋ କବଚ ମଧ୍ୟ ଲୋକୋମୋଟିଭ୍ର ବ୍ରେକିଂ ସିଷ୍ଟମ୍ ସହିତ ସଂଯୁକ୍ତ । ଏହି ସିଷ୍ଟମ୍ ଜରୁରୀକାଳୀନ ପରିସ୍ଥିତିରେ ବ୍ରେକ୍ ଲଗାଇବା ସୁନିଶ୍ଚିତ କରିଥାଏ । ସେହିପରି ଷ୍ଟେସନ କବଚ ପ୍ରତ୍ୟେକ ଷ୍ଟେସନ ଏବଂ ବ୍ଲକ ସେକ୍ସନରେ ଲାଗିଥାଏ । ଏହା ଲୋକୋ କବଚ ଓ ସିଗନାଲିଂ ସିଷ୍ଟମରୁ ସୂଚନା ଗ୍ରହଣ କରେ ଏବଂ ସୁରକ୍ଷିତ ଗତି ପାଇଁ ଲୋକୋ କଭାଚକୁ ମାର୍ଗଦର୍ଶନ କରେ । ଏହାବ୍ୟତୀତ ଟ୍ରାକଗୁଡ଼ିକ ସହିତ ଅପ୍ଟିକାଲ୍ ଫାଇବର ବିଛାଯାଇଥାଏ ଯାହା ହାଇ-ସ୍ପିଡ୍ ଡାଟା ଯୋଗାଯୋଗ ପାଇଁ ଏହି ସମସ୍ତ ସିଷ୍ଟମଗୁଡ଼ିକୁ ସଂଯୋଗ କରିଥାଏ । ଅନୁରୂପ ଭାବେ ସିଗନାଲିଂ ସିଷ୍ଟମ ଲୋକୋ କବଚ, ଷ୍ଟେସନ କବଚ, ଟେଲିକମ୍ ଟାୱାର ଇତ୍ୟାଦି ସହିତ ସଂଯୁକ୍ତ । ଯାତ୍ରୀ ଏବଂ ମାଲବାହୀ ଟ୍ରେନଗୁଡ଼ିକର ଅତ୍ୟଧିକ ପରିବହନ ସମେତ ରେଳବାଇ କାର୍ଯ୍ୟରେ ବାଧା ସୃଷ୍ଟି ନକରି ଏହି ସିଷ୍ଟମଗୁଡ଼ିକୁ ସଂଯୋଗ, ଯାଞ୍ଚ ଏବଂ ପ୍ରମାଣିତ କରାଯିବା ଆବଶ୍ୟକ । ବର୍ତ୍ତମାନ ସୁଦ୍ଧା ୫ହଜାର ୮୫୬ କିମିରୁ ଅଧିକ ଅପ୍ଟିକାଲ ଫାଇବର ବିଛାଯାଇଥିବା ବେଳେ ୬୧୯ ଦୂରସଞ୍ଚାର ଟାୱାର ଲଗାଯାଇଛି । ୭୦୮ଟି ଷ୍ଟେସନ ଏବଂ ୧୧୦୭ଟି ଲୋକୋରେ କବଚ ସଂଯୋଗ କରାଯାଇଛି । ୪ହଜାରରୁ ଅଧିକ କମିଟି ଟ୍ରାକ୍ ସାଇଟ୍ ସରଞ୍ଜାମ ସଂଯୋଗ କରାଯାଇଛି । ଭାରତୀୟ ରେଳବାଇ ପ୍ରତିବର୍ଷ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟକଳାପ ପାଇଁ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ କରିଥାଏ । ଯାତ୍ରୀ ଏବଂ ଟ୍ରେନର ସୁରକ୍ଷା ବୃଦ୍ଧି ପାଇଁ ନିଆଯାଇଥିବା ଅନେକ ପଦକ୍ଷେପ ମଧ୍ୟରୁ କବଚ ଅନ୍ୟତମ । କବଚକୁ ନିୟୋଜିତ କରିବାର ଅଗ୍ରଗତି ଏବଂ ଗତି ରେଳ ସୁରକ୍ଷା ସୁନିଶ୍ଚିତ କରିବା ପ୍ରତି ଭାରତୀୟ ରେଳବାଇର ପ୍ରତିବଦ୍ଧତାକୁ ରେଖାଙ୍କିତ କରିଥାଏ ।