ବଲାଙ୍ଗିର, (କେପିଏନ୍ଏସ୍) : ଜେ.ଏସ.ଏମ. ଆର୍ଟ୍ସ, ସାଇନ୍ସ ଏବଂ କମର୍ସ କଲେଜରେ ଆଜି ୭୯ତମ ସ୍ୱାଧୀନତା ଦିବସ ବିଶେଷ ଉତ୍ସାହ, ଦେଶଭକ୍ତି ଓ ଗର୍ବ ସହିତ ଉଦ୍ୟାପନ କରାଗଲା । କାର୍ଯ୍ୟକ୍ରମରେ ଧ୍ୱଜାରୋହଣ, ପ୍ରେରଣାଦାୟକ ଉଦବୋଧନ, ପୁରସ୍କାର ବିତରଣ, ସାଂସ୍କୃତିକ ପ୍ରଦର୍ଶନ ଓ ରାସ୍ତା-ନାଟକ ସହିତ ବିଭିନ୍ନ କାର୍ଯ୍ୟସୂଚୀ ଆୟୋଜିତ ହେଲା । ଅବସରଟିରେ ବିଶିଷ୍ଟ ଅତିଥି ବିଷ୍ଣୁ ପ୍ରସାଦ କେଡିଆ (ପରିଚିତ ସମାଜସେବୀ, ବଲାଙ୍ଗିର), ମୁଖ୍ୟ ଅତିଥି ଡ଼ା. ସୁଜ୍ଞାନେନ୍ଦ୍ର ମିଶ୍ର (ସ୍ତ୍ରୀରୋଗ ଓ ପ୍ରସୂତିରୋଗ ବିଶେଷଜ୍ଞ, ବଲାଙ୍ଗିର), ଅଧ୍ୟକ୍ଷ ସି.ଏ. ଶ୍ରୀକାନ୍ତ ଶର୍ମା, ନିର୍ଦ୍ଦେଶକ ପିତବାସ ପଣ୍ଡା, ମୁଖ୍ୟ ଉପଦେଷ୍ଟା ମନୋରଞ୍ଜନ ସାହୁ ଏବଂ ବାଣିଜ୍ୟ ବିଭାଗର ବରିଷ୍ଠ ଅଧ୍ୟାପକ ସୁବ୍ରତ ପଟ୍ଟନାୟକ ମଞ୍ଚାସୀନ ହୋଇଥିଲେ । ସମସ୍ତ ଅତିଥିମାନେ ନିଜର ପ୍ରେରଣାଦାୟକ ଉଦ୍ବୋଧନ ଦ୍ୱାରା ଛାତ୍ରଛାତ୍ରୀଙ୍କୁ ସମାଜ ପ୍ରତି ଦାୟିତ୍ୱ ପାଳନ ଓ ଦେଶ ଉନ୍ନତିରେ ସକ୍ରିୟ ଅବଦାନ ରଖିବା ପାଇଁ ପ୍ରେରିତ କରିଥିଲେ । ପରେ, ସ୍ୱାଧୀନତା ଦିବସ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ସ୍ୱାଧୀନତା ସେନାନୀ ଓ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପଟାନାଗଡ଼ ଛକ, ଦୁର୍ଗା ମନ୍ଦିର ସାମ୍ନାରେ ଥିବା ୱେଣ୍ଡିଙ୍ଗ ଜୋନରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ରାସ୍ତା-ନାଟକ ଓ ସାଂସ୍କୃତିକ ପ୍ରଦର୍ଶନ ହୋଇଥିଲା । ଏଥିରେ ଦେଶଭକ୍ତିମୂଳକ ଗୀତ, ନୃତ୍ୟ ଓ ଏକ ନାଟକ ପ୍ରସ୍ତୁତ ହୋଇଥିଲା । କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ପ୍ରେରିତ କରିବା ପାଇଁ ବିଶିଷ୍ଟ ଅତିଥି ଓଡିଶା ପୋଲିସ ନିରୀକ୍ଷକ ଅନିତା ପଧାନ ଓ ସହାୟକ ଉପ-ନିରୀକ୍ଷକ ଦୟାନନ୍ଦ ସାରଙ୍ଗୀ ଉପସ୍ଥିତ ଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ସି.ଏ. ଶ୍ରୀକାନ୍ତ ଶର୍ମା ଅତିଥିମାନଙ୍କୁ ଉତ୍ତରୀୟ ପରିଧାନ କରାଇ ସମ୍ମାନିତ କଲେ । ଧନ୍ୟବାଦ ଜଣାଇଲେ ଶିକ୍ଷା ବିଭାଗର ଅଧ୍ୟାପିକା ସୁଶ୍ରୀ କୃଷ୍ଣ କୁମାରୀ ମିଶ୍ର ଏବଂ ଜାତୀୟ ସଙ୍ଗୀତ ସହ କାର୍ଯ୍ୟକ୍ରମର ସମାପନ ହେଲା ।

Next Post