ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ତେଲିଗୋଟପଡ଼ା ନିବାସୀ ବରିଷ୍ଠଚକ୍ଷୁ ଡାକ୍ତର ସତ୍ୟନାରାୟଣ ସାହୁଙ୍କ(୭୪) ପରଲୋକ ହୋଇଯାଇଛି । ହୃଦଘାତ ହେବାରୁ ତାଙ୍କୁ ସମ୍ବଲପୁର ବିକାଶ ହସ୍ପିଟାଲ ଭର୍ତ୍ତି କରାଯାଇଥିଲା । କିନ୍ତୁ ଗତକାଲି ରାତିରେ ଚିକିତ୍ସା ଚାଲୁଥିବା ବେଳେ ତାଙ୍କର ଦେହାନ୍ତ ହୋଇଯାଇଥିଲା । ସେ ଜଣେ ମିଷ୍ଟାଭାଷୀ, ପରୋପକାରୀ ଓ ମେଳାପୀ ଡାକ୍ତର ଭାବେ ପରିଚିତ ଥିଲେ । ଦୀର୍ଘଦିନ ବଲାଙ୍ଗିର ସରକାରୀ ହସ୍ପିଟାଲରେ ଚକ୍ଷୁ ବିଶେଷଜ୍ଞ ତଥା ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଭାବରେ କାର୍ଯ୍ୟ କରି ଅବସର ନେଇଥିଲେ । ଚାକିରି ସମୟରେ ସେ ପିଏଚ୍ସି ଆଗଲପୁର, ଲୋଇସିଂହା, ବେଲପଡ଼ା, ବିଜେପୁର ଫାସୀମାଲ, ସମ୍ବଲପୁରରେ କାର୍ଯ୍ୟ କରିଥିଲେ । ଅବସର ପରେ ସେ ବଲାଙ୍ଗିର କାରାଗାରର ଡାକ୍ତର ପରେ ଶାସ୍ତ୍ରୀନଗର ସହରାଞ୍ଚଳ ହସ୍ପିଟାଲରେ କାମ କରିଥିଲେ । ତାଙ୍କର ମୃତ୍ୟୁ ବେଳକୁ ତାଙ୍କର ଧର୍ମପତ୍ନୀ ବାସନ୍ତୀ ସାହୁ, ଏକମାତ୍ର ପୁତ୍ର ସୁରେଶ କୁମାର ସାହୁ, ପୁତ୍ରବଧୂ ପ୍ରିୟଙ୍କା ସାହୁ, ଝିଅ ଶ୍ୱେତା ସାହୁ, ବାଇଁ ତନ୍ମୟ ସାହୁ, ଭାଇ ବିଷ୍ଣୁ ଚରଣ ସାହୁ, ବାବାଜୀ ଚରଣ ସାହୁ, ଭଉଣୀ ରଞ୍ଜିତା ସାହୁ, ସଂଯୁକ୍ତ। ସାହୁ ଭଉଣୀ ଜ୍ୱାଇଁ ପ୍ରେମାନନ୍ଦ ଚୋପଦର, ପ୍ରମୋଦ ସାହୁ, ଭଣଜା ହେଲେ ବିଟୁ, ନିକୁ , ପିକୁ, ସିତୁ ତାଙ୍କର ମୃତ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ । ବିଭୁତିପଡା ସ୍ଵର୍ଗଦ୍ୱାରଠାରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ପୁଅ ସୁରେଶ କୁମାର ସାହୁ ମୁଖାଗ୍ନି ଦେଇଥିଲେ । ମୃତ୍ୟୁଖବର ପାଇବା ପରେ ସହରର ବହୁ ବିଶିଷ୍ଠ ବ୍ୟକ୍ତି, ବ୍ୟବସାୟୀ ଓ ପଡାବାସୀ ସହିତ ବନ୍ଧୁବାନ୍ଧବ ତାଙ୍କ ତେଲିଗୋଟପଡ଼ା ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଡାକ୍ତର ସାହୁଙ୍କ ମୃତ୍ୟୁ ଖବର ପାଇଲା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।