ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଚଣ୍ଡୀଭଟା ଗ୍ରାମପଞ୍ଚାୟତର ଜଟେଶିରା ଗ୍ରାମର ପଦ୍ମନ ପ୍ରଧାନ (୬୭)ଙ୍କ ମଙ୍ଗଳବାର ଦିନ ଦେହାନ୍ତ ହୋଇଛି । ତାଙ୍କର ମେରୁଦଣ୍ଡ ଅସ୍ଥିର ଠିକ୍ ତଳ ଭାଗରେ ଥିବା ଭେନ୍ ବ୍ଲକ ହେବା କାରଣରୁ ରାୟପୁରର ସପ୍ତଗିରି ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ମଧ୍ୟ ଆରୋଗ୍ୟ ହୋଇପାରି ନଥିଲେ । ସେ ଭାରତୀୟ ଜନତା ପାର୍ଟିର ପଞ୍ଚାୟତ ପ୍ରମୁଖ, ଓବିସି ମୋର୍ଚ୍ଚା ମଣ୍ଡଳ ସଭାପତି ପଦ ପଦବୀ ମଣ୍ଡନ କରିଥିଲେ । ସେ ୧୯୯୫ ମସିହାରୁ ନିରବଚ୍ଛିନ୍ନ ଭାବରେ ଭାରତୀୟ ଜନତା ପାର୍ଟିରେ ଥିଲେ । ନିଜ ଗାଁର ଗ୍ରାମ କମିଟିର ବିଭିନ୍ନ ପଦ ପଦବୀ, କୀର୍ତ୍ତନ ପାର୍ଟିର ଆଜୀବନ ସଭାପତି ତା’ ସହିତ କୁଲତା ସମାଜର ବିଭିନ୍ନ ଦାୟିତ୍ଵ ମଧ୍ୟ ତୁଲାଉଥିଲେ । ସେ ଜଣେ ସରଳ, ନିଷ୍କପଟ, ଧର୍ମପରାୟଣ, ପରୋପକାରୀ ମଣିଷ ଥିଲେ । ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା । ତାଙ୍କ ପୁତ୍ର ରୋହିତ ପ୍ରଧାନ ମୁଖାଗ୍ନି ଦେଇଥିଲେ । ସେ ତାଙ୍କ ପଛରେ ପତ୍ନୀ ତ୍ରିପୁରା ପ୍ରଧାନ, ଦୁଇ ଝିଅ ଓ ପୁତ୍ର ରୋହିତ ପ୍ରଧାନକୁ ଛାଡ଼ି ଯାଇଛନ୍ତି । ପଦ୍ମନ ପ୍ରଧାନଙ୍କ ମୃତ୍ୟୁ ଖବର ପାଇ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ଶୋକ ବ୍ୟକ୍ତ କରିଛନ୍ତି । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।