ଛତ୍ରପୁର ପଣ୍ଡିତ ନୀଳକଣ୍ଠ କଲେଜରେ ସ୍ୱାଭିମାନ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରସ୍ଥ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ ପରିସରରେ ଶୁକ୍ରବାର ଅପରାହ୍ନରେ ଉତ୍କଳ ଗୌରବ ତଥା ଓଡ଼ିଆ ସ୍ୱାଭିମାନର ମୂର୍ତ୍ତିମନ୍ତ ପ୍ରତୀକ କୁଳବୃଦ୍ଧ ମଧୁସୂଦନ ଦାସଙ୍କ ଜୟନ୍ତୀ ଦିବସ ତଥା ତାଙ୍କର ଜନ୍ମ ଦିବସକୁ ସ୍ୱାଭିମାନ ଦିବସ ଭାବେ ପାଳନ କରାଯାଇଛି ।

ମଧୁବାବୁ ହେଉଛନ୍ତି ଜଣେ ଅଦ୍ୱିତୀୟ ପୁରୁଷ ଯିଏକି ଓଡ଼ିଆ ଦେଶ ପାଇଁ, ଜାତି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ । ତାଙ୍କ ଜୀବନରେ ନିଜ ସ୍ୱାର୍ଥ କଥା କେବେ ଚିନ୍ତା କରି ନ ଥିଲେ, ତେଣୁ ସେ ଓଡ଼ିଆ ସ୍ୱାଭିମାନର ବ୍ୟକ୍ତିତ୍ୱ ବୋଲି ବରିଷ୍ଠ ଆଇନଜ୍ଞ ଗୋକୁଳ ଚନ୍ଦ୍ର ପଣ୍ଡା ତାଙ୍କର ଆଦର୍ଶ ବ୍ୟକ୍ତିତ୍ୱ ଉପରେ ପ୍ରତିପାଦନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ରାଜେନ୍ଦ୍ର ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତି ଚାରଣ ସଭାରେ ଶିକ୍ଷା ବିଭାଗ ଅଧ୍ୟାପିକା ଶ୍ରୀମତୀ ଯାଜ୍ଞସିନୀ ପାଣିଗ୍ରାହୀ, ଓକିଲ ସଂଘ ସଭାପତି ପ୍ରଦୀପ ପାଢ଼ୀ, ଓକିଲ ସଂଘ ସମ୍ପାଦକ ଏଲ. ଗୋପାଳ, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି, ସାହିତ୍ୟିକ, ସାମ୍ବାଦିକ, ଓକିଲ ପ୍ରମୁଖ ଯୋଗଦେଇ ମଧୁବାବୁଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ସ୍ମୃତି ଚାରଣ କରିଥିଲେ । ସମ୍ବାଦ ସାହିତ୍ୟ ଘର ସୌଜନ୍ୟରେ ଆୟୋଜିତ ଏହି ସାମାରୋହର ପ୍ରଥମେ ବରେଣ୍ୟ ଶିକ୍ଷକ ଅଜିତ ସେଠୀ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ବରେଣ୍ୟ କବି ପ୍ରଶାନ୍ତ ଶତପଥୀ, ଆଡ଼ଭୋକେଟ୍‌ ଶ୍ୟାମ କୁମାର ରାଓ ନିଜସ୍ୱ କବିତା ପାଠ କରିବା ସାଂଗକୁ ସ୍ମୃତି ଚାରଣ କରିଥିଲେ । ସାମ୍ବାଦିକ ବସନ୍ତ କୁମାର ମହାରଣା ଶେଷରେ ସଭିଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.