ଅବସରପ୍ରାପ୍ତ ଶିକ୍ଷକ ବିପିନ ବିହାରୀ ଯୋଷୀଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅବିଭକ୍ତ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ହାଇସ୍କୁଲରେ ଶିକ୍ଷକତା କରି ଏବେ ବଲାଙ୍ଗିର ସୋମନାଥନଗର ଠାରେ ବାସ କରୁଥିବା ଅବସରପ୍ରାପ୍ତ ହାଇସ୍କୁଲ ପ୍ରଧାନଶିକ୍ଷକ ବିପିନବିହାରୀ ଯୋଷୀ(୮୦)ଙ୍କ ପରଲୋକ ହୋଇଯାଇଛି । ରବିବାର ଦିନ ତାଙ୍କୁ ଅସୁସ୍ଥତା କାରଣରୁ ପ୍ରଥମେ ଭୀମ ଭୋଇ ମେଡିକାଲ କଲେଜ ହସପିଟାଲ ଓ ପରେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ତରଭା ବ୍ଲକ ମେଣ୍ଡା ଗ୍ରାମରେ ଜନ୍ମିତ ତଥା ବଲାଙ୍ଗିର ରାଜେନ୍ଦ୍ର କଲେଜରୁ ଡିଗ୍ରୀ ଓ ବିଇଡି କଲେଜରୁ ଶିକ୍ଷା ସାରି ବଲାଙ୍ଗିର ଜିଲ୍ଲାର କୁଶଙ୍ଗ ହାଇସ୍କୁଲରେ ଶିକ୍ଷକତା ଆରମ୍ଭ କରିଥିଲେ । ପରେ ନିଜ ଜନ୍ମମାଟି ମେଣ୍ଡା ହାଇସ୍କୁଲରେ ଯୋଗ ଦେଇ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଶିକ୍ଷାଦାନ କରିଥିଲେ । ଜଣେ ଦକ୍ଷ ଶିକ୍ଷକ ଭାବରେ ମେଣ୍ଡା ହାଇସ୍କୁଲ ତଥା ଅଞ୍ଚଳରେ ସେ ବେଶ ସୁନାମ ଅର୍ଜନ କରିଥିଲେ । ଜଣେ ସଫଳ ଛାତ୍ରବତ୍ସଳ ଶିକ୍ଷକ ଓ ଆଧ୍ୟାତ୍ମିକ ପ୍ରବଚକ ଭାବରେ ଜଣାଶୁଣା ରହି ମେଣ୍ଡା ଅଞ୍ଚଳର ଶିକ୍ଷା,ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭାବଧାରା ସହିତ ଜଡିତ ଥିଲେ । ଶେଷରେ ବଲାଙ୍ଗିର ଜିଲ୍ଲାର ଝାରମୁଣ୍ଡା ହାଇସ୍‌ୁଲରୁ ୧୯୯୮ ମସିହାରେ ପ୍ରଧାନ ଶିକ୍ଷକ ଭାବରେ ଅବସର ଗ୍ରହଣ କରିଥିଲେ । ସେ ମେଣ୍ଡାର ଜଗନ୍ନାଥ ମନ୍ଦିର, ଗେ।।ପାଳଜୀ ମଠ ଇତ୍ୟାଦି ଅନୁଷ୍ଠାନର ପରିଚାଳନା କମିଟିରେ ରହିଥିଲେ ଓ ବଲାଙ୍ଗିରର ଆଧ୍ୟାତ୍ମିକ ରୁଚି ରଖୁଥିବା ଲୋକଙ୍କ ସହିତ ଭାରତର ବହୁଗୁଡିଏ ତୀର୍ଥକ୍ଷେତ୍ର ଭ୍ରମଣ କରିଥିଲେ । ତାଙ୍କ ବିୟୋଗରେ ବଲାଙ୍ଗିର ଓ ମେଣ୍ଡା ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି । ମୃତ୍ୟୁ ବେଳକୁ ତାଙ୍କ ପାଖରେ ତାଙ୍କ ଧର୍ମପତ୍ନୀ କ୍ଷୀରାବ୍ଧି, ଦୁଇ ପୁଅ ସୋମନାଥ ଓ ସୁଶୀଳ, ଝିଅ ଅନୁପମା, ପୁତ୍ରବଧୂ ଓ ନାତିନାତୁଣୀମାନେ ଉପସ୍ଥିତ ଥିଲେ । ଆଜି ସକାଳୁ ବଲାଙ୍ଗିର ବିଭୂତିପଡା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ବଡପୁଅ ସୋମନାଥ ମୁଖାଗ୍ନୀ ଦେଇଥିଲେ ।

Leave A Reply

Your email address will not be published.