ପଞ୍ଚାୟତରେ ବ୍ୟବହାର ହେବ ଏଆଇ ପ୍ରଯୁକ୍ତି

  • ଗ୍ରାମସଭା ବିବରଣୀ ଲିପିବଦ୍ଧ କରିବା ଲାଗି ଏଆଇ-ପରିଚାଳିତ ଉପକରଣ
  • ‘ସଭାସାର’ର ଶୁଭାରମ୍ଭ କରିବ ପଞ୍ଚାୟତିରାଜ ମନ୍ତ୍ରଣାଳୟ

ନୂଆଦିଲ୍ଲୀ, (ପିଆଇବି) : ପଞ୍ଚାୟତିରାଜ ମନ୍ତ୍ରଣାଳୟ ‘ସଭାସାର’ ନାମକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପରିଚାଳିତ ବୈଠକ ସାରାଂଶ ଉପକରଣ ଶୁଭାରମ୍ଭ କରିବାକୁ ଯାଉଛି । ଗ୍ରାମ ସଭା କିମ୍ବା ଅନ୍ୟ ପଞ୍ଚାୟତ ବୈଠକର ଅଡିଓ ଏବଂ ଭିଡିଓ ରେକର୍ଡିଂରୁ ସ୍ୱୟଂଚାଳିତ ଭାବେ ବୈଠକ ବିବରଣୀ ପ୍ରସ୍ତୁତ କରିବା ଲାଗି ଏହାକୁ ଡିଜାଇନ କରାଯାଇଛି । ଆସନ୍ତାକାଲି, ଅର୍ଥାତ୍ ୧୪ ଅଗଷ୍ଟ ଗୁରୁବାର ଦିନ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂହ, ମାନ୍ୟବର ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍.ପି.ସିଂହ ବାଘେଲ, ପଞ୍ଚାୟତିରାଜ ମନ୍ତ୍ରଣାଳୟର ସଚିବ, ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ପଞ୍ଚାୟତିରାଜ ଅନୁଷ୍ଠାନର ପ୍ରତିନିଧି ଏବଂ ଗଣମାଧ୍ୟମର ଉପସ୍ଥିତିରେ ଏହି ଉପକରଣର ଶୁଭାରମ୍ଭ କରାଯିବ । ସଭାସାର କଥିତ ଆଲୋଚନାକୁ ଲିପିବଦ୍ଧ କରିବା, ମୁଖ୍ୟ ନିଷ୍ପତ୍ତି ଓ କାର୍ଯ୍ୟ ବିନ୍ଦୁଗୁଡ଼ିକୁ ଚିହ୍ନଟ କରିବା ଏବଂ ଭଲ ଭାବରେ ପ୍ରସ୍ତୁତ ହୋଇଥିବା ବୈଠକ ବିବରଣୀ ପ୍ରସ୍ତୁତ କରିବା ପାଇଁ ଉନ୍ନତ ଏଆଇ ଓ ନେଚୁରାଲ ଲାଙ୍ଗୁଏଜ୍ ପ୍ରୋସେସିଂ (ଏନଏଲପି) ପ୍ରଯୁକ୍ତି ବ୍ୟବହାର କରେ । ଭାରତ ସରକାରଙ୍କ ଜାତୀୟ ଭାଷା ଅନୁବାଦ ମିଶନ, ‘ଭାଷିନୀ’ ସହିତ ସମନ୍ୱିତ ଏହି ଉପକରଣ ବର୍ତ୍ତମାନ ୧୩ଟି ଭାରତୀୟ ଭାଷାକୁ ସମର୍ଥନ କରୁଛି । ଏହା ଭାଷାଗତ ପୃଷ୍ଠଭୂମିରେ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ପାଇଁ ସମାବେଶୀତା ଏବଂ ସୁଗମତା ସୁନିଶ୍ଚିତ କରେ । ଆଗାମୀ ଦିନରେ ସମର୍ଥିତ ଭାଷା ସଂଖ୍ୟା ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ପଞ୍ଚାୟତିରାଜ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶକୁ ୧୫ ଅଗଷ୍ଟ ୨୦୨୫ରେ ହେବାକୁ ଥିବା ସ୍ୱତନ୍ତ୍ର ଗ୍ରାମସଭା ପାଇଁ ବୈଠକର ବିବରଣୀ ପ୍ରସ୍ତୁତ କରିବା ନିମନ୍ତେ ସଭାସାର ଟୁଲ୍ ବା ଉପକରଣ ବ୍ୟବହାର କରିବାକୁ ଅନୁରୋଧ କରିଛି । ପ୍ରଥମ ପଦକ୍ଷେପ ସ୍ୱରୂପ ତ୍ରିପୁରାର ସମସ୍ତ ୧୧୯୪ ଗ୍ରାମ ପଞ୍ଚାୟତ (ପାରମ୍ପରିକ ସ୍ଥାନୀୟ ସଂସ୍ଥା ସମେତ) ଏହି ସ୍ୱତନ୍ତ୍ର ଗ୍ରାମସଭାର ବିବରଣୀ ପ୍ରସ୍ତୁତ କରିବା ଲାଗି ଏହି ଉପକରଣ ବ୍ୟବହାର କରିବେ । ଏହା ପଞ୍ଚାୟତଗୁଡ଼ିକର କାମକୁ ସହଜ କରିବା ସହିତ ପଞ୍ଚାୟତିରାଜ ମନ୍ତ୍ରଣାଳୟକୁ ଏହି ଉପକରଣକୁ ଅଧିକ ଉନ୍ନତ କରିବାରେ ମଧ୍ୟ ସାହାଯ୍ୟ କରିବ । ଏହି ପଦକ୍ଷେପ ସମାବେଶୀ ଗଣତନ୍ତ୍ରକୁ ସୁଦୃଢ଼ କରିବା ଏବଂ ସ୍ଥାନୀୟ ପ୍ରଶାସନରେ ଦକ୍ଷତା ବୃଦ୍ଧି କରିବା ପାଇଁ ଡିଜିଟାଲ୍ ନବସୃଜନକୁ ଉପଯୋଗ କରିବା କ୍ଷେତ୍ରରେ ପଞ୍ଚାୟତିରାଜ ମନ୍ତ୍ରଣାଳୟର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ । ସଭାସାର ମାନୁଆଲ୍ ଡକ୍ୟୁମେଣ୍ଟେସନ୍ ପାଇଁ ଆବଶ୍ୟକ ସମୟ ଏବଂ ପ୍ରୟାସକୁ ଉଲ୍ଲେଖନୀୟ ଭାବରେ ହ୍ରାସ କରିବ । ଏତଦବ୍ୟତୀତ ସ୍ୱଚ୍ଛତା ଓ ଦାୟିତ୍ୱ ସୁନିଶ୍ଚିତ କରିବା ସହିତ ଶାସନ ଓ ସେବା ପ୍ରଦାନ ଉପରେ ଧ୍ୟାନ ଦେବାକୁ ପଞ୍ଚାୟତ ଅଧିକାରୀମାନଙ୍କୁ ସକ୍ଷମ କରିବ ।

jittmm
Leave A Reply

Your email address will not be published.