jayashree

ସାବିତ୍ରୀ ବାଈ ଫୁଲେଙ୍କ ଜନ୍ମ ଜୟନ୍ତୀ ପାଳିତ

  • ଶିକ୍ଷା କ୍ଷେତ୍ରରେ ମହିଳାଙ୍କ ମଧ୍ୟରେ କ୍ରାନ୍ତି ଏକାନ୍ତ ଆବଶ୍ୟକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତର ପ୍ରଥମ ମହିଳା ଶିକ୍ଷୟିତ୍ରୀ କ୍ରାନ୍ତିଜ୍ୟୋତି ମାତା ସାବିତ୍ରୀ ବାଈ ଫୁଲେଙ୍କ ଜନ୍ମ ଜୟନ୍ତୀ ସ୍ଥାନୀୟ ବଲାଙ୍ଗିର ସାମ୍ବାଦିକ ଭବନ ଠାରେ ପଶ୍ଚିମ ଓଡିଶା ମହିଳା ସଂଗଠନ ତରଫରୁ ଆଜି ପାଳିତ ହୋଇଯାଇଛି । ଏହି ଅବସରରେ ସଂଗଠନର ସଭାନେତ୍ରୀ ସବିତା ନନ୍ଦଙ୍କ ସଭାପତିତ୍ୱରେ ତଥା କୁନା ବାଗଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ନୂଆପଡା ଜିଲ୍ଲା ନୂଆପଡା ବ୍ଲକ ଶିକ୍ଷାଧିକାରୀ ହେମସାଗର ମହାନନ୍ଦ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ କାଉନସିଲର ଶମ୍ଭୁ ନାଗ, ଗଣ୍ଡାବଜା ପତ୍ରିକାର ସମ୍ପାଦକ ତ୍ରିଲୋଚନ ନନ୍ଦ, ବଲାଙ୍ଗିର ବ୍ଲକର ପୂର୍ବତନ ଅଧ୍ୟକ୍ଷା ଲଳିତା ଦୀପ, ସମାଜସେବୀ ତଥା ଲେଖିକା ଲିଲି ପଟେଲ, ଟିଟିଲାଗଡ ଗରିବ ସେନାର ସଭାପତି ବିରେନ୍ଦ୍ର ବାଗ ଓ ଯୁବନେତା ଦ୍ରୋଣ କୁମ୍ଭାର ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶଙ୍କର ନନ୍ଦ ଓ ସୁଷମା ବଏ ପ୍ରମୁଖ ମଂଚାସୀନ ଥିଲେ । କାର୍ଯ୍ୟକ୍ରମରେ ସମାଜରେ କ୍ରାନ୍ତି ପାଇଁ ନାରୀ ଶିକ୍ଷାର ଆବଶ୍ୟକତା ଉପରେ ଏକ ଆଲୋଚନାଚକ୍ର ରଖା ଯାଇଥିଲା । ବିଷୟ ବସ୍ତୁ ଉପରେ ଆଲୋଚନା କରି ମୁଖ୍ୟ ଅତିଥି ଶ୍ରୀମତୀ ସାହୁ କହିଥିଲେ ଯେ, ତତ୍‌କାଳୀନ ସମୟରେ ମାତା ସାବିତ୍ରୀ ବାଈ ଫୁଲେ ନାରୀ ଶିକ୍ଷାର ପ୍ରସାର ପାଇଁ ଯେଭଳି କ୍ରାନ୍ତି ଆଣିଥିଲେ ଆଜି ମଧ୍ୟ ସେଭଳି କ୍ରାନ୍ତିର ଆବଶ୍ୟକତା ରହିଛି । ଶିକ୍ଷାର ବ୍ୟାପକ ଅଗ୍ରଗତି ଘଟିଛି । ନାରୀମାନେ ଆଜି ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇ ପାରିଛନ୍ତି । ତେବେ ପ୍ରତ୍ୟେକଟି ନାରୀ ଯେଭଳି ଭାବେ ନିଜର ସାମ୍ବିଧାନିକ ଅଧିକାରକୁ ସାବ୍ୟସ୍ତ କରି ପାରିବେ ଓ ହକ୍‌ ପାଇଁ ଲଢେଇ କରି ପାରିବେ, ସେଥିପାଇଁ ସାମାଜିକ କ୍ରାନ୍ତିର ଆବଶ୍ୟକତା ରହିଛି ବୋଲି ଶ୍ରୀମତୀ ସାହୁ କହିଥିଲେ । ମୁଖ୍ୟବକ୍ତା ଶ୍ରୀ ମହାନନ୍ଦ କହିଥିଲେ ଯେ, ସମସ୍ତ ପ୍ରକାର ସମାଧାନର ବାଟ ହେଉଛି ଶିକ୍ଷା । ଗୁଲାମୀ ମାନସିକତାରୁ ମୁକୁଳିବା ପାଇଁ ଶିକ୍ଷା ହିଁ ଏକମାତ୍ର ବିକଳ୍ପ । ସାବିତ୍ରୀ ବାଈଙ୍କ ତ୍ୟାଗ ଓ ତପସ୍ୟା ଯୋଗୁଁ ଆଜି ନାରୀ ସମାଜ ନିଜର ସ୍ଥିତିକୁ ଜାହିର କରିବାରେ ସଫଳ ହୋଇଛି । ସାମ୍ପ୍ରତିକ ସମୟରେ ଆମେ ସମସ୍ତେ ଶ୍ରୀମତୀ ଫୁଲେଙ୍କ ସେହି ତ୍ୟାଗର ରାସ୍ତାକୁ ଆପଣାଇବାକୁ ପଡିବ ବୋଲି ମୁଖ୍ୟବକ୍ତା କହିଥିଲେ । ସଭାପତିତ୍ୱ ଅଭିଭାଷଣରେ ଶ୍ରୀମତୀ ନନ୍ଦ କହିଥିଲେ ଯେ, ମହିଳାଙ୍କ ସୁରକ୍ଷା ଓ ସେମାନଙ୍କ ହକ୍‌ ପାଇଁ ଲଢେଇ କରିବାକୁ ଏହି ସଂଗଠନ ଗଠନ କରାଯାଇଛି । ଆଗାମୀ ଦିନରେ ସଂଗଠନକୁ ବ୍ୟାପକ କରାଯିବ ଓ ମହିଳାଙ୍କ ସ୍ୱାର୍ଥ ପାଇଁ ଲଢେଇ କରାଯିବ ବୋଲି ଶ୍ରୀମତୀ ନନ୍ଦ କହିଥିଲେ । ସମ୍ମାନିତ ଅତିଥି ବୃନ୍ଦ ମଧ୍ୟ ଶ୍ରୀମତୀ ଫୁଲେଙ୍କ ଜୀବନୀ ଓ ତାଙ୍କ ସଂଘର୍ଷ ଉପରେ ମତବ୍ୟକ୍ତ କରିଥିଲେ । ପ୍ରଶାନ୍ତ ମହାକୁର, ତରଣୀସେନ ଦୀପ, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଲ ଓ ଭୁବନ ନାଗ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.