jittmm
sonalika

ବରିଷ୍ଠ ଭେଷଜବିତ୍‌ ତଥା ସମାଜସେବୀ, ତ୍ୟାଗୀ ପ୍ରଫେସର ଡ଼ା. ପ୍ରଫୁଲ୍ଲ ଚନ୍ଦ୍ର ସାହୁଙ୍କ ପରଲୋକ

  • ଏମ୍‌କେସିଜି ମେଡିକାଲ କଲେଜକୁ ଦାନ କରାଗଲା ମର ଶରୀର

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବରିଷ୍ଠ ଭେଷଜବିତ୍‌ ତଥା ସମାଜସେବୀ, ତ୍ୟାଗୀ ପ୍ରଫେସର ଡ଼ା. ପ୍ରଫୁଲ୍ଲ ଚନ୍ଦ୍ର ସାହୁଙ୍କ ବୁଧବାର ପ୍ରତ୍ୟୁଷରେ ଗଜପତି ନଗର ସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ଧର୍ମପତ୍ନୀ ପୁଷ୍ପାଞ୍ଜଳି ସାହୁ, ଦୁଇ ପୁଅ, ଝିଅଙ୍କ ସମେତ ଆତ୍ମୀୟ ସ୍ୱଜନ ଓ ପରିବାର ବର୍ଗ ଉପସ୍ଥିତ ଥିଲେ । ତାଙ୍କ ପରଲୋକ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଥିଲେ । ପିଲାବେଳୁ ଡ଼ାକ୍ତର ହେବାର ତାଙ୍କର ଇଚ୍ଛା ଥିଲା । ପାଠପଢ଼ାରେ ସେତେଟା ସୁବିଧା ନଥିଲେ ମଧ୍ୟ ଡ଼ାକ୍ତରୀ ଶିକ୍ଷା ଗ୍ରହଣ କରିଥିଲେ । ଡ଼ାକ୍ତର ହୋଇ ମାନବ ସେବା କରି ଆସୁଥିଲେ । ୯୫ ବର୍ଷରେ ପଦାର୍ପଣ କରିଥିଲେ ମଧ୍ୟ ରୋଗୀସେବା ଜାରି ରଖିଥିଲେ । ସେ ଅନୁଗୁଳ ଜିଲ୍ଲାର ତଳମୁଳ ଗ୍ରାମରେ ଅନୁଗୁଳରେ ୧୯୩୧ ଜାନୁଆରୀ ୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ବ୍ରହ୍ମପୁରକୁ କର୍ମଭୂମି ଭାବେ ଗ୍ରହଣ କରିଥିଲେ । ସେ ରାଜ୍ୟ ତଥା କେନ୍ଦ୍ରର ବିଭିନ୍ନ ପଦ ପଦବୀରେ ରହିଥିଲେ ମଧ୍ୟ ରୋଗୀସେବାକୁ ପ୍ରାଧାନ୍ୟତା ଦେଉଥିଲେ । ପ୍ରଫେସର ଡ଼ା. ପ୍ରଫୁଲ୍ଲ ଚନ୍ଦ୍ର ସାହୁ ଏକାଧାରରେ ଜଣେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଭେଷଜ ଚିକିତ୍ସାବିତ୍‌, ମେଧାବୀ ଛାତ୍ର, ଗୁରୁଣାଂ ଗୁରୁ, ନିରଳସ ସମାଜସେବୀ, ଆଧ୍ୟାମିକବାଦୀ, ଗବେଷକ, ଆଦର୍ଶ ଶିକ୍ଷକ, ତ୍ୟାଗୀ ପୁରୁଷ ଓ ସର୍ବୋପରି ଜଣେ ଆଦର୍ଶ ବ୍ୟକ୍ତିବିଶେଷ ଭାବେ ପରିଚିତ ଥିଲେ । ସେଠାରୁ ପ୍ରାଥମିକ ଓ ହାଇସ୍କୁଲ ଶିକ୍ଷା ସମାପ୍ତ କରିଥିଲେ । ପରେ କଟକ ରେଭେନ୍ସା କଲେଜରେ ଅଧ୍ୟୟନ ଓ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଚିକିତ୍ସା ମହାବିଦ୍ୟାଳୟରେ ଶିକ୍ଷାଲାଭ କରି ବାରିପଦାରେ ପ୍ରଥମ ଚାକିରି ଜୀବନ ଆରମ୍ଭ କରିଥିଲେ । ତପରେ ଉଚ୍ଚତର ସ୍ନାତକୋତ୍ତର ଶିକ୍ଷାପାଇଁ ବିଦେଶ ଯାତ୍ରାକରି ୟୁନାଇଟେଡ଼୍‌ କିଙ୍ଗ୍‌ଡ଼ମ୍‌ର ଏଡ଼ିନ୍‌ ବର୍ଗ, ଗ୍ଳାସଗୋ ବିଶ୍ୱବିଦ୍ୟାଳୟରୁ ଏମ୍‌.ଆର.ସି.ପି ଏବଂ ଏମ୍‌.ଆର୍‌.ସି.ପି, ଏଫ୍‌ଆରସିପି ଓ ଏଫ୍‌ଆଇସିପି (ଇଂଲଣ୍ଡ) ଉପାଧି ଲାଭ କରିଥିଲେ । ଓଡ଼ିଶାର ବୁର୍ଲା ମେଡ଼ିକାଲ୍‌ କଲେଜରେ ଅଧ୍ୟାପକ ଭାବେ ଯୋଗଦେଇ ପରେ ବ୍ରହ୍ମପୁର ମେଡ଼ିକାଲ କଲେଜରେ ଅଧ୍ୟାପକ ଓ ପରେ ବିଭାଗୀୟ ମୁଖ୍ୟ ଭାବେ କାମ କରି ୧୯୮୬ରେ ସ୍ୱଇଚ୍ଛାରେ ଅବସର ଗ୍ରହଣ କରି ସାଉଦି ଆରବ ଯାତ୍ରା କଲେ । ସେଠି ଭେଷଜ ବିଭାଗ ମୁଖ୍ୟ ଭାବେ କାର୍ଯ୍ୟକରି ୧୯୯୦ରେ ପୁଣି ଭାରତ ପ୍ରତ୍ୟାବର୍ତ୍ତନ କଲେ । କାର୍ଯ୍ୟକାଳ ଅବଧିରେ ସେ ରାଜ୍ୟର ତିନିଟି ଭେଷଜ ମହାବିଦ୍ୟାଳୟରେ ଅଧ୍ୟାପନା କରି ଅନେକ ଚିକିତ୍ସକଙ୍କୁ ସୃଷ୍ଟି କରିପାରିଥିଲେ । ବହୁ ଜାତୀୟ ଓ ଅନ୍ତର୍ଜାତୀୟ ସଂପାନରେ ଯୋଗଦେଇ ଉଚ୍ଚକୋଟୀର ଗବେଷଣା ମୂଳକ ନିବନ୍ଧମାନ ପାଠ କରିଥିଲେ । ତାଙ୍କରି ଅଧ୍ୟାପନା କାଳରେ ଅନେକ ଭେଷଜ ଛାତ୍ର ସୃଷ୍ଟି କରିବା ସହ ଅନେକ ଛାତ୍ରଙ୍କୁ ସ୍ନାତକୋତ୍ତର ଭେଷଜ ଉପାଧି ପ୍ରଦାନ କରିଥିଲେ । ଚିକିତ୍ସା କ୍ଷେତ୍ରରେ ରାଜଯୋଗ ଓ ପ୍ରାଣାୟାମର ପ୍ରଭାବ ଉପରେ ସେ ଗବେଷଣା କରି ବିିଭିନ୍ନ ରୋଗୀଙ୍କୁ ଉପଶମ କରିପାରିଛନ୍ତି । ପ୍ରଜାପିତା ବ୍ରହ୍ମାକୁମାରୀ ବିଶ୍ୱବିଦ୍ୟାଳୟ, ସ୍ୱାମୀ ଶିବାନନ୍ଦ, ବିବେକାନନ୍ଦ ଓ ରାମକୃଷ୍ଣ ପରମହଂସଙ୍କ ଦର୍ଶନମାର୍ଗର ସେ ଜଣେ ଅନୁଗାମୀ ଥିଲେ । ଉକ୍ରଳ ବିଶ୍ୱବିଦ୍ୟାଳୟର ତତ୍‌କାଳୀନ କୁଳପତି ପଦ୍ମଭୂଷଣ ପ୍ରାଣକୃଷ୍ଣ ପରିଜାଙ୍କ ଠାରୁ କ୍ରୀଡା କ୍ଷେତ୍ରରେ ପାରଦର୍ଶିତା ପାଇଁ ସେ ୟୁନିଭରସିଟି କ୍ରେଷ୍ଟରେ ପୁରସ୍କୃତ ହୋଇଥିଲେ । ଚାକିରି ଜୀବନରେ ଦୁଇଶତାଧିକ ଭେଷଜ ଛାତ୍ର ସୃଷ୍ଟି କରିବାର ଗୌରବ ଅର୍ଜନ କରିପାରିଥିଲେ । ସେ ଶତାଧିକ ଅନୁଷ୍ଠାନରୁ ସମ୍ମାନିତ ହୋଇଥିବା ବେଳେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମଗ୍ରିକ କୃତିପାଇଁ ସେ କୁଳାଧିପତିଙ୍କ ଠାରୁ ସମ୍ମାନସୂଚକ ଡ଼ି.ଏସ୍‌ସି ଉପାଧି ଲାଭ କରିଛନ୍ତି । ଶିକ୍ଷକତା ଓ ଗବେଷଣା ପାଇଁ ତତ୍‌କାଳୀନ ରାଜ୍ୟପାଳ ଡ଼. ଏସ୍‌.ସି ଜମିରଙ୍କ ଦ୍ୱାରା ବିରଳ ବ୍ୟକ୍ତିତ୍ୱ ସମ୍ମାନ, ତକ୍ରାଳୀନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ୍‌ଙ୍କ ଦ୍ୱାରା ମାଉଣ୍ଟ୍‌ ଆବୁରେ ହୃଦରୋଗର ଚିକିତ୍ସା ଓ ପ୍ରତିଷେଧକ ବ୍ୟବସ୍ଥା ପାଇଁ ସର୍ବୋତ୍ତମ ସେବା ଉପାଧି ଭଳି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବହୁ ସମ୍ମାନରେ ସମ୍ମାନିତ ପ୍ରଫେସର ଡ଼ା. ସାହୁ ଗରିବ ରୋଗୀଙ୍କ ପ୍ରତି ସହାୟତାର ହାତ ବଢ଼ାଇବା ସହ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପ୍ରତି ଆନ୍ତରିକ ବଦାନ୍ୟତା ଦେଖାଇ ଆସୁଥିଲେ । ଏଥିସହ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରତ ଯାଦବ, ଆନ୍ଧ୍ର ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ, ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ । ବ୍ରହ୍ମପୁର ପ୍ରକାଶିତ ସାପ୍ତାହିକ ନବୀନର ଉପଦେଷ୍ଟା ରହିଥିଲେ । ଏହାବ୍ୟତୀତ ମାନସିକ ଭିନ୍ନକ୍ଷମଙ୍କ ପାଇଁ ଉଦ୍ଦିଷ୍ଟ “ସଖା’ ଅନୁଷ୍ଠାନର ଉପଦେଷ୍ଟା ପଦବୀ ମଣ୍ଡନ କରିବା ସହ ବିଭିନ୍ନ ଅନୁଷ୍ଠାନ ସହ ଜଡ଼ିତ ରହି ନିଃସହାୟ ଜନତାଙ୍କ ପାଇଁ କାର୍ଯ୍ୟ କରି ଆସୁଥିଲେ । ଅନୁଗୁଳ ହାଇସ୍କୁଲର ଗଙ୍ଗାଧର ଲାଇବ୍ରେରୀର ଉନ୍ନତି ପାଇଁ ସେ ଆର୍ଥିକ ସହଯୋଗ ଯୋଗାଇ ଦେଇଥିଲେ । ବୃତ୍ତିଗତ ଜୀବନରେ ସେ ୟୁନାଇଟେଡ଼୍‌ କିଙ୍ଗଡ଼ମ୍‌, ଉଜବେକିସ୍ଥାନ, ସାଉଦି ଆରବ, ମାଲେସିଆ, ବ୍ୟାଙ୍କକ୍‌ ଓ ଶ୍ରୀଲଙ୍କା ଇତ୍ୟାଦି ବହୁ ବିଦେଶ ଗସ୍ତ କରିଥିଲେ । ଏହି ବଦାନ୍ୟ ଏବଂ ସେବା ପ୍ରଣୋଦିତ ବ୍ୟକ୍ତିତ୍ୱ ମୃତ୍ୟୁପରେ ନିଜର ଚକ୍ଷୁ ଓ ଶରୀର ଦାନ ଏମକେସିଜି ମେଡିକାଲ କଲେଜକୁ ଦାନ କରାଯାଇଛି । ଏବେ କରୋନା ମହାମାରୀର ଭୟବହତାକୁ ସମ୍ମୁଖୀନ ହେବାପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିକୁ ଏକଲକ୍ଷ ଟଙ୍କା ବ୍ୟକ୍ତିଗତ ଭାବେ ଦାନକରି ସେ ଏକ ଅନନ୍ୟ ପରମ୍ପରା ସୃଷ୍ଟି କରିଥିଲେ । ଦଧୀଚିଙ୍କ ପରି ଶରୀର ଦାନ, ଗୋପବନ୍ଧୁଙ୍କ ପରି ସେବା, ଗୁରୁ ଦ୍ରୋଣଙ୍କ ପରି ଶିକ୍ଷାଦାନ କରିଥିବା ପ୍ରଫେସର ଡ଼ା. ପ୍ରଫୁଲ୍ଲ ଚନ୍ଦ୍ର ସାହୁ ଜଣେ ଅଦ୍ୱିତୀୟ ଋଷିପ୍ରତିମ ବ୍ୟକ୍ତିତ୍ୱ, ଯାହାଙ୍କର ଯେତେ ପ୍ରଶଂସା କଲେ ବି ଶେଷ ହେବାର ନାହିଁ ।

Leave A Reply

Your email address will not be published.