ପଦ୍ମପୁର, (ନିରୋଜ କୁମାର ପାଣୀ) : ସମ୍ବଲପୁରୀ ଭାଷା ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଓ ସମ୍ବଲପୁରୀ ଭାଷାର ଜନକ ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମ ବାର୍ଷିକୀକୁ ପ୍ରତ୍ୟେକ ବର୍ଷ ଅଗଷ୍ଟ ୧ ତାରିଖକୁ ସମ୍ବଲପୁରୀ ଦିବସ ଭାବେ ପାଳନ କରିଥାଉ । ଏହି ପରିପ୍ରେକ୍ଷୀରେ ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଜେନିଥ ଲାୟଂଶ ଗୁରୁକୁଳରେ ସମ୍ବଲପୁରୀ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟରେ ଏକ ସଭା ଆୟୋଜିତ ହୋଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ଅବସରପ୍ରାପ୍ତ ବିଦ୍ୟାଳୟ ପରିଦର୍ଶକ ଡ଼ .ସୁବାସ ମେହେର । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରତାପ ମିଶ୍ର, ଉପ ସଭାପତି ସୁଶାନ୍ତ ରଥ, ସମ୍ପାଦକ ପବନ ଅଗ୍ରୱାଲ, କୋଷାଧ୍ୟକ୍ଷ ମ. ଜାୱେଦ, ବିଦ୍ୟାଳୟର ଅଧ୍ୟକ୍ଷ ଡ଼ ମନୋଜ କୁମାର ପଣ୍ଡା ଓ ଜେନିଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଚତୁର୍ଭୁଜ ପ୍ରଧାନ ମଞ୍ଚାସୀନ ଥିଲେ । ସଭା ଆରମ୍ଭରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ମା ସମଲେଶ୍ଵରୀ ତଥା ଗୁରୁ ସତ୍ୟନାରାୟଣ ବହିଦାରଙ୍କ ପଟ୍ଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହିତ ଦୀପ ପ୍ରଜ୍ଜ୍ଵଳିତ କରାଯାଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ଡ ମନୋଜ କୁମାର ପଣ୍ଡା ସମ୍ବଲପୁରୀ ଦିନ ପାଳନର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ନିଜର ଅଭିଭାଷଣ ରଖିଥିବା ବେଳେ ମୁଖ୍ୟ ଅତିଥି ସମ୍ବଲପୁରୀ ଭାଷା, ସଂସ୍କୃତି ଓ ପରମ୍ପରା ବିଷୟରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ସଭାକୁ ପରିଚାଳନା କରିଥିଲେ ବରିଷ୍ଠ ଶିକ୍ଷକ ସନ୍ତୋଷ ବେହେରା । ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ସମ୍ବଲପୁରୀ ସଂସ୍କୃତି ଓ ପରମ୍ପରାର ଗୌରବକୁ ବହନ କରୁଥିବା ଜିନିଷ ଗୁଡ଼ିକ ପ୍ରଦର୍ଶିତ ହୋଇଥିଲା । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।
